ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସର୍ବବୃହତ୍‌ ଓ ଅତ୍ୟାଧୁନିକ ସମନ୍ୱିତ ଇସ୍ପାତ କାରଖାନାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ଓ ପି ଜିନ୍ଦଲ ଗ୍ରୁପର ମହାଧ୍ୟକ୍ଷା ସାବିତ୍ରୀ ଜିନ୍ଦଲଙ୍କ ଉପସ୍ଥିତିରେ ଏହି ଲୋକାର୍ପଣ କାର୍ଯ୍ୟ ସମ୍ପାଦନ କରାଯାଇଛି। ଅନଗୁଳଠାରେ ବାର୍ଷିକ ୬୦ ଲକ୍ଷ ଟନ କ୍ଷମତା ବିଶିଷ୍ଟ ଏହି ଇସ୍ପାତ କାରଖାନାର ଶୁଭାରମ୍ଭ ଏଭଳି ସ୍ଥିତିରେ ହୋଇଛି ଯେତେବେଳେ ସମଗ୍ର ବିଶ୍ୱରେ ଇସ୍ପାତ ଶିଳ୍ପ ଘୋର ଅସୁବିଧା ସମୟ ଦେଇ ଗତି କରୁଛି।

ବିଶେଷକରି ଓଡିଶା ପାଇଁ ଏଇ ଉଦ୍‌ଘାଟନ ଖୁସିର ଖବର କାରଣ ବିଗତ କିଛି ସମୟ ଧରି ଇସ୍ପାତ ପ୍ରକଳ୍ପ କ୍ଷେତ୍ରରେ ଏକ ପ୍ରକାର ଅସୁରକ୍ଷା ନଜରକୁ ଆସୁଥିଲା। ପାରାଦୀପର ପୋସ୍କୋ ପ୍ରକଳ୍ପରେ ପୁର୍ଣ୍ଣଛେଦ୍ ପଡ଼ିବା ଓ ବହୁଗୁଡିଏ କମ୍ପାନୀ ଓଡ଼ିଶାରୁ ମୁହଁ ଫେରାଇବା ଘଟଣାରେ ମନେ ହେଉଥିଲା ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମୟ ଆଉ ଅନୁକୂଳ ନୁହେଁ।

ନବୀନ ସରକାର ମଧ୍ୟ ଏଥିରେ ଆଗ୍ରହ ହରାଇଥିବା ଲକ୍ଷ୍ୟ କରାଯାଉଥିଲା। ବିଜେଡି ସରକାର ପ୍ରଥମ ଦୁଇ ଥର କ୍ଷମତାକୁ ଆସିବା ପରେ ଶିଳ୍ପ କାରଖାନା ପ୍ରତି ଯେଉଁ ଉତ୍ସାହ ଦେଖାଉଥିଲେ ତାହା ଏବେ ଆଉ ନାହିଁ। ସରକାର ବିଭିନ୍ନ କମ୍ପାନୀ ସହିତ ଯେଉଁ ଏମଓୟୁ ସ୍ୱାକ୍ଷରିତ କରିଥିଲେ ସେଥିମଧ୍ୟରୁ ଅଧିକାଂଶ ପ୍ରକଳ୍ପ ବିବାଦ ମଧ୍ୟରେ ରହିଥିବା ବେଳେ ଆଉ କିଛି ପ୍ରକଳ୍ପରେ ନାଲି ଫିତା ବନ୍ଧା ସରିଲାଣି।

ଏହି ପରିସ୍ଥିତିରେ ଜିନ୍ଦଲ ପ୍ରକଳ୍ପର ଆରମ୍ଭ ଏକ ନୂଆ ସଜବାଜ ପାଇଁ ଖୋରାକ ଯୋଗାଇବ ଏହା ଆଶା କରାଯାଉଛି। ଅନୁଗୁଳ ଜିନ୍ଦଲ ପ୍ରକଳ୍ପ ବର୍ତ୍ତମାନ ଦେଶର ସବୁଠାରୁ ବଡ଼ ବ୍ଲାଷ୍ଟ ଫରନାସ ହେବା ବ୍ୟତୀତ ପ୍ରାୟ ୩୦ ହଜାର ଲୋକଙ୍କୁ ସିଧା ସଳଖ ଓ ଲକ୍ଷେ ଲୋକଙ୍କୁ ପରୋକ୍ଷ ରୋଜଗାର ଯୋଗାଇ ଦେଇପାରିବ।

ଜିନ୍ଦଲ କମ୍ପାନୀର ମାଲିକ ନବୀନ ଜିନ୍ଦଲ ଉଦଘାଟନ ଅବସରରେ କହିଲେ ଯେ ଏହି କାରଖାନାରେ ୩୩ ହଜାର କୋଟି ଖର୍ଚ୍ଚ ହୋଇଛି। ଖର୍ଚ୍ଚ କଥା ଯେତେ ନୁହେଁ ଓଡିଶାର ଅର୍ଥନୀତି ପାଇଁ ଏହାର ଅନେକ ଅବଦାନ ରହିବ। ୨୦୦୫ରେ ଜିନ୍ଦଲ ଏହି ପ୍ରକଳ୍ପ ପାଇଁ ଚୁକ୍ତି କରିଥିଲା ଓ ପ୍ରାୟ ୧୨ ବର୍ଷ ପରେ କାରଖାନା ପ୍ରତିଷ୍ଠା ହେଲା। ଓଡିଶା ତୁଳନାରେ ଏହି ବିଳମ୍ବ କିଛି ନୁହେଁ।

ଜିନ୍ଦଲ ଇସ୍ପାତ କାରଖାନା ପ୍ରତିଷ୍ଠା ପରେ ଅନଗୁଳ ଅଞ୍ଚଳର ବ୍ୟାପକ ଉନ୍ନତି ହେବ ବୋଲି ନବୀନ ଜିନ୍ଦଲ ତାଙ୍କ ଅଭିଭାଷଣରେ କହିଛନ୍ତି। ବିଶେଷ କରି ସ୍ଥାନୀୟ ଲୋକଙ୍କ ମନରେ ଆନନ୍ଦ ଅନୁଭବ ଏଥିପାଇଁ ହେଉଥିବ ଯେ ଅନଗୁଳ ଏବେ ଦ୍ୱିତୀୟ ରାଉରକେଲା ହେବାକୁ ଯାଉଛି। କେନ୍ଦ୍ର ସରକାର ମଧ୍ୟ ଅନଗୁଳରେ ବିଭିନ୍ନ ପ୍ରକଳ୍ପ ପାଇଁ ଇଛୁକ ଓ ଅନେକ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଓଡିଶାର ଅର୍ଥନୈତିକ ବିକାଶ ପାଇଁ ଅନଗୁଳ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି।

ଦାରିଦ୍ର୍ୟ ଦୂରୀକରଣ ସହିତ ଶିଳ୍ପ ବିକାଶ କ୍ଷେତ୍ରରେ ମଧ୍ୟ ବର୍ତ୍ତମାନ ଓଡ଼ିଶାକୁ ଏକ ପ୍ରୟୋଗଶାଳା ଭାବରେ ଚିନ୍ତା କରାଯାଉଛି। ଏହା ଖୁସିର ବିଷୟ।

Comment