ଓଡ଼ିଶାଲାଇଭ୍ ବ୍ୟୁରୋ
“ଶିଶୁ କଳାକାର ଅଭିନୟ କରିବା ଓ ହିରୋଇନ୍ ହେବା ଦୁଇଟିଯାକ ସମ୍ପୂର୍ଣ୍ଣ ଭାବେ ଭିନ୍ନ”
ହିରୋଇନ୍…ହିରୋଇନ୍…ହିରୋଇନ୍…। ଏଇ ଡାକଟି ତାଙ୍କୁ ସବୁଠାରୁ ଅଧିକ ଆତ୍ମତୃପ୍ତି ଦେଇଛି। ଏଥର ରଜରେ ରୋମାଣ୍ଟିକ୍ ହିରୋ ବାବୁସାନ୍ଙ୍କ ହିରୋଇନ୍ ଭାବେ ‘ସିଷ୍ଟର ଶ୍ରୀଦେବୀ’ରେ ପରଦାରେ ରୋମାନ୍ସ୍ କରୁଥିବା ନଜର ଆସିବେ ଶିବାନୀ ସଙ୍ଗୀତା (ନିକି)।
“ପିଲାଟିବେଳୁ ଅଭିନୟରେ ମୋର ରୁଚି ଥିଲା ଏବଂ ଅନେକ ମେଗା ସିରିଅଲ୍ ଓ ସିନେମାରେ ମଧ୍ୟ ଶିଶୁ କଳାକାର ଭାବେ କାମ କରିଛି। ବଡ଼ ହୋଇ ହିରୋଇନ୍ ହେବାର ସ୍ୱପ୍ନ ମଧ୍ୟ ଥିଲା ଯାହା ଏବେ ସାକାର ହୋଇଛି। ପ୍ରଥମ ସିନେମାରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ବାବୁସାନଙ୍କ ବିପକ୍ଷରେ ଅଭିନୟ କରିବାର ସୁଯୋଗ ପାଇ ମୁଁ ଅତ୍ୟନ୍ତ ଖୁସି”, କହିଛନ୍ତି ଶିବାନୀ। ଏହି ସିନେମାରେ ସେ ଡାକ୍ତରାଣୀ ଭୂମିକାରେ ଅଭିନୟ କରିଛନ୍ତି।
ବାବୁସାନ୍ ଏଥିରେ ଭରପୂର କମେଡି କରିବାର ଦେଖିବାକୁ ମିଳିବ। ସେପଟେ କିନ୍ତୁ ଶିବାନୀଙ୍କ ରୋଲ୍ ପ୍ରାୟତଃ ପରିପକ୍ୱ ଓ ସିରିୟସ୍।। “ମୋ ଚରିତ୍ରଟି ଗୋଟେ ଶାନ୍ତ, ସୁଶୀଳ ତଥା ଦାୟିତ୍ୱବାନ ଝିଅ, ଯିଏ ନିଜ ବାପା ମା’ଙ୍କ କଥାକୁ କେବେ ଏଡ଼ାଇ ଦିଏନାହିଁ। ଏଥିରେ ଥିବା ଗୀତ ‘ଓ ସୁନୟନା…’ ମୋର ସବୁଠାରୁ ପ୍ରିୟ”, ଓଡ଼ିଶାଲାଇଭ୍ ସହ କଥା ହେବା ବେଳେ କହିଛନ୍ତି ଶିବାନୀ।
ଏହି ସିନେମାର ସୁଟିଙ୍ଗ୍ ଓ ଡବିଙ୍ଗ୍ ମଧ୍ୟ ସରିଯାଇଛି। ଶିବାନୀଙ୍କ ଦୃଢ଼ ବିଶ୍ୱାସ ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁବ। ଯେହେତୁ ପ୍ରଥମ ଥର ପାଇଁ ସେ ହିରୋଇନ୍ ଭାବେ କାମ କରୁଛନ୍ତି, ନିର୍ଦ୍ଦେଶକ ଅଶୋକ ପତି ଓ କୋ-ଷ୍ଟାର ବାବୁସାନଙ୍କ ସହଯୋଗ ଓ ଉତ୍ସାହ ତାଙ୍କୁ ବହୁତ ସାହାଯ୍ୟ କରିଛି ବୋଲି କହିଛନ୍ତି। ତେବେ ପୂରା ସିନେମାରେ ଜନ୍ମଦିନ ପାଳନ ସମୟରେ ତାଙ୍କ ହେୟାର ଷ୍ଟାଇଲ୍ ଓ ଲୁକ୍ସ୍ ତାଙ୍କୁ ସବୁଠାରୁ ବେଶୀ ଭଲ ଲାଗିଥିଲା। ପୂର୍ବରୁ ସେ ଲୋକପ୍ରିୟ ମେଗା ସିରିଅଲ୍ ଉତ୍ତରଦାୟୀ, ଦେବୀ ଓ ବଧୂରେ କାମ କରି ନିଜ ପ୍ରତିଭାର ପରିଚୟ ଦେଇସାରିଛନ୍ତି। ପୂର୍ବରୁ ତାଙ୍କ ଅଭିନୀତ ସିନେମାଗୁଡ଼ିକ ମଧ୍ୟରେ ‘ଲେଖୁ ଲେଖୁ ଲେଖିଦେଲି’, ‘ପହିଲି ରଜ’, ‘ମିତରେ ମିତ’, ‘ଗୁଡ୍ ବଏ’ ଓ ‘ମିତ ବସିଛି ମୁଁ ଭୂତ ସାଥିରେ’ ଅନ୍ୟତମ।
“ଯଦିଓ ମୁଁ କ୍ୟାମେରା ସାମ୍ନାରେ ଅଭିନୟ କରିବାରେ ସଂକୋଚ ଅନୁଭବ କରୁନଥିଲି, ତେବେ ହିରୋଇନ୍ ଭାବେ କାମ କରିବା ସହଜ ନଥିଲା। ଶିଶୁ କଳାକାର ଅଭିନୟ କରିବା ଓ ହିରୋଇନ୍ ହେବା ଦୁଇଟିଯାକ ସମ୍ପୂର୍ଣ୍ଣ ଭାବେ ଭିନ୍ନ”, କହିଛନ୍ତି ଗ୍ଲାମରସ୍ ଶିବାନୀ।
ଏହି ସିନେମା ରିଲିଜ୍ ହେବା ପରେ ଦର୍ଶକଙ୍କ ପ୍ରତିକ୍ରିୟା ପାଇଁ ସେ ବିଶେଷ ଆଶାବାଦୀ ଅଛନ୍ତି। ଯଦିଓ ଅନେକ ସିନେମାର ଅଫର୍ ଏବେ ଆସୁଛି, ତେବେ ଏହି ସିନେମା ରିଲିଜ୍ ହେବା ପରେ କୌଣସି ଭଲ ଅଫର୍କୁ ଗ୍ରହଣ କରିବେ ବୋଲି ଶିବାନୀ ଓଡ଼ିଶାଲାଇଭ୍କୁ କହିଛନ୍ତି।