ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ଅନ୍ଧାରୁଆ ଦାସପୁର ରାସ୍ତାକଡ଼ରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ଶବର ଠିକଣା ପାଇଛି ପୋଲିସ। ୮ଦିନର ବ୍ୟବଧାନ ପରେ ପୋଲିସକୁ ମିଳିଛି ସଫଳତା। ଏନେଇ ଗୁରୁବାର ଅପରାହ୍‌ଣରେ କମିସନରେଟ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବ।

ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ଚନ୍ଦକା ଅଞ୍ଚଳରୁ ଗତ ଫେବ୍ରୁଆରି ୪ ତାରିଖରେ ଏକ ମୁଣ୍ଡ ନଥିବା ମହିଳାଙ୍କ ମୃତଦେହ ମିଳିଥିଲା। ଘଟଣାସ୍ଥଳରେ ତାଙ୍କର କଟାମୁଣ୍ଡ ନଥିବା ବେଳେ ତାଙ୍କ ଡାହାଣ ହାତରେ ଏକ ତ୍ରୀଶୁଳ ଚିହ୍ନ ରହିଛି। ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହୋଇଥିବ ବୋଲି ପୋଲିସ ଆକଳନ କରିଛି। ତେବେ ମହିଳା ଜଣକ କିଏ, ତାଙ୍କୁ କିଏ ହତ୍ୟା କରିଛି, କଣ ପାଇଁ ହତ୍ୟା କରାଯାଇଛି ଆଦି ରହସ୍ୟର ଉନ୍ମୋଚନ ପାଇଁ କମିସନରେଟ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଥିଲା।

ମୁଣ୍ଡବିହୀନ ଶବକୁ ଚିହ୍ନଟ କରିବାରେ ପୋଲିସକୁ ସାହାଯ୍ୟ କଲେ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ଦିଆଯିବ ବୋଲି କମିସନରେଟ ପୋଲିସ ଘୋଷଣା କରିଥିଲା। ଏଥି ସହିତ ମହିଳାଙ୍କ ପରିଚୟ ଖୋଜିବା ପାଇଁ ଭୁବନେଶ୍ଵରର ଚାରିଆଡେ଼ ନିଖୋଜ ସମ୍ପର୍କିତ ପୋଷ୍ଟର ଲଗାଇଥିଲା ପୋଲିସ। ଏହି ପୋଷ୍ଟରଗୁଡ଼ିକ ଓଡ଼ିଆ, ଇଂରାଜୀ, ହିନ୍ଦୀ ଭାଷାରେ ଲେଖା ହୋଇଥିଲା। ପୋଷ୍ଟରରେ ମହିଳାଙ୍କ ହାତରେ ଥିବା ଚିତା କୁଟାର ଚିହ୍ନ ସହ, ତାଙ୍କ ଉଚ୍ଚତା ଓ ବୟସ ମଧ୍ୟ ଲେଖାଯାଇଥିଲା।

ଏଥି ମଧ୍ୟରେ ମହିଳାଜଣକ ଯାଜପୁର ବରୀ ଅଞ୍ଚଳର ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲା ବେଳେ ଆଜି ସାମ୍ଵାଦିକ ସମ୍ମିଳନୀ ପରେ ମୃତକ ମହିଳା ଜଣକ କିଏ ତାହା ଜଣା ପଡ଼ିବ।

Comment