ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୃଥିବୀର କନିଷ୍ଠ ମାରାଥନ ଦୌଡ଼ାଳି ‘ବୁଦ୍ଧିଆ ସିଂ ବର୍ଣ୍ଣ ଟୁ ରନ୍‍’ ମାଧ୍ୟମରେ ଓଡ଼ିଆ କାହାଣୀକାର ତଥା ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀ ନିଜ ଉଜ୍ଜ୍ୱଳ ପ୍ରତିଭାର ପରିଚୟ ଦେଇଛନ୍ତି। ଏହି ସିନେମା ୬୩ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ବିଭାଗରେ ସମ୍ମାନ ମଧ୍ୟ ହାତେଇଥିଲା। ଏତଦ୍‌ବ୍ୟତୀତ ବିଦେଶରେ ସ୍କ୍ରିନିଂ ସମୟରେ ଦକ୍ଷ ନିର୍ଦ୍ଦେଶକ ଭାବେ ଶ୍ରୀଯୁକ୍ତ ପାଢ଼ୀ ଉଚ୍ଚ ପ୍ରଶଂସିତ ମଧ୍ୟ ହୋ‍ଇଛନ୍ତି। ମୁମ୍ବାଇସ୍ଥିତ ଶ୍ରୀ ପାଢ଼ୀଙ୍କ ସହ ଭୁବନେଶ୍ୱର ଏକ ସାକ୍ଷାତକାରର କିଛି ଅଂଶ –

ଓଡ଼ିଶାଲାଇଭ୍‍: ଆପଣଙ୍କର ପ୍ରଥମ ଚଳଚ୍ଚିତ୍ର ବୁଦ୍ଧିଆ ଉପରେ କରିବାକୁ କାହିଁକି ସ୍ଥିର କଲେ?

ସୌମେନ୍ଦ୍ର: ଶିଶୁମାନଙ୍କ ମଧ୍ୟରେ ଥିବା ବିସ୍ମୟ ପ୍ରତିଭା ମୋତେ ସର୍ବଦା ଆକର୍ଷିତ କରେ। ସିନେମା ନିର୍ମାଣ ବିଷୟରେ ସ୍ଥିର କରିବା ପରେ ଦେଶରେ ସମୟ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ଅନେକ ଅତ୍ୟାଶ୍ଚର୍ଯ୍ୟ ପ୍ରତିଭାସମ୍ପନ୍ନ ପିଲାମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରେ। ସେହି ସମୟରେ ଜାଣିବାକୁ ପାଇଲି ଓଡ଼ିଶାର ପ୍ରତିଭାସମ୍ପନ୍ନ ଦୌଡ଼ାଳି ବୁଦ୍ଧିଆର କାହାଣୀ ଦେଶର ଅନ୍ୟ ଅଞ୍ଚଳରେ ପ୍ରାୟତଃ କେହି ଜାଣିନାହାନ୍ତି। ତା’ପରେ ସେହି ବିଷୟ ଉପରେ କାହାଣୀ ଲେଖିବା ଆରମ୍ଭ କଲି।

ଓଡ଼ିଶାଲାଇଭ୍‍: ଏହି ସିନେମା ପରଦା ଉପରକୁ ଆସିବା ପାଇଁ କେତେ ବର୍ଷ ଲାଗିଥିଲା?

ସୌମେନ୍ଦ୍ର: ପ୍ରାୟ ପାଞ୍ଚ ବର୍ଷ ଲାଗିଥିଲା ଏହି ସିନେମା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ। ୨୦୧୧ ମସିହାରେ ଏହାର କାହାଣୀ ଲେଖିବା ପରେ ମୁଁ ‘କୋଡ୍‌ ରେଡ୍‌ ଫିଲ୍ମସ୍‌’ର ସହାୟତା ଲୋଡ଼ିଥିଲି। ତା’ପରେ ଆମେ ଏହି ସିନେମାର ମୁଖ୍ୟ ଚରିତ୍ର ପାଇଁ ବିଭିନ୍ନ ଅଭିନେତାଙ୍କୁ ଅନୁରୋଧ କରିଥିଲୁ।

ଓଡ଼ିଶାଲାଇଭ୍‍: ସିନେମାରେ ମନୋଜ ବାଜପେୟୀଙ୍କୁ ବିରଞ୍ଚିର ଚରିତ୍ର କରିବାକୁ ରାଜି କରାଇବା କେତେ କଷ୍ଟସାଧ୍ୟ ଥିଲା?

ସୌମେନ୍ଦ୍ର: ନା, ସେଥିପାଇଁ କଷ୍ଟ ହୋ‍ଇନଥିଲା। ଶ୍ରୀଯୁକ୍ତ ବାଜପେୟୀ କାହାଣୀ ପଢିବା ପରେ ଏହି ଚରିତ୍ର କରିବା ପାଇଁ ଉତ୍ସାହ ଦେଖାଇଥିଲେ। ବୁଦ୍ଧିଆର କାହାଣୀ ସମ୍ବନ୍ଧରେ ସେ ଅବଗତ ଥିଲେ। ତା’ପରେ ବୁଦ୍ଧିଆ ସମ୍ବନ୍ଧରେ ପ୍ରାମାଣିକ ଚିତ୍ର ଦେଖି ତଥା ସମ୍ବାଦପତ୍ରର ଖବର ପଢ଼ି ସେ ଦରକାର ମୁତାବକ ବିରଞ୍ଚିର ଚରିତ୍ର ମଧ୍ୟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଖାପଖୁଆଇ ନେଇଥିଲେ।

ଓଡ଼ିଶାଲାଇଭ୍‍: ବର୍ତ୍ତମାନ ସମୟରେ ବଲିଉଡ୍‌ରେ ଅନେକ ବାୟୋପିକ୍‌ ହେଉଛି। ସେଗୁଡ଼ିକ କେତେ ବାସ୍ତବବାଦୀ?

ସୌମେନ୍ଦ୍ର: ବାୟୋପିକ୍‌ଗୁଡ଼ିକ ସମ୍ପୂର୍ଣ୍ଣ ବାସ୍ତବବାଦୀ ବୋଲି କୁହାଯାଇପାରିବ ନାହିଁ। ଏଗୁଡ଼ିକ ସହ ଷ୍ଟାର୍‌ମାନଙ୍କୁ ଯୋଡ଼ି ଏହାକୁ ଆକର୍ଷଣୀୟ କରାଯାଇଛି। ସମ୍ପୂର୍ଣ୍ଣରୂପେ ବାସ୍ତବବାଦୀ କରି ପରିବେଷଣ କଲେ ଏଥିରୁ ଖର୍ଚ୍ଚ ଉଠିବା ମଧ୍ୟ ସମ୍ଭବ ହେବ ନାହିଁ। ପ୍ରିୟଙ୍କା ଚୋପ୍ରା ନଥିଲେ ‘ମ୍ୟାରିକମ୍‌’ ସିନେମା ଏତେ ଲୋକପ୍ରିୟ ହୋ‌ଇପାରିନଥା’ନ୍ତା। ସେହିପରି ‘ଦଙ୍ଗଲ୍‌’, ‘ଏମ୍‌.ଏସ୍‌.ଧୋନି – ଦ ଅନ୍‌ଟୋଲ୍‌ଡ୍‌ ଷ୍ଟୋରି’ ସହ ବଲିଉଡ୍‌ର ଷ୍ଟାର୍‌ ଯୋଡ଼ି ହୋ‍ଇ ନଥିଲେ ଅଥବା ଆକର୍ଷଣୀୟ କରି ପରିବେଷଣ ନ କରିଥିଲେ ଏହି ସିନେମାଟି ତିଆରି କରିବା ମଧ୍ୟ ସମ୍ଭବ ହୋ‌ଇନଥା’ନ୍ତା।

ଓଡ଼ିଶାଲାଇଭ୍‍: ଆପଣ ପ୍ରଥମ ସିନେମାରେ ହିଁ ସଫଳତା ହାସଲ କରିସାରିଛନ୍ତି। ଭବିଷ୍ୟତର ଯୋଜନା କ’ଣ?

ସୌମେନ୍ଦ୍ର: ଗୋଟିଏ ସିନେମା ଭଲ କରିଦେଲେ କ୍ୟାରିଅର ଦୃଢ ହୋ‌ଇଯାଏ ନାହିଁ। ସିନେଜଗତରେ ନିଜର ପ୍ରତିଷ୍ଠା ପାଇଁ ପ୍ରଥମ ୨/୩ଟି ସିନେମା ସଫଳ ହେବା ଆବଶ୍ୟକ। କିଛି ସିନେମାର ଅଫର ତ ଆସୁଛି। ହେଲେ କେଉଁଠି ଏବେ ଯାଏଁ ଫାଇନାଲ୍‌ ହୋ‌ଇନାହିଁ।

ଓଡ଼ିଶାଲାଇଭ୍‍: ବର୍ତ୍ତମାନ ସମୟର ଓଡ଼ିଆ ସିନେମା ସମ୍ବନ୍ଧରେ କ’ଣ କହିବେ?

ସୌମେନ୍ଦ୍ର: ବହୁ ବର୍ଷ ହେଲାଣି ମୁଁ ଓଡ଼ିଆ ସିନେମା ଦେଖିନାହିଁ। ଆମ ରାଜ୍ୟରେ ଉଚ୍ଚକୋଟୀର ସାହିତ୍ୟ ଓ ସଂସ୍କୃତି ରହିଛି। ଓଡ଼ିଆ ଭାଷାରେ ମୋର ପାରଦର୍ଶିତା ନଥିବାରୁ ଓଡ଼ିଆ ସିନେମା ତିଆରି କରିବାରେ ବର୍ତ୍ତମାନ ନିଜକୁ ଯୋଗ୍ୟ ମନେ କରୁନାହିଁ।

Comment