ଓଡ଼ିଶାଲାଇଭ୍ ବ୍ୟୁରୋ

  • ପେଶାଦାର ରାକେଟ୍‌ ହାତ ଥିବା ସନ୍ଦେହ
  • ଗିରଫ ଅଭିଯୁକ୍ତଙ୍କ ମାନସିକ ସ୍ଥିତି ପରୀକ୍ଷା ନେଇ ଓକିଲଙ୍କ ଆବେଦନ
  • ଅଧିକ ଅନୁସନ୍ଧାନ ପାଇଁ ଏସ୍‌ପିଙ୍କୁ ଭେଟିବ ଓକିଲ ପ୍ରତିନିଧି ଦଳ

ନୟାଗଡ଼ ସହରରେ ନକଲି ନୋଟ୍ ଛପା ଘଟଣାରେ ବୁଧବାର ୨ଜଣଙ୍କୁ ଟାଉନ ଥାନା ପୋଲିସ କୋର୍ଟ ଚାଲାଣ କରିଛି। ଏହି ଅଭିଯୁକ୍ତମାନେ ହେଲେ ଖଣ୍ଡପଡ଼ା ଥାନା ଶରଧାପୁର ଗାଁର ଦିବ୍ୟଞ୍ଜନ ହୋତା ଏବଂ ଫତେଗଡ଼ ଥାନା ବାଲିଆପଟା ଗାଁର ଅରୁଣ ନାୟକ। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ସୂଚନା ଦେଇଛି।

ଗତ ଅକ୍ଟୋବର ୨୦ ତାରିଖରେ ନୟାଗଡ଼ର ଏକ ବାଇକ୍ ସୋ’ରୁମ୍‌ରୁ ଲକ୍ଷାଧିକ ଟଙ୍କା ଜାଲ ନୋଟ୍ ଦେଇ ବାଇକ୍‌ କିଣିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ କରିଥିଲା। ତଦନ୍ତ ବେଳେ ମୁଖ୍ୟ ଅଭିଯୁକ୍ତ ଦିବ୍ୟଞ୍ଜନ ହୋତାଙ୍କ ଭଡ଼ା ଘରୁ ଏକ କମ୍ପ୍ୟୁଟର, ପ୍ରିଣ୍ଟର ଏବଂ କିଛି ଅଧାଛପା ନୋଟ୍ ସହ ଅସଲି ୫ହଜାର ଟଙ୍କା ନୋଟ୍ ଜବତ ହୋଇଥିଲା।ମାନସିକ ବିକୃତ ସ୍ୱଭାବର ଦିବ୍ୟଞ୍ଜନଙ୍କ ଓକିଲାତି ଲାଇସେନ୍ସ ରହିଥିଲେ ମଧ୍ୟ ସେ ରେଗୁଲାର କୋର୍ଟ ପ୍ରାକ୍ଟିସ୍‌ରେ ନଥିଲେ। ଆଇନଜୀବୀ ଅମିୟ ପଟ୍ଟନାୟକ ଓ ସ୍ୱଦେଶ ମିଶ୍ରଙ୍କ କହିବା ଅନୁଯାୟୀ, ଦିବ୍ୟଞ୍ଜନଙ୍କ ଆର୍ଥିକ ଦୂରାବସ୍ଥା ଓ ମାନସିକ ବିକୃତିର ସୁଯୋଗ ନେଇ କୌଣସି ପେଶାଦାର ଜାଲ ନୋଟ୍ ଛପାଳି ତାଙ୍କୁ ହୁଏତ ମୋହରା କରିଥାଇପାରେ।

ତେଣୁ ଦିବ୍ୟଞ୍ଜନ ହୋତା ପ୍ରକୃତରେ ଜଣେ ମାନସିକ ରୋଗୀ କି ନୂହେଁ ତାହା ପରୀକ୍ଷା କରାଇବା ପାଇଁ ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଅମିୟ ପଟ୍ଟନାୟକ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ ଫର୍ଦ୍ଦ ଦାଖଲ କରିଥିବା କହିଛନ୍ତି। ଆଜି ଆବେଦନର ଶୁଣାଣି ହେବ।ଏହି ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ କରିବା ଦିଗରେ ଅଧିକ ତଦନ୍ତ ଲାଗି ଏକ ଓକିଲ ପ୍ରତିନିଧି ଦଳ ଖୁବଶୀଘ୍ର ଜିଲ୍ଲା ଏସ୍‌ପିଙ୍କୁ ଭେଟିବ ବୋଲି ଆଇନଜୀବୀ ଅମିୟ ପଟ୍ଟନାୟକ ଓ ସ୍ଵଦେଶ ମିଶ୍ର ସୂଚନା ଦେଇଛନ୍ତି।

Comment