ଓଡ଼ିଶାଲାଇଭ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ, ଟେଷ୍ଟ ଓ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା ସରିଛି। ଏହି ସିରିଜ ପାଇଁ ଭାରତ ଅଗଷ୍ଟ ୧ରେ ଓ୍ଵେଷ୍ଟଇଣ୍ଡିଜ ଗସ୍ତ କରିବ। ନବାଗତଙ୍କୁ ନେଇ ବିଦେଶରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିବ ଭାରତ।

ବହୁ ଦିନ ବ୍ୟବଧାନ ପରେ ରୋହିତ ଶର୍ମା ଟେଷ୍ଟ ଦଳକୁ ଫେରିଥିବା ବେଳେ ଯଶପ୍ରିତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିନିକିଆ ଓ ଟି-୨୦ ସିରିଜୁ ବିଶ୍ରାମ ଦିଆଯାଇଛି। ସବୁ ଫର୍ମାଟରେ ବିରାଟ କୋହଲି ଅଧିନାୟକ ରହିବେ। ଏହି ସିରିଜ ମାଧ୍ୟମରେ ବିରାଟ କୋହଲିଙ୍କ ପାଖରେ ୩ଟି ରେକର୍ଡ କରିବାର ସୁଯୋଗ ରହିଛି। ତେବେ ସେ ରେକର୍ଡ କ’ଣ ଆସନ୍ତୁ ଜାଣିବା।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ୧ହଜାର ରନ ପୂରଣ

ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାର ୧ ନମ୍ବର ସ୍ଥାନରେ ରହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ସେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୧୫ଟି ଇଂନିସ ଖେଳି ୬୮୬ ରନ କରିଛନ୍ତି। ଏଥିରେ ୨ଟି ଶତକ, ଗୋଟିଏ ଦ୍ଵିଶତକ ଓ ୩ଟି ଅର୍ଦ୍ଧଶତକ ରହିଛି।

ତେବେ କୋହଲିଙ୍କୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ମ୍ୟାଚରେ ୧ ହଜାର ରନ ପୂରଣ କରିବାକୁ ଆଉ ୩୧୪ ରନ ଆବଶ୍ୟକ ରହିଛି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଏହି ଟେଷ୍ଟ ସିରିଜରେ ୧ ହଜାର ରନ ପୂରଣ କରିବାର ସୁଯୋଗ ତାଙ୍କ ପାଖରେ ରହିଛି। ଏହି ରେକର୍ଡ ପୂରଣ କଲେ ଓ୍ଵେଷ୍ଟଇଣ୍ଡିଜ ଦଳ ବିପକ୍ଷରେ ୧ହଜାର ରନ ପୂରଣ କରିବାରେ ସେ ୧୧ତମ ଖେଳାଳୀ ହୋଇପାରିବେ।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ୨ହଜାର ରନ ପୂରଣ

ଟେଷ୍ଟ ଭଳି ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାରେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛନ୍ତି ବିରାଟ କୋହଲି। ସେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୩୩ଟି ଇଂନିସରୁ ୧ହଜାର ୯୧୨ ରନ କରିଛନ୍ତି। ଏଥିରେ ୭ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି।

୨ହଜାର ରନ ପୂରଣ କରିବାକୁ କୋହଲିଙ୍କୁ ଆଉ ୮୮ ରନ ଆବଶ୍ୟକ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସରିଜରେ ୨ହଜାର ରନ ପୂରଣ କରିବାର ସୁଯୋଗ ତାଙ୍କ ପାଖରେ ରହିଛି। ସେ ପ୍ରଥମ ଭାରତୀୟ ଭାବେ ଏହି ରେକର୍ଡ ପୂରଣ କରିବେ।

ଅଧିନାୟକ ଭାବେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ଟେଷ୍ଟ ମ୍ୟାଚ ବିଜୟ

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୬ଟି ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଅଧିନାୟକ ରହିଛନ୍ତି। ଯେଉଁଥିରେ ଭାରତ ୪ଟି ବିଜୟୀ ହୋଇଥିବା ବେଳେ ୨ଟି ଡ୍ର ରହିଛି। ତେବେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ଟେଷ୍ଟ ମ୍ୟାଚ ଜିତିବାକୁ ତାଙ୍କୁ ଆଉ ୨ଟି ମ୍ୟାଚରେ ବିଜୟ ଆବଶ୍ୟକ।

ପୂର୍ବରୁ ଏହି ରେକର୍ଡ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ରହିଛି। ଧୋନି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୮ଟି ମ୍ୟାଚରୁ ୫ଟି ଜିତିଛନ୍ତି। ତେବେ ଧୋନିଙ୍କୁ ଟପିବାକୁ ବିରାଟଙ୍କୁ ଆଉ ଦୁଇଟି ଟେଷ୍ଟରେ ବିଜୟୀ ହେବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here