ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୂଇଁପୁର, ବନ୍ଧସାହି ଗ୍ରାମର ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣାରେ ୮୫ ବର୍ଷୀୟ ଜଣେ ବୃଦ୍ଧ ଗିରଫ ହୋଇଛନ୍ତି। ଶିଶୁକନ୍ୟାର ମା’ ଆଳି ଥାନାରେ ଅଭିଯୋଗ କରିବା ପରେ ସୋମବାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ବନ୍ଧସାହି ଗ୍ରାମର ୮୫ ବର୍ଷ ବୟସ୍କ ସୁନାକର ପାତ୍ର ଗତ ୨୩ ତାରିଖରେ ଶିଶୁକନ୍ୟାଟିକୁ ଟେକିନେଇ ତାଙ୍କ ଦୋକାନ କ୍ୟାବିନ ଭିତରେ ଦୀର୍ଘ ସମୟ କବାଟ ବନ୍ଦ କରି ରଖିଥିଲେ। ଏହା ଜାଣିବା ପରେ ଶିଶୁକନ୍ୟାର ମା’ ସୁନାକରଙ୍କ ଦୋକାନ ନିକଟକୁ ଯାଇଥିଲେ। କିନ୍ତୁ କ୍ୟାବିନ ସାମ୍ନାରେ ତାଙ୍କ ଝିଅ ସଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଝିଅର ଶରୀରର ସମ୍ବେଦନଶୀଳ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ଚେତା ଫେରିବା ପରେ ଝିଅଟି ମା’ଙ୍କ ଆଗରେ ସବୁ କଥା କହିଥିଲା।ଏ ସମ୍ପର୍କରେ ସୁନାକରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଓଲଟା ସୁନାକରଙ୍କ ପୁଅ ମହିଳାଜଣଙ୍କୁ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ସୁନାକରଙ୍କ ପରିବାର ଲୋକେ ସଂଘବଦ୍ଧ ଭାବେ ନାନା ଧମକ ଚମକ ଦେଇ ତାଙ୍କୁ ଥାନାକୁ ନ ଛାଡ଼ି ନଜରବନ୍ଦୀରେ ରଖିଥିଲେ। ମାମଲା ନକରିବାକୁ ଟଙ୍କା ମଧ୍ୟ ଯାଚିଥିଲେ।

ଅନ୍ୟପଟେ ମହିଳାଙ୍କ ସ୍ଵାମୀ ବାହାର ରାଜ୍ୟରେ ରହୁଥିବାବେଳେ ତାଙ୍କ ଘରେ ଆଉ କେହି ପୁରୁଷ ଲୋକ ନାହାନ୍ତି। ତେଣୁ ସ୍ଵାମୀଙ୍କ ସହିତ ଆଲୋଚନା କରିବା ପରେ ଶନିବାର ଝିଅର ମା’ ଗାଁରୁ ଲୁଚିଛପି ଆସି ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ଆଳି ଥାନାରେ ଅଭିଯୋଗ କରିଥିଲେ।

ଏହି ମାମଲାରେ ଆଳି ପୋଲିସ ଅଭିଯୁକ୍ତ ସୁନାକର ପାତ୍ରଙ୍କୁ ସୋମବାର ସକାଳେ ଗିରଫ କରିଥିବା ତଦନ୍ତ ଅଧିକାରୀ ପ୍ରଦୋଷ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହାପରେ ସୁନାକର ଓ ପୀଡ଼ିତା ଶିଶୁକନ୍ୟାର ଡାକ୍ତରୀମାଇନା କରାଯାଇଥିବା ସୂଚନା ମିଳିଛି।

Comment