ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାଙ୍କିଛନ୍ଦା ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ଧାନ ବିଲରୁ ୪ ବର୍ଷୀୟ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ତେବେ ଭଲଭାବେ କଥାକହି ଶିଖିନଥିବା କଅଁଳ ଶିଶୁଟିକୁ କିଏ, କାହିଁକି ଓ କିପରି ହତ୍ୟା କଲା ତାହା ଏପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଛି। ଏନେଇ ମହାକାଳପଡ଼ା ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ବାଙ୍କିଛନ୍ଦା ଗାଁର ଦୈତାରୀ ବେହେରାଙ୍କ ୪ ବର୍ଷର ଝିଅ ମଧୁସ୍ମିତା ଗତକାଲି ସକାଳେ ସାଙ୍ଗସାଥିମାନଙ୍କ ସହିତ ଗାଁ ଦାଣ୍ଡରେ ଖେଳୁଥିଲା। ସେହି ସମୟରେ ଦୈତାରୀ କୌଣସି କାମରେ ବାହାରକୁ ଯାଇଥିଲେ। ମଧୁସ୍ମିତାଙ୍କ ମା’ ଗାଁ ପୋଖରୀକୁ ଗାଧୋଇ ଯାଇଥିଲେ। କିନ୍ତୁ ମା’ ଗାଧୋଇ ସାରି ଘରକୁ ଫେରିବା ପରେ ମଧୁସ୍ମିତାଙ୍କୁ ପାଇନଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ମଧୁସ୍ମିତାଙ୍କର ପତ୍ତା ମିଳିନଥିଲା।

ଏହି ସମୟରେ ଦୈତାରୀଙ୍କ ଜଣେ ପଡ଼ୋଶୀ ଗାଁ ପାଖ ଧାନ ବିଲରେ ମଧୁସ୍ମିତା ପୋତି ହୋଇ ପଡ଼ିଥିବା ଦେଖିଥିଲେ। ଏହା ପରେ କାଦୁଅ ଭିତରୁ ମଧୁସ୍ମିତାଙ୍କ ମୃତଦେହକୁ ଘରଲୋକେ ଉଦ୍ଧାର କରିଥିଲେ।

ଏ ସମ୍ପର୍କରେ ଖବରପାଇ ମହାକାଳପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ଏଥିସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି।ଦୈତାରୀଙ୍କର କାହାରି ସହିତ ଶତ୍ରୁତା ନଥିବା ବେଳେ କଅଁଳ ଛୁଆଟିକୁ କିଏ କାହିଁକି ମାରିଲା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମଧୁସ୍ମିତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ମହାକାଳପଡ଼ା ପୋଲିସ କହିଛି।

Comment