ଓଡ଼ିଶାଲାଇଭ ବ୍ୟୁରୋ

କାଫେ କଫି ଡେ’ର ପ୍ରତିଷ୍ଠାତା ସଫଳ ଭାରତୀୟ ଉଦ୍ୟୋଗୀ ଭି ଜି ସିଦ୍ଧାର୍ଥଙ୍କୁ ମନେପକାଉଛନ୍ତି ଓଡ଼ିଶାର ଶିଳ୍ପଦ୍ୟୋଗୀ ତଥା ଟାଇ ଭୁବନେଶ୍ୱର ଚାପ୍ଟରର ସଭାପତି ଦେବୁ ପଟ୍ଟନାୟକ।

“ଚା’ ପ୍ରିୟ ଲୋକଙ୍କୁ କଫି ପିଆଇବା ସହଜ ନୁହେଁ। ତାହା ପୁଣି ୮ହଜାରରୁ ଅଧିକ ଆଉଟଲେଟରେ। ତେବେ ଏହାକୁ ସଫଳ କରି ଦେଖାଇଥିଲେ ଭିଜି ସିଦ୍ଧାର୍ଥ। ଏଥିରୁ ପ୍ରମାଣିତ ହେଉଛି ଯେ ଭିଜି ସିଦ୍ଧାର୍ଥ ହେଉଛନ୍ତି ଜଣେ ସଫଳ ବିଜନେସମ୍ୟାନ” କହିଛନ୍ତି ଓଡ଼ିଶାର ଜଣେ ସଫଳ ଶିଳ୍ପଦ୍ୟୋଗୀ ତଥା ହୋଟେଲ କ୍ରାଉନ ତଥା ଡାଲ୍‌ମାର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ।

ଜୁଲାଇ ୩୧ ତାରିଖରେ ମାଙ୍ଗାଲୁରୁ ନିକଟ ନେତ୍ରାବତୀ ବ୍ରିଜରୁ ନିଖୋଜ ହୋଇଯାଇଥିଲେ ସିସିଡି ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ। ଅଗଷ୍ଟ ୧ରେ ନେତ୍ରାବତୀ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ସ୍ପଷ୍ଟ ହୋଇଥିଲା ଯେ ସେ ଆତ୍ମହତ୍ୟା କରିଛନ୍ତି।

ଭି ଜି ସିଦ୍ଧାର୍ଥଙ୍କ ଭଳି ଜଣେ ସଫଳ ଉଦ୍ୟୋଗୀ ଋଣ ବୋଝ ଯୋଗୁଁ ଆତ୍ମହତ୍ୟା କରିବା ସମସ୍ତଙ୍କୁ ଚକିତ କରିଥିଲା।

ପ୍ରାୟ ୫୦ ହଜାର ଲୋକଙ୍କୁ ରୋଜଗାର ଦେଇ ଭାରତରେ ଯୁବ ଶିଳ୍ପଦ୍ୟୋଗୀଙ୍କ ପାଇଁ ପ୍ରେରଣା ପାଲଟିଥିବା ଭି ଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁନି ଭାରତୀୟ ଶିଳ୍ପ ଜଗତ।

ଭି ଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ପ୍ରଭାବ ଭାରତୀୟ ଉଦ୍ୟୋଗ ଜଗତରେ ପଡ଼ିବ କି ନାହିଁ ତାହା ଜାଣିବା ପାଇଁ ଓଡ଼ିଶାଲାଇଭ ଟିମ୍ ପହଞ୍ଚିଥିଲା ଓଡ଼ିଶାର ଉଦ୍ୟୋଗପତି ତଥା କ୍ରାଉନ ହୋଟେଲର ପ୍ରତିଷ୍ଠାତା ଦେବାଶିଷ ପଟ୍ଟନାୟକଙ୍କ ପାଖରେ।

ଭିଜି ସିଦ୍ଧାର୍ଥଙ୍କ ସଫଳତାର କାହାଣୀକୁ ମନେ ପକାଇ ଦେବାଶିଷ ପଟ୍ଟନାୟକ କହିଥିଲେ, “କେବଳ କଫିର ମାର୍କେଟିଂ ଓ ସେଲିଂରେ ନୁହେଁ, ସେ ଭାରତୀୟ ଉଦ୍ୟୋଗ ଜଗତରେ ଆଇଟି, ରିୟଲିଷ୍ଟେଟ, ଫାଇନାନ୍ସିଆଲ ମାର୍କେଟ ଭଲି ଅନେକ ଗୁରୁତ୍ଵପୂର୍ଣ୍ଣ ବିଭାଗରେ କ୍ରମାଗତ ଭାବେ ପୁଞ୍ଜିନିବେଶ କରିଥିଲେ। ସେ ସଫଳତାର ଏତେ ଶୀର୍ଷରେ ଥାଇ ମଧ୍ୟ ସାମାନ୍ୟ କ୍ଷତିରେ ଭାଙ୍ଗି ପଡ଼ିବା ଭଳି ବ୍ୟକ୍ତି ନୁହନ୍ତି। ମୋର ମନେହେଉଛି ତାଙ୍କ ଆତ୍ମହତ୍ୟା ପଛରେ ଅନେକ ରହସ୍ୟ ରହିଛି। ତଦନ୍ତ ପରେ ସତ ଘଟଣା ସାମ୍ନାକୁ ଆସିପାରେ।“

ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ବିଷୟରେ ସେ କହିଥିଲେ, “ଆତ୍ମହତ୍ୟା ପୂର୍ବରୁ ସେ ଲେଖିଥିବା ଚିଠିରେ ଅନେକ କଥା ଲେଖିବାକୁ ଚାହିଁ ମଧ୍ୟ ଲେଖିପାରି ନଥିଲେ। ଥରେ ଚିନ୍ତା କରି ଦେଖନ୍ତୁ ଉଦ୍ୟୋଗ କ୍ଷେତ୍ରରେ ୩୫ବର୍ଷର ସଫଳତା ପରେ ଏତେ ସାମାନ୍ୟ କଥାରୁ କେହି ଆତ୍ମହତ୍ୟା କରିବା ଯୁକ୍ତିଯୁକ୍ତ କି? ୨୦୧୬ ପର୍ଯ୍ୟନ୍ତ ଉଦ୍ୟୋଗ ଜଗତରେ ସେ ଆଗଧାଡ଼ିର ତାରକା ଥିଲେ। ଏହାପରଠୁ ତାଙ୍କୁ ସାମାନ୍ୟ କ୍ଷତି ସହିବାକୁ ପଡ଼ିଥିଲା। ହେଲେ ଏଭଳି ସ୍ଥିତି ଉପୁଜିନଥିଲା ଯେ ସେ ଆତ୍ମହତ୍ୟା କରିବେ।“

ସେ ଆହୁରି ମଧ୍ୟ କହିଥିଲେ “ସିଦ୍ଧାର୍ଥ ଜଣେ ଦକ୍ଷ ଓ ସାହସୀ ଉଦ୍ୟୋଗପତି ଥିଲେ। ମୋ ମତରେ ତାଙ୍କ ମୃତ୍ୟୁ ଭାରତୀୟ ଉଦ୍ୟୋଗ ଜଗତକୁ ପ୍ରଭାବିତ କରିବା ସହ ଯୁବ ଉଦ୍ୟୋଗୀଙ୍କୁ ମଧ୍ୟ ପ୍ରଭାବିତ କରିବ।“

Comment