ଓଡ଼ିଶାଲାଇଭ୍ ବ୍ୟୁରୋ

  • ମିଳିଲା ୧୬ ମାଉଜର୍‌, ୧୦୯୫ ଗୁଳି
  • ୮ ଅଭିଯୁକ୍ତ ଗିରଫ
  • ଜେଲ୍ ଭିତରୁ ଅପରେଟ୍ ହେଉଥିଲା ବନ୍ଧୁକ କାରବାର

ଧଳସାମନ୍ତ ଦୁଇ ଭାଇଙ୍କ ଅପରାଧ ସାମ୍ରାଜ୍ୟ‌ର ଖୋଳତାଡ଼ର ଦ୍ୱିତୀୟ ଦଫାରେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ମିଳିଛି। ଡି’ ଲିଙ୍କରେ ଶନିବାର କମିସନରେଟ୍ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ୧,୦୯୫ ଗୁଳି ସମେତ ୧୬ଟି ମାଉଜର୍ ଜବତ ହୋଇଛି। ଏହି ମାମଲାରେ ଧଳସାମନ୍ତ ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରାଯିବ ବୋଲି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଶୁକ୍ରବାର ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ସେଖ୍ ବଜାରର ବାବୁଆ ଓରଫ ପ୍ରକାଶ ବେହେରା(୪୧) ଓ ସାଗର ବେହେରା(୨୬), ଦେଉଳସାହିର ବୁଧିଆ ଓରଫ ଶରତ ସେଠୀ(୪୪) ଓ ପପୁ ଓରଫ ଶେଷଦେବ ଦାସ(୩୮), ଜଗତସିଂହପୁର ବାଲିକୁଦାର ସମୀର କୁମାର ନାୟକ(୩୯), ଶିବ ନାୟକ(୩୦), ରିଙ୍କୁ ସାହୁ(୨୯) ଏବଂ ନିଆଳିର ଚଗ ଓରଫ ବିବେକାନନ୍ଦ ସାହୁ(୪୧)। ସେହିପରି ଡି’ ହାଉସ୍ ଓ ଗିରଫ ଅଭିଯୁକ୍ତଙ୍କଠାରୁ ମୋଟ୍ ୧୬ଟି ମାଉଜର, ୧,୦୯୫ ରାଉଣ୍ଡ ଗୁଳି, ୨୪ଟି ମାଗାଜିନ୍‌, ୧୬ଟି ମୋବାଇଲ୍ ଫୋନ୍ ଓ ୪ଟି ବାଇକ୍ ଜବତ ହୋଇଛି।ବିରୂପା ବ୍ୟାରେଜ୍ ଉପରେ ଜଣେ ବେପାରୀ ବେଆଇନ ଭାବେ ବନ୍ଧୁକ ବିକ୍ରି କରୁଥିବା ନେଇ ଗୁରୁବାର ସନ୍ଧ୍ୟାରେ ଚୌଦ୍ୱାର ଥାନା ପୋଲିସକୁ ଖବର ମିଳିଥିଲା। ସେଠାରେ ପୋଲିସ ଟିମ୍ ଚଢ଼ାଉ କରି ଅଭିଯୁକ୍ତ ପ୍ରକାଶ ବେହେରାକୁ ଧରିବାରେ ସଫଳ ହୋଇଥିଲା। ତା’ ନିକଟରୁ ୨ଟି ମାଉଜର ଓ ୧୦ଟି ଗୁଳି ଜବତ ହୋଇଥିଲା। ଏହାର କିଛି ସମୟ ପରେ ଅନ୍ୟତମ ଅଭିଯୁକ୍ତ ବୁଧିଆ ଓରଫ ଶରତ ସେଠୀ ଆସି ଘଟଣାସ୍ଥଳରେ ପହଞ୍ଚିବାରୁ ପୋଲିସ ତାକୁ ମଧ୍ୟ କାବୁ କରି ନେଇଥିଲା। ତେବେ ଦୀର୍ଘ ୫ ବର୍ଷ ହେବ ପ୍ରକାଶ ବେହେରା ତାଙ୍କୁ ରୀତିମତ ଭାବେ ବନ୍ଧୁକ ଯୋଗାଇ ଆସୁଥିବା ବୁଧିଆ ପୋଲିସକୁ ସୂଚନା ଦେଇଥିଲା। ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ନିର୍ଦ୍ଦେଶରେ ପ୍ରକାଶ ଏହି ବନ୍ଧୁକ ବିକ୍ରି କରୁଥିଲା।

୨୦୧୬ ମସିହାରେ ଧଳସାମନ୍ତ ଭ୍ରାତା ଗିରଫ ହେବା ପୂର୍ବରୁ ଡି’ ହାଉସ୍ ଭିତରେ ଏକ କାଠ କପ୍ ବୋର୍ଡ ଭିତରେ ପ୍ରଚୁର ପରିମାଣରେ ବନ୍ଧୁକ ଓ ଗୁଳି ଲୁଚାଇ ରଖିଥିଲେ। ଏହି ବନ୍ଧୁକ ଓ ଗୁଳିରୁ କିଛି କିଛି କରି ପ୍ରକାଶ ଡି’ ହାଉସ୍‌ରୁ ବାହାର କରି ବିକ୍ରି କରୁଥିଲା। ଏଥିପାଇଁ ଧଳସାମନ୍ତ ଭାତ୍ରା ଫୋନ୍ ଯୋଗେ ପ୍ରକାଶକୁ ନିର୍ଦ୍ଦେଶ ଦେଉଥିଲେ। କାହାକୁ ଓ କେତେ ଟଙ୍କାରେ ବନ୍ଧୁକ ଓ ଗୁଳି ବିକ୍ରି ହେବ ତାହା ଧଳସାମନ୍ତ ଭ୍ରାତା ସ୍ଥିର କରୁଥିଲେ। ବନ୍ଧୁକ ବିକ୍ରି ପରେ ମିଳୁଥିବା ପ୍ରଚୁର ପରିମାଣର ଅର୍ଥ ଡି’ ବ୍ରଦର୍ସଙ୍କ ଇଙ୍ଗିତରେ ତାଙ୍କ ସହଯୋଗୀଙ୍କ ପାଖରେ ପହଞ୍ଚି ଯାଉଥିଲା। ଯାହାକୁ ପରବର୍ତ୍ତୀ ସମୟରେ ଡି’ ବ୍ରଦର୍ସ ନିଜ କାମରେ ଲଗାଉଥିଲେ।ଡି’ ବ୍ରଦର୍ସ ୨୦୧୬ ମସିହାରେ ଗିରଫ ହେବା ପରେ ସେହି ଲିଙ୍କରେ ପ୍ରକାଶ ମଧ୍ୟ ଗିରଫ ହୋଇଥିଲା। ମାତ୍ର ସେ ଜାମିନରେ ଆସିବା ପରେ ତାର ବନ୍ଧୁକ ବେପାର ଜାରି ରଖିଥିଲା। ଜେରା ବେଳେ ସେ ବହୁ ଅପରାଧୀଙ୍କ ନାଁ ନେଇଛି। ଯେଉଁମାନଙ୍କୁ ସେ ଗତ ୫ ବର୍ଷ ମଧ୍ୟରେ ବନ୍ଧୁକ ବିକିଛି ସେମାନଙ୍କ ନାଁ ପୋଲିସ ଆଗରେ କହିବା ପରେ ଏକାଧିକ ଟିମ୍ ଗଢ଼ି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ପୋଲିସ ୬ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୬ଟି ମାଉଜର ମଧ୍ୟ ଜବତ କରିଛି।

ଅନ୍ୟପଟେ ଗତକାଲି ଡି’ ହାଉସ୍‌ରେ ଚଢ଼ାଉ ବେଳେ ୮ଟି ମାଉଜରକୁ ପୋଲିସ ଜବତ କରିଥିଲା। ସେଠାରୁ ୧ ହଜାରରୁ ଅଧିକ ରାଉଣ୍ଡ ଗୁଳି ମଧ୍ୟ ଜବତ ହୋଇଥିଲା। ମୋଟାମୋଟି ଭାବେ ଡି’ ହାଉସ୍ ଓ ଗିରଫ ଅଭିଯୁକ୍ତଙ୍କଠାରୁ ୧୬ଟି ମାଉଜର ସହିତ ୧୦୯୫ ରାଉଣ୍ଡ ଗୁଳି ଜବତ ହୋଇଥିବା ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଡି’ ବ୍ରଦର୍ସ ତାଙ୍କ ସିଡିଏ ସ୍ଥିତ ଘରକୁ ଗୁଳିଗୋଳାର ଏକ ଗୋଦାମ କରି ରଖିଥିଲେ। ସେଠାକୁ ବହୁ ସମୟରେ ବିହାର ମୁଙ୍ଗେରରୁ ଆସୁଥିବା ବନ୍ଧୁକ ଓ ଗୁଳି ଷ୍ଟକ୍ ରହୁଥିଲା। ପରେ ତାହାକୁ ପ୍ରକାଶ ଜରିଆରେ ରାଜ୍ୟ ତମାମ୍ ଅପରାଧୀଙ୍କୁ ବିକ୍ରି କରାଯାଉଥିବା ବିଷୟ କମିସନର ସୂଚନା ଦେଇଛନ୍ତି। ତେଣୁ ଏହି ଘଟଣା ନେଇ ଅଧିକ ଖୋଳତାଡ଼ କରିବାକୁ ଏବେ କଟକ ପୋଲିସ ନିଷ୍ପତ୍ତି ନେଇଛି। ଏହି ଅନୁସାରେ, ଖୁବ୍ ଶୀଘ୍ର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ସ୍ଥିର ହୋଇଛି। ଏଥିପାଇଁ ଆସନ୍ତା ସପ୍ତାହରେ କୋର୍ଟଙ୍କ ନିକଟରେ ଆବେଦନ କରାଯିବ ବୋଲି ଡକ୍ଟର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Comment