ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୦ ବର୍ଷ ପରେ ଜେଲ୍‌ରୁ ବାହାରିବେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଏବଂ ହତ୍ୟା ଧମକ ମାମଲାରେ ଓଡ଼ିଶା ହାଇକୋର୍ଟ ରାଜାଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି। ୫୦ ହଜାର ଟଙ୍କା ଏବଂ ଦୁଇ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ଜାମିନ୍ ଦେଇଛନ୍ତି। ଏହାଛଡ଼ା ପ୍ରତି ସପ୍ତାହରେ ଲିଙ୍ଗରାଜ ଥାନାରେ ହାଜିରା ଦେବେ ରାଜା। ଅନ୍ୟ କୌଣସି ଅପରାଧିକ ମାମଲାରେ ଯେପରି ସଂପୃକ୍ତ ନହେବେ ସେନେଇ ଜାମିନ୍‌ରେ ସର୍ତ୍ତ ରହିଛି। ବର୍ତ୍ତମାନ ରାଜା ଝାରପଡ଼ା ସ୍ୱତନ୍ତ୍ର ଜେଲ୍‌ରେ ଅଛନ୍ତି।

୨୦୧୭ ମାର୍ଚ୍ଚ ମାସରେ ରାଜା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ କୋର୍ଟରେ ଜାମିନ୍ ଆବେଦନ କରିଥିଲେ। ହେଲେ କୋର୍ଟ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ। ପରେ ରାଜା ଆଚାର୍ଯ୍ୟଙ୍କ ଓକିଲ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ।

ପୂର୍ବରୁ ଜୁଡୋ କୋଚ୍ ବିରଞ୍ଚି ଦାସ ହତ୍ୟା ମାମଲାରେ ରାଜାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା। ଏହାକୁ ନେଇ ରାଜା ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟରୁ ଏହି ମାମଲାରେ ରାଜା ବେଲ୍ ପାଇଥିଲେ। ତେବେ ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଓ ହତ୍ୟା ଧମକ ମାମଲାରେ ରାଜାଙ୍କୁ ବେଲ୍ ମିଳି ନଥିଲା। ଓଡ଼ିଶା ହାଇକୋର୍ଟରୁ ବେଲ୍ ମିଳି ଥିବାରୁ କୋର୍ଟରୁ ବାହାରିବାର ବହୁତ ସମ୍ଭାବନା ରହିଛି।

ରାଜାଙ୍କୁ ଜାମିନ୍ ମିଳିବା କଥା ଜଣାପଡ଼ିବା ପରେ ଚିନ୍ତାରେ ପଡ଼ିଛନ୍ତି ଜୁଡୋ କୋଚ ବିରଞ୍ଚି ଦାସଙ୍କ ସ୍ତ୍ରୀ ଗୀତାଞ୍ଜଳି। ନିଜ  ଏବଂ ନିଜ ପରିବାର ପ୍ରତି ବିପଦ ରହିଥିବା ଆଶଙ୍କା କରି ସୁରକ୍ଷା ପାଇଁ ପୋଲିସ କମିଶନରଙ୍କ ନିକଟରେ ନିବେଦନ କରିବେ ବୋଲି କହିଛନ୍ତି।

Comment