ଭାସ୍କର ପରିଚ୍ଛା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିକଟରେ ହିନ୍ଦୀ ଦିବସ ଅବସରରେ ‘ଗୋଟିଏ ଦେଶ ଗୋଟିଏ ଭାଷା’ ପାଇଁ ଓକିଲାତି କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ଉତ୍ଥାପନ କରି ସେ ଯେ ଏକ ଅଯଥା ବିବାଦ ସୃଷ୍ଟି କରିଛନ୍ତି ଏଥିରେ ସନ୍ଦେହ ନାହିଁ। ଅବଶ୍ୟ ସେ ପରେ ଏହାର ସ୍ପଷ୍ଟୀକରଣ ଦେଇଛନ୍ତି।

ଶାହ କହିଥିଲେ ଯେ ସବୁଠାରୁ ବେଶୀ ଲୋକ କହୁଥିବା ଭାଷା ହିଁ ଦେଶକୁ ଗୋଟିଏ ସୂତାରେ ବାନ୍ଧି ରଖିପାରିବ ଓ ବିଶ୍ୱରେ ଭାରତକୁ ଏକ ପରିଚୟ ପ୍ରଦାନ କରିବାରେ ସହାୟକ ହୋଇପାରିବ।

ଦକ୍ଷିଣରେ ପ୍ରତିକ୍ରିୟା

କଥା ହେଲା ଅମିତ ଶାହ ଶାସକ ବିଜେପିର ସଭାପତି ରହିବା ସହିତ କେନ୍ଦ୍ର ଗୃହମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଦ୍ୱିତୀୟ ଶକ୍ତିଶାଳୀ ମନ୍ତ୍ରୀ ରୂପେ ପରିଚିତ। ଏଣୁ  ତାଙ୍କର ମତ ବା ବିବୃତିକୁ ସରକାରଙ୍କ ମତ ବୋଲି ଧରିନେବା ସ୍ୱାଭାବିକ। ଏହି କାରଣରୁ ଶାହଙ୍କ ମନ୍ତବ୍ୟକୁ ନେଇ ଦକ୍ଷିଣ ରାଜ୍ୟମାନଙ୍କରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି। କେବଳ ଦକ୍ଷିଣ ରାଜ୍ୟ ନୁହଁନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶାହଙ୍କ ଉକ୍ତି ଉପରେ ଆପତ୍ତି ଉଠାଇଛନ୍ତି। ବିରୋଧୀ ଦଳ କଂଗ୍ରେସ ଓ ସିପିଆଇ ବି ଶାହଙ୍କ ବିବୃତିର ସମାଲୋଚନା କରିଛନ୍ତି।

ସମ୍ବିଧାନ

ଭାରତ ଭଳି ଏକ ବହୁଭାଷୀ ଦେଶରେ ଭାଷା ସବୁବେଳେ ଏକ ସମ୍ବେଦନଶୀଳ ବିଷୟ ହୋଇ ଆସିଛି। ଆମର ସମ୍ବିଧାନ ପ୍ରଣେତାମାନେ ମଧ୍ୟ ଏହି ବିଷୟକୁ ସଠିକ ହୃଦୟଙ୍ଗମ କରି ପାରିଥିଲେ। ଅବଶ୍ୟ ସେମାନେ ହିନ୍ଦୀକୁ ରାଷ୍ଟ୍ରର ଭାଷା ବା ରାଜଭାଷାର ମର୍ଯ୍ୟାଦା ଦେଇଥିଲେ, କିନ୍ତୁ ଇଂଲିସ୍‌ ବ୍ୟବହାରକୁ ବି ସମାନ ଭାବେ ଗୁରୁତ୍ୱ ଦିଆଯାଇଥିଲା। ସବୁଠାରୁ ବଡ଼ କଥା,  ରାଜ୍ୟମାନଙ୍କୁ ଏଥିରୁ ଛାଡ଼ କରି ଦିଆଯାଇଥିଲା।

ସମ୍ବିଧାନର ଧାରା ୩୪୬ ଓ ୩୪୭ରେ କୁହାଯାଇଛି ଯେ ରାଜ୍ୟ ବିଧାନସଭାଗୁଡ଼ିକ ସେହି ରାଜ୍ୟରେ ପ୍ରଚଳନ ହେବା ଭଳି ଯେ କୌଣସି ଗୋଟିଏ ଭାଷା ବା ଏକାଧିକ ଭାଷାକୁ ଗ୍ରହଣ କରି ପାରିବେ। ହିନ୍ଦୀ ଭାଷୀ ରାଜ୍ୟରେ ସରକାରୀ ଭାଷା ଉଦ୍ଦେଶ୍ୟରେ ହିନ୍ଦୀ କିମ୍ବା ଯେ କୌଣସି ଭାଷାକୁ ଆପଣେଇ ପାରିବେ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଯେତେବେଳ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭା ସରକାରୀ ଭାଷା ପାଇଁ  ଏକ ନିର୍ଦ୍ଦିଷ୍ଟ  ଆଇନ ପ୍ରଣୟନ ନକରୁଛନ୍ତି ସେତେବେଳ ଯାଏଁ ଇଂଲିସ ଭାଷାର ବ୍ୟବହାର ଜାରି ରହିବ। ଏଭଳି ବ୍ୟବସ୍ଥା ଗ୍ରହଣ ପଛରେ କାରଣ ଥିଲା ଯେ ଅଣ-ହିନ୍ଦୀ ରାଜ୍ୟରେ ଶାସନ ସୁରୁଖୁରୁରେ ଚାଲିପାରିବ ଓ ଲୋକଙ୍କ ମଧ୍ୟରେ ଭାଷାକୁ ନେଇ କୌଣସି ଅସନ୍ତୋଷ ଦେଖାଯିବ ନାହିଁ।

ଇଂରାଜି ପ୍ରୀତି

ଭାରତରେ ହିନ୍ଦୀ ଭଳି ଅନେକ ଭାଷା ରହିଛି ଯେଉଁଗୁଡ଼ିକ ହିନ୍ଦୀ ଭଳି ସମୃଦ୍ଧ ମଧ୍ୟ। ଭାରତୀୟ ସମ୍ବିଧାନ ୨୨ଟି ଭାଷାକୁ ସ୍ୱୀକୃତି ଦେଇଥିଲେ ହେଁ, ଅସଲ କଥା ହେଉଛି ଭାଷା ସହିତ ସମାଜ ନିଜର ଏକ ସମ୍ପର୍କ ସ୍ଥାପନ କରିଥାଏ। ବିଗତ କିଛି ବର୍ଷ ଧରି ଭାରତର ଲୋକେ ଇଂରାଜିକୁ ବହୁଳ  ଭାବରେ ଗ୍ରହଣ କରି ଆସିଛନ୍ତି। କାରଣ ଆନ୍ତର୍ଜାତିକ ସ୍ତରରେ ଇଂରାଜି ହିଁ ଭାବ ପ୍ରକାଶର ମାଧ୍ୟମ। ତା ଛଡା ଚାକିରୀ ଓ ରୋଜଗାର ତଥା ଟେକନିକାଲ ଜ୍ଞାନ ଆହରଣ କରିବା ପାଇଁ ଇଂରାଜି ହିଁ ଏକମାତ୍ର ଭାଷା।

ସୁତରାଂ, ଯଦି ଭାରତରେ ଇଂରାଜିର ବ୍ୟବହାର ଦିନକୁ ଦିନ ବଢୁଛି ତାହା ଆପଣା ଛାଏଁ ବଢୁଛି, କୌଣସି ସରକାରୀ ନିର୍ଦ୍ଦେଶ ବଳରେ ନୁହେଁ। ଯେହେତୁ ଭାରତୀୟ ସମାଜ ଇଂରାଜି ଭାଷାର ଆବଶ୍ୟକତାକୁ ଭଲ ଭାବରେ ଉପଲବ୍ଧ କରିଛି ସେହି କାରଣରୁ ଲୋକେ ଇଂରାଜି ପ୍ରତି ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଏବେ ରହିଲା ହିନ୍ଦୀ ଭାଷା।

ଏଥିରେ ଆଦୌ ଦ୍ୱିମତ ରହିବା ଉଚିତ ନୁହେଁ ଯେ ଦେଶ ଭିତରେ ଲୋକଙ୍କ ମଧ୍ୟରେ ଏକ ମଜବୁତ ସମ୍ପର୍କ ପ୍ରତିଷ୍ଠା ଦିଗରେ ହିନ୍ଦୀ ନିଜକୁ ବିକଶିତ କରିପାରିଛି ଓ  ଅଧିକାଂଶ ଲୋକଙ୍କ ପାଇଁ ହିନ୍ଦୀ ଆଜି ଗ୍ରହଣୀୟ ହୋଇଛି। ଏପରିକି ବିନା ହୋ -ହଲ୍ଲାରେ ଦକ୍ଷିଣ ଭାରତର ରାଜ୍ୟର ଲୋକ ବି ହିନ୍ଦୀ ଶିଖିବା ଆରମ୍ଭ କଲେଣି ଓ ଏହାକୁ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବା ମଧ୍ୟ ଦେଖିବାକୁ ମିଳୁଛି।

ସଂଖ୍ୟା ହିସାବ

ଆଜି ଦେଶର ୫୨ କୋଟି ଲୋକ ହିନ୍ଦୀ କହୁଛନ୍ତି। ସଂଖ୍ୟା ଓ ତଥ୍ୟ କହୁଛି ଯେ ୨୦୦୧ରୁ ୨୦୧୧ ଏହି ଦଶ ବର୍ଷ ମଧ୍ୟରେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିବା ଲୋକଙ୍କ ଭାଷା ଦଶ କୋଟି ବଢ଼ିଛି। ସ୍ପଷ୍ଟ ଭାବରେ କହିଲେ,ଏହି ଅଭିବୃଦ୍ଧି ଯେ କୌଣସି ସରକାରୀ ନିର୍ଦ୍ଦେଶନାମା କିମ୍ବା କୌଣସି ରାଜନୈତିକ ଦଳର ଚାପ ଦ୍ୱାରା ହୋଇଛି ତାହା ନୁହେଁ। ବରଂ ସାଧାରଣ ଲୋକଙ୍କ ଖୋଲାପଣ, ବ୍ୟବସାୟିକ ସୁବିଧା ଓ ଶିକ୍ଷାଗତ ଗତିବିଧିର ପରିବର୍ତ୍ତନ ଯୋଗୁଁ ସମ୍ଭବ ହୋଇ ପାରିଛି।

ଉପସଂହାର

ଶାହଙ୍କ ବିବୃତି ପରେ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହାର ଇତି ହେବା ଦରକାର। ଆହୁରି ଭଲ ହେବ ଯଦି କ୍ଷମତାରେ ଥିବା ଦଳ ହିନ୍ଦୀକୁ ଅନ୍ୟ ଉପରେ ଲଦି ଦେବାର ଉଦ୍ୟମ ନକରନ୍ତି। ରାଜନୈତିକ ଦଳମାନେ ଭାଷା ଭଳି ଏକ ସମ୍ବେଦନଶୀଳ ବିଷୟରେ ନିଜକୁ ପୂରାପୂରି ଦୂରେଇ ରଖିବା ଦରକାର ଓ ଏହି ମାମଲାରେ ଲୋକଙ୍କୁ ଓ ସମାଜକୁ ଫଇସଲା କରିବା ପାଇଁ ସୁଯୋଗ ଦେବା ଦରକାର।

(ଲେଖକ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

LEAVE A REPLY

Please enter your comment!
Please enter your name here