ସତ୍ୟବ୍ରତ ପାଢୀ

୨୦୦୧ ମସିହା ଚନ୍ଦନ ଯାତ୍ରା ଅବସରରେ ଭୁବନେଶ୍ୱରଠାରେ ଖୋଲିଥିଲା ‘ଡାଲମା’ର ପ୍ରଥମ ଶାଖା ଓଡ଼ିଆ ରୁଚିପୂର୍ଣ୍ଣ ଖାଦ୍ୟର ଅନନ୍ୟ ସମ୍ଭାରକୁ ନେଇ ଏହା ଥିଲା ରାଜ୍ୟର ପ୍ରଥମ ସ୍ୱତନ୍ତ୍ର ରେଷ୍ଟୁରାଣ୍ଟ ଆଜି ଭୁବନେଶ୍ୱରରେ ଡାଲମାର ଦୁଇଟି ଶାଖା ଥିଲା ବେଳେ ଏହା ପୁରୀ, ରାଉରକେଲା ଏପରିକି ବାଙ୍ଗାଲୋର, କଲିକତା ଭଳି ସହରକୁ ପ୍ରସାରିତ ହୋ‍ଇ ସେହିସବୁ ସ୍ଥାନରେ ଓଡ଼ିଆ ଖାନାର ଖଜାନା ଖୋଲିଦେଇଛି

“ଓଡ଼ିଶାରେ ଖୁବ୍ କମ୍ ବାହାଘର ହୁଏ ଯେଉଁଠାରେ ହୁଏତ ରଙ୍ଗବତୀ ଗୀତ ବାଜୁ ନଥିବ। ସେହିପରି ଆମ ରାଜ୍ୟରେ ଖୁବ୍ କମ୍ ହାଣ୍ଡିଶାଳ ଅଛି ଯେଉଁଠି ଡାଲମା ତିଆରି ହୁଏ ନାହିଁ”, ଏଇଠୁ ଆରମ୍ଭ ହୁଏ ତାଙ୍କ କଥାବାର୍ତ୍ତା। ଓଡ଼ିଶାର ଜଣାଶୁଣା ଶିଳ୍ପୋଦ୍ୟୋଗୀ ଦେବାଶିଷ ଓରଫ ଦେବୁ ପଟ୍ଟନାୟକ ଆଜି ଅନେକ ଶିଳ୍ପ ଓ ସଂଗଠନ ସହ ସମ୍ପୃକ୍ତ। ହେଲେ ତାଙ୍କ ନାଁ ଆସିଲା ମାତ୍ରେ ଲୋକଙ୍କ ମୁହଁକୁ ପ୍ରଥମେ ଆସେ ‘ଡାଲମା’। ଓଡ଼ିଆ ଘରର ଏହି ପାରମ୍ପରିକ ଓ ସ୍ୱାଦିଷ୍ଟ ରନ୍ଧଣା ଡାଲମାକୁ ନେଇ ସେ ଠିଆ କରିଛନ୍ତି ମଲ୍‌ଟି ଚେନ୍‍ ଆଧୁନିକ ରେସ୍ତୋରାଁ ‘ଡାଲମା’।

“ଆମେ ଆରମ୍ଭ କରିଥିବା ‘ଡାଲମା’ ରେଷ୍ଟୁରାଣ୍ଟରେ ଯେ କେବଳ ଖାଣ୍ଟି ଓଡ଼ିଆ ଖାଦ୍ୟ ମିଳେ ତା’ ନୁହେଁ, ବରଂ ପ୍ରତିଦିନ ଆମେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ପ୍ରାୟ ୩୦ରୁ ୩୫ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥାଉ। ତା’ ଭିତରେ ରହିଛି ବିଭିନ୍ନ ପ୍ରକାରର ଭାତ, ଡାଲି, ଡାଲମା, ଶାଗମୁଗ, ବଡ଼ିଚୁରା, ମାଛ ଛେଚା, ମାଛ ପୋଡ଼ା, ଦହି କଡ଼ି, କାଞ୍ଜି, ସଜନା ଛୁଇଁ ଝୋଳ, କଖାରୁ ଫୁଲ ବରା, ଛତୁ ପୋଡ଼ା, ଦେଶୀ କୁକୁଡ଼ା ମାଂସ ଓ ଖାସୀ ମାଂସ ଇତ୍ୟାଦି”, ଓଡ଼ିଶାଲାଇଭ୍‍ ସହିତ କଥାବାର୍ତ୍ତା ବେଳେ ସୂଚନା ଦିଅନ୍ତି ଡାଲମାର ପ୍ରତିଷ୍ଠାତା ଦେବୁ ବାବୁ।

୨୦୦୧ ମସିହା ଚନ୍ଦନ ଯାତ୍ରା ଅବସରରେ ଭୁବନେଶ୍ୱରଠାରେ ଖୋଲିଥିଲା ‘ଡାଲମା’ର ପ୍ରଥମ ଶାଖା। ଏହା ଥିଲା ଓଡ଼ିଆ ରୁଚିପୂର୍ଣ୍ଣ ଖାଦ୍ୟର ଅନନ୍ୟ ସମ୍ଭାରକୁ ନେଇ ରାଜ୍ୟର ପ୍ରଥମ ସ୍ୱତନ୍ତ୍ର ରେଷ୍ଟୁରାଣ୍ଟ। ଆଜି ଭୁବନେଶ୍ୱରରେ ଡାଲମାର ଦୁଇଟି ଶାଖା ଥିଲା ବେଳେ ଏହା ପୁରୀ, ରାଉରକେଲା ଏପରିକି ବାଙ୍ଗାଲୋର, କଲିକତା ଭଳି ସହରକୁ ପ୍ରସାରିତ ହୋ‍ଇ ସେହିସବୁ ସ୍ଥାନରେ ଓଡ଼ିଆ ଖାନାର ଖଜାନା ଖୋଲିଦେଇଛି। 

“ଓଡ଼ିଆ ଖାଦ୍ୟ ପରମ୍ପରା ଭିତରେ ଡାଲମା ଗୋଟିଏ ଅତି ପରିଚିତ ଓ ପ୍ରିୟ ଜିନିଷ ହୋ‍ଇଥିବାରୁ ଆମେ ଏହି ନାଁରେ ରେଷ୍ଟୁରାଣ୍ଟ କରିବାକୁ ଭାବିଲୁ। ଖୁସିର କଥା ଯେ ଆଜି ଲୋକେ ଓଡ଼ିଆ ଘରର ଖାଇବା ଖୋଜିଲେ ପରିବାର, ଅତିଥି ବା ସାଙ୍ଗସାଥିମାନଙ୍କ ସହ ଡାଲମା ଯିବାକୁ ପସନ୍ଦ କରୁଛନ୍ତି”, କହିଛନ୍ତି ଦେବାଶିଷ ପଟ୍ଟନାୟକ।

କାର୍ତ୍ତିକ ମାସର ହବିଷ ଡାଲମା ହେଉ ବା ପୁରୀର ବାଡ଼ିଆ ଡାଲମା, ଓଡ଼ିଆ ଘରର ଏହି ଡାଲମା ସମସ୍ତଙ୍କର ପ୍ରିୟ। ବିଭିନ୍ନ ପନିପରିବା ଏବଂ ଡାଲିରେ ପ୍ରସ୍ତୁତ ଏହି ଡାଲମାର ପରମ୍ପରା ବହୁ ପୁରୁଣା। ଶ୍ରୀମନ୍ଦିରରେ ୫୬ ଭୋଗ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କୁ ବିଭିନ୍ନ ପ୍ରକାରର ଡାଲମା ଲାଗି ହୋଇଥାଏ। ଗାଁ ଗହଳରେ ମନ୍ଦିରମାନଙ୍କରେ ମଧ୍ୟ ଭାଗବତ ସପ୍ତାହ, ରାମଚରିତ ମାନସ ଏବଂ ବିଭିନ୍ନ ଯାତରେ ଅନ୍ୟ ଭୋଗ ସହିତ ଡାଲମା ପ୍ରସାଦ ରୂପେ ଲାଗି ହୋଇଥାଏ। ଅର୍ଥାତ୍ ଓଡ଼ିଆ ଘରର ନିଚ୍ଛକ ବିଭିନ୍ନ ଖାଦ୍ୟ ଭିତରେ ଡାଲମା ସ୍ୱତନ୍ତ୍ର। ଏହି ଡାଲମାକୁ ଆଧୁନିକ ରେସ୍ତୋରାଁ ଧାରା ଭିତରକୁ ଆଣି ଏକ ନୂଆ ପରିଚୟ ଦେଇଛନ୍ତି ଦେବୁ ପଟ୍ଟନାୟକ।

ଏହା ନୁହେଁ କି ଆଗରୁ ଓଡ଼ିଶାରେ ଓଡ଼ିଆ ଖାଦ୍ୟ ପାଇଁ ହୋଟେଲ ନଥିଲା। କିନ୍ତୁ ଡାଲମା ଯେଉଁଭଳି ସ୍ୱାଦ, ପରିବେଶରେ ପରିଚ୍ଛନ୍ନତା ଏବଂ ପରିବେଷଣରେ ପ୍ରଫେସ୍‌ନାଲ୍‍ ଢାଞ୍ଚା ଆଣିଦେଲା, ତାହା ଗ୍ରାହକମାନଙ୍କୁ ବେଶ୍‌ ଭଲ ଲାଗିଲା। ଫଳରେ ଦିନେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋ‍ଇଥିବା ଏହି ରେଷ୍ଟୁରାଣ୍ଟ ଏବେ ଓଡ଼ିଶା ତଥା ଓଡ଼ିଶା ବାହାରେ ବେଶ୍ ଲୋକପ୍ରିୟ ହୋଇପାରିଛି।

“ ଆମ ରେସ୍ତୋରାଁର ଆଉ ଏକ ଆକର୍ଷଣ ହେଉଛି ଯେ ଆମେ ଓଡ଼ିଶାର ବରପୁତ୍ର ଏବଂ କଳା ଓ ସଂସ୍କୃତିକୁ ଥିମ୍‍ ହିସାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛୁ। ଭୁବନେଶ୍ୱରର ମଧୁସୂଦନ ନଗର ଆଉଟଲେଟ୍‌ରେ ମଧୁବାବୁ, କିଟ୍‌ ଛକରେ ଥିବା ଆଉଟଲେଟ୍‌ରେ ଫକିରମୋହନ ଏବଂ ରାଉରକେଲାରେ ହକିକୁ ଆମେ ଏହି ଥିମ୍‍ ହିସାବରେ ନେଇଛୁ। ଏହା ଆମର ପ୍ରିୟ ଓଡ଼ିଆ ଗ୍ରାହକମାନଙ୍କୁ  ଭଲ ଲାଗିଛି”, କହନ୍ତି ଦେବୁ ପଟ୍ଟନାୟକ। 

ସେହିପରି ବେଙ୍ଗଳୁରୁରେ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ଓ କଲିକତାରେ ‘ଫିଲ୍ମ ଇଣ୍ଡଷ୍ଟ୍ରି ଅଫ୍ ଓଡ଼ିଶା’କୁ ଥିମ୍‍ ଭାବରେ ନିଆଯାଇଛି । ବିଶେଷକରି କଲିକତାର ଆଉଟ୍‌ଲେଟ୍‌ରେ ୮୦ ଏବଂ ୯୦ ଦଶକର ଓଡ଼ିଆ ଚଳଚ୍ଚିତ୍ରର ଯେଉଁ ସବୁ ପୋଷ୍ଟର ଲାଗିଛି ତାହା ଅଣଓଡ଼ିଆ ଗ୍ରାହକମାନଙ୍କୁ ମଧ୍ୟ ଆକର୍ଷିତ କରୁଛି।

ଦେବାଶିଷ ପଟ୍ଟନାୟକ ଓଡ଼ିଶା ଲାଇଭକୁ କହିଛନ୍ତି ଯେ ଓଡ଼ିଶା ବାହାରେ ଥିବା ଡାଲମା ରେଷ୍ଟୁରାଣ୍ଟକୁ ପ୍ରଥମେ ପ୍ରଥମେ କେବଳ ୧୦୦ ପ୍ରତିଶତ ଓଡ଼ିଆ ଆସୁଥିଲେ। କିନ୍ତୁ ଏବେ ଅନେକ ଅଣଓଡ଼ିଆମାନେ ଆସି ଓଡ଼ିଆ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। 

“ଆଗାମୀ ଦିନରେ କିପରି ଭାବରେ ୫୦ ପ୍ରତିଶତ ଅଣଓଡ଼ିଆ ଆମ ହାତତିଆରି ଖାଦ୍ୟ ଖାଇବାକୁ ଆସିବେ ଏବଂ ଖାଣ୍ଟି ଓଡ଼ିଆ ଖାଦ୍ୟକୁ ପସନ୍ଦ କରିବେ ସେ ଉପରେ ଆମେ ଗୁରୁତ୍ୱ ଦେଉଛୁ। ଏହା ଓଡ଼ିଶା ବାହାରେ ଓଡ଼ିଆ ଖାଦ୍ୟର ପ୍ରସାର କ୍ଷେତ୍ରରେ ଆମର ଏକ ବଡ଼ ସଫଳତା ହେବ”, କହିଛନ୍ତି ଶ୍ରୀ ପଟ୍ଟନାୟକ।

ସୁଦୂର ଆମେରିକାରେ ମଧ୍ୟ ଡାଲମା ଆଉଟଲେଟ ଖୋଲିବାକୁ ଆଶାବାଦୀ ଅଛନ୍ତି ଦେବାଶିଷ। ଭାରତ ଭିତରେ ମଧ୍ୟ ଅନ୍ୟ ରାଜ୍ୟ ଏବଂ ଓଡ଼ିଶାର ପ୍ରତି ଜିଲ୍ଲା ସଦର ମହକୁମାରେ ଖୁବ୍ ଶୀଘ୍ର ଫ୍ରାଞ୍ଚାଇଜ୍ ମୋଡ୍‌ରେ ଡାଲମା ରେଷ୍ଟୁରାଣ୍ଟ ଖୋଲିବାକୁ ଯାଉଅଛି ବୋଲି ସେ ସୂଚନା ଦେଇଛନ୍ତି।

ଆଜି ଓଡ଼ିଶାର ବିଭିନ୍ନ ସହରରେ ସାଉଥ୍‍ ଇଣ୍ଡିଆନ୍‍ ଓ ଚାଇନିଜ୍‍ ଖାଦ୍ୟର ବହୁଳ ପ୍ରସାର ଘଟୁଛି। ଦେବାଶିଷ ପଟ୍ଟନାୟକଙ୍କ କହିବା କଥା ଯଦି ଆମେ ଓଡ଼ିଆ ଘରର ରୁଚିପୂର୍ଣ୍ଣ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଲୋକଙ୍କ ପାଖରେ ପହଞ୍ଚାଇପାରିବା ତେବେ ସେମାନେ ଆମ ଖାଦ୍ୟ ପରମ୍ପରାକୁ ଭୁଲିଯିବେ ନାହିଁ।

ଓଡ଼ିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାର ହାଣ୍ଡିଶାଳାର ବାସ୍ନା ଚଖାଇବାକୁ ଦେବାଶିଷ ବାବୁଙ୍କ ‘ଡାଲମା’ ସବୁବେଳେ ତୟାର। ଏହାକୁ ସଫଳ କରିବା ପାଇଁ ଡାଲମା ପକ୍ଷରୁ ବିଭିନ୍ନ ପର୍ବପର୍ବାଣୀ ଅବସରରେ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି। “ଖାଦ୍ୟ ହେଉଛି କୌଣସି ସଂସ୍କୃତିର ଏକ ବଡ଼ ପରିଚୟ। ତେଣୁ ବିଦେଶୀ ପର୍ଯ୍ୟଟକମାନେ ଯଦି ଓଡ଼ିଆ ଖାଦ୍ୟର ସ୍ୱାଦ ପାଇ ହାତ ଚାଟିଲେ ତେବେ ଓଡ଼ିଶା ପର୍ଯ୍ୟଟନ ପାଇଁ ଏହା ବୋଧହୁଏ ଅନ୍ୟତମ ସଫଳତା ହେବ”, ଓଡ଼ିଶାଲାଇଭ୍‍ର ପ୍ରତିନିଧି ସତ୍ୟବ୍ରତ ପାଢୀଙ୍କ ସହ କଥାବାର୍ତ୍ତା ବେଳେ ତାଙ୍କ ଭାବନାକୁ ବ୍ୟକ୍ତ କରିଥିଲେ ଦେବାଶିଷ ପଟ୍ଟନାୟକ।

(ସତ୍ୟବ୍ରତ ଓଡ଼ିଶାଲାଇଭ୍‌ର ରିପୋର୍ଟର ଭାବେ କାର୍ଯ୍ୟରତ)

LEAVE A REPLY

Please enter your comment!
Please enter your name here