ଡକ୍ଟର ହରପ୍ରସନ୍ନ ଦାସ
(ଚତୁର୍ଥ ଭାଗ)
କେଉଁ ପ୍ରଣାଳୀରେ ଗଲେ ଆମେ ସମାଲୋଚନାମୂଳକ ଭାବନାରେ ସଫଳତା ପାଇପାରିବା ସେ ସମ୍ପର୍କରେ ଆଲୋଚନା:
ବ୍ୟକ୍ତିଗତ ଜୀବନରେ ଅବା କାର୍ଯ୍ୟ କ୍ଷେତ୍ରରେ ଆମେ ଯେତେବେଳେ କୌଣସି କାମ କରିଥାଉ ତା’ ପଛରେ ନିଶ୍ଚିତ ଭାବରେ କିଛିଟା ଭାବନା ରହିଥାଏ। ସମାଲୋଚନାମୂଳକ ଭାବନାରେ ଯେଉଁସବୁ ବିଷୟଗୁଡ଼ିକ ବାଧା ସୃଷ୍ଟି କରିଥାଏ, ସେଗୁଡ଼ିକ ସମ୍ପର୍କରେ ଆମେ ଗତ ଦୁଇଟି ସଂଖ୍ୟାରେ ବିଶେଷ ଭାବରେ ଆଲୋଚନା କରିଛେ। କେଉଁ ପ୍ରଣାଳୀରେ ଗଲେ ଆମେ ସମାଲୋଚନାମୂଳକ ଭାବନାରେ ସଫଳତା ପାଇପାରିବା ସେ ସମ୍ପର୍କରେ ଏଥରକ ଆମେ ଆଲୋଚନା କରିବା।
ସାଧାରଣ ଜ୍ଞାନ
କେହି ଛୋଟ ଭୂଲ୍ଟିଏ କରିଲେ ଆମେ କହୁ ‘ତୋର କ’ଣ ଟିକିଏ ସାଧାରଣ ଜ୍ଞାନ ନାହିଁ ଏଇଟା ଠିକ୍ ବା ଭୂଲ୍ ଜାଣିପାରିଲୁ ନାହିଁ ।’ ତେଣୁ ସ୍କୁଲ୍, କଲେଜ ଡିଗ୍ରୀ ଥାଉ ବା ନଥାଉ ପ୍ରତ୍ୟେକ ମଣିଷ ପାଖରେ କିଛିଟା ସାଧାରଣ ଜ୍ଞାନ ରହିଛି। ବରଂ ପାଠ ନପଢ଼ିଥିବା ନିରକ୍ଷର ବ୍ୟକ୍ତିଟିଏ ପାଖରେ ଅଗାଢ଼ ସାଧାରଣ ଜ୍ଞାନ ରହିଥାଏ ଯାହା ତାକୁ ବହୁତ ଜଟିଳ ସମସ୍ୟାର ସମାଧାନରେ ସାହାଯ୍ୟ କରିଥାଏ। ସଂସାରରେ ଏଭଳି କେହି ନାହାନ୍ତି ଯାହା ପାଖରେ ସାଧାରଣ ଜ୍ଞାନ ନାହିଁ। କିନ୍ତୁ ବଡ଼ କଥା ହେଲା ଏହାର ଠିକ୍ ଉପାୟରେ ବ୍ୟବହାର। ନିଜର ସାଧାରଣ ଜ୍ଞାନକୁ ଶୁଦ୍ଧ ଓ ତୀକ୍ଷ୍ଣ ରଖିଲେ ପ୍ରତ୍ୟେକ କାମରେ ଆମର ଭାବନା ଅନୁଯାୟୀ ଫଳ ମିଳିବ।
ପ୍ରତ୍ୟେକ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ହିଁ ସମାଧାନର ବାଟ ଦେଖାଇଥାଏ। ସାଧାରଣ ଜ୍ଞାନ ନଥିଲେ ଯେ କୌଣସୀ କାମ ଜଟିଳ ସମସ୍ୟାରେ ପରିଣତ ହୋଇଯାଏ। ଏଣୁ ସାଧାରଣ ଜ୍ଞାନର ସଦ୍ ବ୍ୟବହାର କରିଲେ ସମାଲୋଚନାମୂଳକ ଭାବନାର ସୁଫଳ ମିଳିପାରିବ।
ତଥ୍ୟ ସଂଗ୍ରହ
ମନରେ ଯେକୌଣସି ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ଧୈର୍ଯ୍ୟର ସହିତ ଭାବିଲେ ଆମେ ଘଟଣାଟିର ଗୁରୁତ୍ୱ ବେଶ୍ ଅନୁମାନ କରିପାରୁ। ଘଟଣାଟି ଯେତେ ଛୋଟ ହେଉପଛେ, ସେ ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ଆମକୁ ସିଦ୍ଧାନ୍ତ ନେବାରେ ସାହାଯ୍ୟ କରିଥାଏ। ତେଣୁ ଘଟଣାଟିର ପୂର୍ବାପର ବିଷୟ ଅନ୍ୟମାନଙ୍କୁ ପଚାରି ଯଥେଷ୍ଟ ତଥ୍ୟ ସଂଗ୍ରହ କରିବା ଆମର ଦାୟିତ୍ୱ। ଅନ୍ୟମାନଙ୍କ ସହିତ ପରାମର୍ଶ କରିବା ବି ଦରକାର। ଏକ ଗବେଷଣାମୂଳକ ମନୋଭାବ ନେଇ ଆଗ୍ରହର ସହିତ ତଥ୍ୟ ସଂଗ୍ରହ କରିପାରିଲେ ସମାଲୋଚନାମୂଳକ ଭାବନା ସଫଳ ହୋଇପାରିବ।
ଯେ କୌଣସୀ ଘଟଣା ବାହାରୁ ଯେପରି ସାଧାରଣ ଜଣାପଡ଼େ ଗଭୀର ଭାବେ ଦେଖିଲେ ସେପରି ନଥାଏ। ଅଧିକାଂଶ ଲୋକ ଧୈର୍ଯ୍ୟ ଓ ସମୟ ଅଭାବରୁ ସବିଶେଷ ତଥ୍ୟ ସଂଗ୍ରହ ନକରି ଯେତିକି ମିଳିଥାଏ, ତାହା ଉପରେ ନିର୍ଭର କରି ସିଦ୍ଧାନ୍ତ ନେଇଥାନ୍ତି। ଫଳରେ କାର୍ଯ୍ୟଟି ଅନେକ ସମୟରେ ବିଫଳ ହୋଇଥାଏ। ଆଉ ଘଟଣାଟି ଘଟିସାରିଲା ପରେ ଆମେ ଅନୁଭବ କରୁ କିଛି ଅଧିକ ତଥ୍ୟ ସଂଗ୍ରହ କରିବାର ଥିଲା କିନ୍ତୁ ସେତେବେଳକୁ ଆମପାଖରେ କିଛି କରିବାର ସୁଯୋଗ ନଥାଏ। ବିଳମ୍ବ ହେଉପଛେ ସବିଶେଷ ତଥ୍ୟ ସଂଗ୍ରହ କରିବାହିଁ ସମାଲୋଚନାମୂଳକ ଭାବନାର ବିଶେଷତ୍ୱ। ଏହାଦ୍ୱାରା ଆମର ଆତ୍ମବିଶ୍ୱାସ ବଢ଼ିବା ସହିତ ଜ୍ଞାନ କୌଶଳର ବୃଦ୍ଧି ହୋଇଥାଏ।
ଗଭୀର ଅନୁଧ୍ୟାନ
ଆମେ ଘଟଣାଟି ସମ୍ପର୍କରେ ସମାଲୋଚନାମୂଳକ ଭାବନା ପୂର୍ବରୁ ଯେଉଁ ତଥ୍ୟ ସଂଗ୍ରହ କରୁ, ତାହା ଠିକ୍ ବା ଭୁଲ୍ ଗଭୀର ଭାବେ ଅନୁଧ୍ୟାନ କରିବାଟା ନିହାତି ଜରୁରୀ। ତାହାର ପ୍ରଥମ ପଦକ୍ଷେପ ହେଲା ଆମେ କେଉଁଠୁ ବା କାହାଠୁ ତଥ୍ୟ ସଂଗ୍ରହ କରିଛୁ ଓ ତାର ଉତ୍ସ କେତେ ବିଶ୍ୱାସଯୋଗ୍ୟ। ସାଧାରଣତଃ ବହୁତ ସମୟରେ ଅନେକ ଭୁଲ୍ ତଥ୍ୟ ସଂଗ୍ରହ କରିବା ଦ୍ୱାରା ଆମର ଭାବନାଟା ଭୁଲ୍ ବାଟରେ ଯାଇଥାଏ। ଫଳରେ ଫଳାଫଳଟା ବି ଭୁଲ୍ ହୋଇ ଶେଷରେ ନିରାଶ ହେବାକୁ ପଡ଼ିଥାଏ। ଏଣୁ ତଥ୍ୟର ଉତ୍ସ ସମ୍ପର୍କରେ ଆମକୁ ସତର୍କ ଓ ସଚେତନ ରହିବାକୁ ପଡ଼ିବ। ଆମେ ଅନେକ ସମୟରେ ଅଦରକାରୀ ତଥ୍ୟ ସଂଗ୍ରହ କରି ନିଜର ଭାବନାକୁ ସଠିକ୍ ଦିଗରେ ନନେଇପାରି ମାନସିକ ଭାରସାମ୍ୟ ହରାଇବସୁ। ତେଣୁ ତଥ୍ୟ ସଂଗ୍ରହ ସମୟରେ ଭୁଲ୍ କିମ୍ବା ଠିକ୍ ଯାଞ୍ଚ୍ କରି, ଯଦି ଠିକ୍ ତାହା ବିଷୟବସ୍ତୁ ପାଇଁ କେତେ ଉପଯୋଗୀ ଜାଣିବାଟା ନିହାତି ଜରୁରୀ।
ଅନ୍ୟମାନଙ୍କ ଜୀବନରେ ଘଟୁଥିବା ଘଟଣା ଏବଂ ଆମ ଜୀବନରେ ଘଟିଥିବା ଘଟଣାଗୁଡ଼ିକରୁ ଆମେ ଯାହା ଶିଖିଥାଉ ତାହାହିଁ ଆମକୁ ଗଭୀର ଅନୁଧ୍ୟାନ କରିବାରେ ସାହାଯ୍ୟ କରେ। ଆବଶ୍ୟକୀୟ ସୂଚନା ସଂଗ୍ରହ କରିପାରିବା ପାଇଁ ଆହୁରି ଅନେକ ଉତ୍ସ ରହିଛି। ସେଥିରୁ ବିଜ୍ଞ ବ୍ୟକ୍ତିମାନଙ୍କ ସହିତ ପରାମର୍ଶ କରି ମୂଲ୍ୟବାନ୍ ତଥ୍ୟ ସଂଗ୍ରହ କରିବା ଅନ୍ୟତମ। ସଂଗୃହିତ ତଥ୍ୟଗୁଡ଼ିକରେ ଘାଣ୍ଟି ନ ହୋଇ କେବଳ ଉପଯୁକ୍ତ ତଥ୍ୟଗୁଡ଼ିକ ଏକାଠି କରି ଗଭୀର ଭାବେ ଅନୂଧ୍ୟାନ କରିବାକୁ ପଡ଼ିବ ଯେ ସେଗୁଡ଼ିକ ପ୍ରକୃତରେ ଦରକାରୀ କି ନାହିଁ।
(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ। ସେ ‘ମାନବ ଅଧ୍ୟୟନ କେନ୍ଦ୍ର’ର ମୁଖ୍ୟ କୋଚ୍ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଲେଖାଟି ‘ଦକ୍ଷତାର ବିକାଶ’ ସିରିଜ୍ ଅଧୀନରେ ପ୍ରକାଶିତ।)