ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଟାଉନ୍ ଥାନା ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ରାୟଗଡ଼ା ସହରର ସାଇପ୍ରିୟା ନଗର ଅଞ୍ଚଳରେ ତିନୋଟି ସ୍ଥାନରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଗୁଟ୍‌ଖା ଜବତ କରିଛି। ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଗୁଟ୍‌ଖା କାରବାର ନେଇ ରାୟଗଡ଼ା ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କୁ ସୂଚନା ମିଳିଥିଲା। ତାଙ୍କ ନିର୍ଦ୍ଦେଶ କ୍ରମେ ରବିବାର ସନ୍ଧ୍ୟାରେ ଏସ୍‌ଆଇ ଶିବଶଙ୍କର ସାହୁ, ମାନସ ରଞ୍ଜନ ସାହୁ ଓ ଜୟସ୍ମିତା ବେହେରା ସାଇପ୍ରିୟା ନଗର ଅଞ୍ଚଳର ତିନୋଟି ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଗୁଟ୍‌ଖା ଜବତ କରିଥିଲେ।

ଏଥିସହ ଗୁଟ୍‌ଖା କାରବାରର କିଙ୍ଗପିନ୍ ଆଇ.ରବି କୁମାରକୁ ପୋଲିସ ଗିରଫ କରିଛି। ଜବତ ଗୁଟ୍‌ଖାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ରାୟଗଡ଼ା ଏସ୍‌ପି ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ତେବେ ଏହି ଗୁଟ୍‌ଖା କାରବାରରେ ଆଉ କିଏ ସାମିଲ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

Comment