ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗିରଫ ହେବାର ୫ ବର୍ଷ ପରେ ପୁଣି ଡି ବ୍ରଦର୍ସଙ୍କ କଳା ସାମ୍ରାଜ୍ୟର ନୂଆ ଗୁମର ଖୋଲିବାରେ ଲାଗିଛି। ଖାସ୍‌କରି ବନ୍ଧୁକ କାରବାର ଲିଙ୍କ୍ ଧରିବା ନେଇ ପୋଲିସ ତନାଘନା କରୁଛି। ଏହି କ୍ରମରେ ଭାଇଙ୍କୁ ଶୁକ୍ରବାର ସନ୍ଧ୍ୟାରୁ ପୋଲିସ ରିମାଣ୍ଡରେ ଆଣି ଜେରା କରି ବହୁ ତଥ୍ୟ ସଂଗ୍ରହ କରିଛି।

ଏହି ତଥ୍ୟ ଆଧାରରେ ଡି’ହାଉସ୍‌ରେ ପନର୍ବାର ଶୁକ୍ରବାର ଖୋଳତାଡ଼ କରାଯାଇଥିଲା। ପ୍ରଥମେ ଡି’ ହାଉସ୍‌କୁ ବଡ଼ ଭାଇ ସୁଶାନ୍ତ ଧଳସାମନ୍ତକୁ ନିଆଯାଇଥିଲା। ଦୀର୍ଘ ୩ ଘଣ୍ଟା କାଳ ସେଠାରେ ଯାଞ୍ଚ ପର ପୋଲିସ ହାତରେ ବିଶେଷ ଗୁଳିଗୋଳା ଲାଗି ନଥିଲା। ଶନିବାର ସେଠାକୁ ସାନ ଭାଇ ସୁଶୀଲ ଧଳସାମନ୍ତକୁ ଆଣି ପୋଲିସ ତଦନ୍ତ କରିଛି। ସୁଶୀଲ ଆସିବା ପରେ ଘରୁ ନୂଆ ବନ୍ଧୁକ ଗୋଦାମ ଠାବ ହୋଇଛି।

କିଛି ସିକ୍ରେଟ୍ ଚାମ୍ବର, ଇଣ୍ଟେରିଅରର୍ ତଳେ ବନ୍ଧୁକ ଗୁଳି ଲୁଚାଯାଇ ରଖାଯାଇଥିଲା। ଯାହାକୁ ପୋଲିସ ଖୋଳିତାଡ଼ି ବାହାର କରିଛି। ଏହି କାମକୁ ଅଧିକ ସହଜ କରିବା ପାଇଁ ପୋଲିସ ଜଣେ ଇଣ୍ଟେରିଅର୍ ଡିଜାଇନର ସହିତ ଆଉ କିଛି କର୍ମଚାରୀଙ୍କୁ ସାଙ୍ଗରେ ନେଇ ଯାଇଥିଲା। ସେହିପରି ଏକ କପ୍‌ବର୍ଡରୁ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି। ତେବେ କିଛି ତଥ୍ୟ ସୁଶୀଲ ଲୁଚାଉଥିବା ପୋଲିସ ଆଶଙ୍କା କରୁଛି। ତେଣୁ ଡି’ ହାଉସ୍‌ରୁ ସୁଶୀଲକୁ ପୁନର୍ବାର ଥାନାକୁ ଫେରାଇ ଆଣିବା ପରେ ପରେ ଇଣ୍ଟେରିଅର ଡିଜାଇନରଙ୍କ ସହଯୋଗରେ ଡି’ ହାଉସ୍‌ର ଅନ୍ୟ କିଛି ଅଂଶକୁ ଭଙ୍ଗାଯାଇ ବନ୍ଧୁକ ଖୋଜା ଚାଲିଛି।

Comment