ଓଡ଼ିଶାଲାଇଭ୍ ବ୍ୟୁରୋ

ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁ ହତ୍ୟା ମାମଲାରେ ଆଜି ଦୁଇ ଜଣ ସୁପାରି କିଲର ଗିରଫ ହୋଇଥିବା ବେଳେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ ପାଇଁ ସୁପାରି କିଲରଙ୍କୁ ୧୦ ହଜାର ଟଙ୍କା ଦିଆଯାଇଥିଲା ବୋଲି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି।

କମିସନରଙ୍କ ସୂଚନା ଅନୁଯାୟୀ, ବ୍ୟବସାୟିକ ଶତ୍ରୁତା କାରଣରୁ ରାଜା ବେହେରା ଶମ୍ଭୁଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ଏଥିପାଇଁ ସେ ସୁପାରି କିଲରଙ୍କ ସହାୟତା ନେଇଥିଲା। ସୁପାରି କିଲର ଶ୍ରୀତିକ ବିଶ୍ଵାଳ ଶମ୍ଭୁଙ୍କୁ ହତ୍ୟା କରିବା ପାଇଁ ୫୦ ହଜାର ଟଙ୍କା ନେଇଥାନ୍ତା।

ତେବେ ଅଗ୍ରୀମ ଆକାରରେ ତାକୁ ପ୍ରଥମେ ୧୦ ହଜାର ଟଙ୍କା ଦିଆଯାଇଥିଲା। ହତ୍ୟା ପରେ ବାକି ୪୦ ହଜାର ଟଙ୍କା ସହିତ ଓକିଲ ଖର୍ଚ୍ଚ ଦିଆଯିବ ବୋଲି ଶ୍ରୀତିକକୁ ପ୍ରତିଶ୍ରୁତି ଦିଆଯାଇଥିଲା।

ଘଟଣା ଦିନ ସୁପାରି କିଲର ଶ୍ରୀତିକ, ଶମ୍ଭୁଙ୍କୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲା। ଅନ୍ୟତମ ଅଭିଯୁକ୍ତ ତଥା ଶ୍ରୀତିକର ସହଯୋଗୀ ଆଶୁତୋଷ ସେଦିନ ବାଇକ୍ ଚଳାଉଥିଲା। ଆଜି ପୋଲିସ ଶ୍ରୀତିକ, ଆଶୁତୋଷ ଓ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏମାନେ ତୁମୁଡ଼ିବନ୍ଧରେ ଲୁଚିଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଥିବା ପୋଲିସ କମିସନର ସୂଚନା ଦେଇଛନ୍ତି।ଏହି ଘଟଣାରେ ଏପର୍ଯ୍ୟନ୍ତ ୮ ଜଣ ଗିରଫ ହୋଇଛନ୍ତି। ରାଜା ବେହେରା ମଧ୍ୟ ପୂର୍ବରୁ ଆତ୍ମସମର୍ପଣ କରିଛି। ଅଧିକ ପଚରାଉଚରା ପାଇଁ ରାଜାକୁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଥିବା ସୂଚନା ମିଳିଛି।

Comment