ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପୈତୃକ ସମ୍ପତ୍ତି ହାତେଇବା ପାଇଁ ନିଜ ଘରେ କଳାକନା ବୁଲାଇଛି ପୁଅ। ଏମିତି ଏକ ଘଟଣା ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ରାତି ଅଧରେ ଘରେ ପଶି ୨୪ଲକ୍ଷ ଟଙ୍କା ସମେତ ୧୦ଭରି ସୁନା ଚୋରି କରିଥିବା ଅଭିଯୋଗରେ ରାୟଗଡ଼ାର ବି.ବିଶ୍ୱ ଗଣପତି ଶର୍ମାଙ୍କୁ ପୋଲିସ ଗିରଫ କରିଛି। ଏନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ ସୂଚନା ଦେଇଛନ୍ତି।

ରାୟଗଡ଼ା ଜିଲ୍ଲା ରୟତ କଲୋନୀର ଷଷ୍ଠ ଗଳିରେ ରୁହନ୍ତି ବି.ବିଶ୍ୱ ଗଣପତି ଶର୍ମା ଓ ତାଙ୍କ ପରିବାର। ଜୁଲାଇ ୩୧ ତାରିଖ ଦିନ କୌଣସି କାରଣରୁ ତାଙ୍କ ମା’ ଆନ୍ଧ୍ରପ୍ରଦେଶର ପାଲାକୋଣ୍ଡାରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଘରେ କେହି ନଥିବା ସୁଯୋଗ ପାଇ ରାତି ଅଧରେ କବାଟ ଭାଙ୍ଗି ବି.ବିଶ୍ୱ ଗଣପତି ତାଙ୍କ ବନ୍ଧୁଙ୍କ ସହ ମିଶି ନିଜ ଘରୁ ଚୋରି କରିଥିଲେ।ପରଦିନ ରାୟଗଡ଼ା ଥାନାରେ ବି.ବିଶ୍ୱ ଗଣପତି, ଘରୁ ଚୋରି ହୋଇଯାଇଥିବା ଦର୍ଶାଇ ଏକ ଲିଖିତ ଅଭିଯୋଗ କରିଥିଲେ। ସେ ଏମିତି ଭାବରେ ଯୋଜନା ରଚିଥିଲେ, ଯେମିତି ପୋଲିସ କିମ୍ବା ଘର ଲୋକ ତାଙ୍କୁ ସନ୍ଦେହ ନ କରିବେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ରାୟଗଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦିବ୍ୟଜ୍ୟୋତି ଦାସ, ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଡଗସ୍କ୍ୱାର୍ଡ ଓ ସାଇଣ୍ଟିଫିକ୍‍ ଟିମ୍ ନେଇ ଘଟଣାର ଅନୁସନ୍ଧାନ କରିଥିଲେ। ପଚରାଉଚୁରା ସମୟରେ ପୋଲିସ ସନ୍ଦେହର ଶିକାର ହୋଇଥିଲେ ବି.ବିଶ୍ୱ ଗଣପତି। ଶେଷରେ ସେ ହିଁ ଲୁଟ୍ ଷଡଯନ୍ତ୍ର ରଚିଥିବା ସ୍ୱୀକାର କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ପୈତୃକ ସମ୍ପତ୍ତିକୁ ତାଙ୍କ ଭାଇଙ୍କୁ ନ ଦିଆଯାଉ ବୋଲି ସେ ଏଭଳି ଷଡ଼ଯନ୍ତ୍ର ରଚିଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କ ନିକଟକରୁ ଚୋରି ହୋଇଥିବା ମୋଟ ୨୪ଲକ୍ଷ ଟଙ୍କା ସମେତ ଦୁଇଟି ସୁନା ଚେନ ଓ ଅଳଙ୍କାର ପୋଲିସ ଜବତ କରିଥିବା ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ। ଏହି ଘଟଣାରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦିବ୍ୟଜ୍ୟୋତି ଦାସ, ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ, ଏସଆଇ ଶିବ ଶଙ୍କର ସହୁ ଓ ମାନଶ ରଞ୍ଜନ ସାହୁ ପ୍ରମୁଖ ତଦନ୍ତ କରୁଥିଲେ।

Comment