ଦୀର୍ଘ ୧୭ ବର୍ଷ ଧରି କଂଗ୍ରେସ ଗୋଷ୍ଠୀ କନ୍ଦଳରେ ଉବୁଟୁବୁ ହେଉଛି । ଏହାର ପରିଣାମ ମଧ୍ୟ ଦଳର ନେତାମାନେ ଭୋଗି ସାରିଲେଣି । ତଥାପି ସଙ୍ଗଠନ ମଜଭୁତ ହେବାର ନାଁ ଧରୁନି ।  ଛଅ ଛଅ ଜଣ ତୁଙ୍ଗ ନେତା ପିସିସି ସଭାପତି ଆସନରେ ବସିଥିଲେ ବି ଦଳକୁ ସଫଳତା ମିଳୁନି । କଂଗ୍ରେସ ଦିନକୁ ଦିନ ଅଧିକ କ୍ଷତିଗ୍ରସ୍ତ ହୋଇ ଚାଲିଛି । ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହେବା ପରେ ସଭାପତି ଗାଦିରୁ ପ୍ରସାଦ ହରିଚନ୍ଦନଙ୍କୁ ହଟାଇବା ଅଭିଯାନ ଆରମ୍ଭ ହୋଇଛି । ତେବେ କାହାକୁ ସଭାପତି କଲେ ଦଳ ସୁଦୃଢ଼ ହେବ ତାକୁ ନେଇ କଂଗ୍ରେସ ଶିବିରରେ ମନ୍ଥନ ଆରମ୍ଭ ହୋଇଛି ।

ଏଆଇସିସି ଓଡ଼ିଶାର  ପିସିସି ନେତୃତ୍ୱ ପରିବର୍ତ୍ତନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଓଡ଼ିଶା ସମେତ ଦେଶର ଆଉ କେତେକ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସାଂଗଠନିକ କ୍ଷେତ୍ରରେ ଆମୁଳଚୂଳ ପରିବର୍ତ୍ତନ ପାଇଁ ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି । ସେହି କ୍ରମରେ ଗୋଆ ଓ କର୍ଣ୍ଣାଟକ ଦାୟିତ୍ୱରୁ ଦଳର ବରିଷ୍ଠ ନେତା ଦିଗ୍‍ବିଜୟ ସିଂହଙ୍କୁ ଅନ୍ତର କରାଯାଇଥିଲାବେଳେ ଏବେ ହାଇକମାଣ୍ଡ  ଓଡ଼ିଶା ଉପରେ ତାଙ୍କର ନଜର କେନ୍ଦ୍ରୀଭୂତ କରିଛନ୍ତି । ଯେକୌଣସି ମୁହୂର୍ତ୍ତରେ ପ୍ରସାଦଙ୍କୁ ଗାଦିରୁ ହଟାଯିବାର ସମ୍ଭାବନା ଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଆକଳନ କରୁଛନ୍ତି।

ଯଦି ପ୍ରସାଦକୁ ବିଦା କରାଯାଏ ତେବେ ତାଙ୍କ ସ୍ଥାନରେ କାହାକୁ ଅବସ୍ଥାପିତ କରାଯିବ ସେ ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି। ଏ କ୍ଷେତ୍ରରେ ତିନିଜଣଙ୍କ ନାମ ଆଗକୁ ଆସୁଛି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଦୌଡ଼ର ଆଗରେ ଥିବାବେଳେ ପିସିସି ଉପ-ସଭାପତି ପ୍ରଦୀପ ମାଝୀଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି । ସେହିଭଳି କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତ ଦାସଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସରକୁ ଆସୁଛି। ତେବେ ନିରଞ୍ଜନ କହିଛନ୍ତି ଯେ, ଯଦି ତାଙ୍କୁ ଏହି ଦାୟିତ୍ୱ ଅର୍ପଣ କରାଯାଏ ତେବେ ଦାୟିତ୍ୱ ନେବା ପୂର୍ବରୁ ସେ ଏଥିନେଇ ଲକ୍ଷେ ଥର ଚିନ୍ତା କରିବେ । ସେହିପରି ସ୍ୱାସ୍ଥ୍ୟଗତ କାରଣରୁ ପ୍ରଦୀପ ମାଝୀ ଏହି ପଦବୀରେ ରହିବା ପାଇଁ ଅମଙ୍ଗ ହୋଇଥିବାବେଳେ କଂଗ୍ରେସର ବର୍ତ୍ତମାନ ସ୍ଥିତି ପାଇଁ ଜଣେ ଲଢ଼ୁଆ ଯୋଦ୍ଧାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ବାକି ରହିଲେ ଭକ୍ତ ଦାସ । ଭକ୍ତଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯ କି ନା  ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଓଡ଼ିଶା ପ୍ରଭାରୀ ଦାୟିତ୍ୱରେ ଥିବା ବି.କେ. ହରିପ୍ରସାଦ ନୈତିକତା ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ହାଇକମାଣ୍ଡଙ୍କ ଦ୍ୱାରା ଗ୍ରହଣ ହୋଇନାହିଁ । ଯଦିଓ ଏ କ୍ଷେତ୍ରରେ ପ୍ରସାଦ ନୈତିକତା ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇଛନ୍ତି ତେବେ ସେ ତାଙ୍କ ପଦବୀରୁ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାନ୍ତି, ଯାହାକୁ ନେଇ ଦଳର କେତେକ ନେତା ନାପସନ୍ଦ କରିଛନ୍ତି ।

ଏସବୁ ଭିତରେ ପ୍ରସାଦଙ୍କ ମୁଣ୍ଡ ଉପରେ ଯେ, ଏକ ଖଣ୍ଡା ଝୁଲିରହୁଛି । ଯେଉଁ  ଢଙ୍ଗରେ ନିରଞ୍ଜନ ପଟ୍ଟ୍‍ନାୟକଙ୍କୁ ଅକ୍ଷୟ ତୃତୀୟା ଦିନ ବିଲ୍‍ରେ ଅଖିମୁଠି ଅନୁକୂଳ କରୁଥିବାବେଳେ ପଦବୀରୁ ବିଦା କରିଦିଆଗଲା ସେହି ଢଙ୍ଗରେ ଯଦି ପ୍ରସାଦ ଏବେଠୁ ଯଦି ଇସ୍ତଫା ନ ଦିଅନ୍ତି ତେବେ ତାଙ୍କୁ ବିଦା କରିଦିଆଯିବାର  ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟ କଂଗ୍ରେସରେ ମହାନଦୀ ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଥିବାବେଳେ ଏବେ ଏହା ଚରମସୀମାରେ ପହଞ୍ଚିଛି । ଯେତେବେଳେ ପ୍ରସାଦ ମଙ୍ଗୁଆଳ ଦାୟିତ୍ୱ ନେଲେ ସେତେବେଳେ ମୁଁ ରୁ ଆମେ କହି ଚର୍ଚ୍ଚାର ପରିସରକୁ ଆସିଥିଲେ । ସମସ୍ତେ ଆଶା କରିଥିଲେ ଯେ, ତାଙ୍କ ନେତୃତ୍ୱରେ ଦଳ ସୁସଂଗଠିତ ହୋଇପାରିବ । କିନ୍ତୁ ପରିଶେଷରେ ସେ ବି ପକ୍ଷ ହୋଇରହିଗଲେ । ନାମକୁ ମାତ୍ର କେତେଜଣ ସମର୍ଥକଙ୍କୁ ସାଙ୍ଗରେ ଧରି ରାଜ୍ୟ କଂଗ୍ରେସ ରାଜନୀତିକୁ ହାତମୁଠାରେ ରଖିବା ପାଇଁ ସେ ଯେଉଁ ଉଦ୍ୟମ କରିଥିଲେ ତାହା ବିଧାୟକ ଟିମ୍‍ ଫଳବତୀ କରାଇ ଦେଲେ ନାହିଁ । ମହାନଦୀ ପ୍ରସଙ୍ଗରେ ବିବାଦ ଏତେ ତୀବ୍ର ହେଲା ଯେ, ବିଧାୟକ ଟିମ୍‍ ପ୍ରସାଦଙ୍କ ଇସ୍ତଫା ଦାବିରେ ହାଇକମାଣ୍ଡଙ୍କୁ ଭେଟିବାକୁ ମଧ୍ୟ ପହଞ୍ଚିଗଲେ । ପଞ୍ଚାୟତ ନିର୍ବାଚନ ସମୟରେ ବି ସେହି ଗୋଷ୍ଠୀକନ୍ଦଳ । ରାଗ ସୁଝାଇବାକୁ ଯାଇ ପ୍ରସାଦ କିଛି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍‍ ମଧ୍ୟ ଜାରିକଲେ। ଭାବିଥିଲେ  ଯେଉଁ କଥାକୁହା ନେତାମାନେ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନଙ୍କ ମୁହଁରେ ରୋକ୍‍ ଲଗାଯାଇପାରିବ । ମାତ୍ର ଫଳ ଓଲଟା ହେଲା । ନୋଟିସ୍‍ ଜାରି ପରେ ବି ସେମାନେ ପ୍ରସାଦଙ୍କ ଇସ୍ତଫା ଦାବିରେ ଅଟଳ ରହିଥିବା ଦେଖିବାକୁ ମିଳୁଛି । ସେମାନଙ୍କ ମତ ପ୍ରସାଦ ଗାଦିରେ ରହିଲେ ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ ସମ୍ପୂର୍ଣ୍ଣ ରୂପେ ଲୋପ ପାଇଯିବ । କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଖୋଲାଖୋଲି ପ୍ରସାଦଙ୍କ ବିରୁଦ୍ଧରେ ବିଷୋଦ୍‍ଗାର କରୁଥିବାବେଳେ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଅନନ୍ତ ସେଠୀ ମଧ୍ୟ ପ୍ରସାଦଙ୍କ ସ୍ଥାନରେ ନିରଞ୍ଜନଙ୍କୁ ଆଉଥରେ ଗାଦିରେ ବସାଇବା ପାଇଁ ଖୋଲାଖୋଲି ଗଣମାଧ୍ୟମରେ ମତ ରଖିଛନ୍ତି । ପ୍ରସାଦଙ୍କୁ ବଦଳାଇବା ପାଇଁ ବିଧାୟକ ଟିମ୍‍ ପୁରା ଦମ୍‍ରେ ଲାଗିପଡ଼ିଛନ୍ତି । ଏସବୁ ଭିତରେ  ହାଇକମାଣ୍ଡ  କଂଗ୍ରେସ ସଂଗଠନକୁ ମଜଭୁତ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହା କେତେଦୂର ଫଳପ୍ରଦ ହେବ ତାହା ଦେଖିବାକୁ ବାକି ରହିଲା ।

(ପ୍ରସ୍ତୁତି: ସରୋଜ)

LEAVE A REPLY

Please enter your comment!
Please enter your name here