ଡକ୍ଟର ଫକୀର ମୋହନ ନାହାକTelevision Katha

‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ରାଜଧାନୀ ଭୁବନେଶ୍ୱରର ଏକ ଅପାଂକ୍ତେୟ ବସ୍ତିରେ ଜନ୍ମ ହୋଇ ଅତି ଦୟନୀୟ ଭାବେ ଜୀବନଯାପନ କରୁଥିବା ଏକ ଚାରି ବର୍ଷର ଶିଶୁ ରାତାରାତି ପାଲଟିଗଲା ଜଣେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। କେବଳ ସେତିକି ନୁହେଁ, ତା ପାଖରେ ଥିବା ଅନ୍ତର୍ନିହିତ ଶକ୍ତି ଏତେ ପ୍ରବଳ ଥିଲା ଯେ, ବିଶ୍ୱର ଦିଗଜମାନେ ଯାହା କରିବାକୁ କେବେ ଚେଷ୍ଟା କରିନଥିଲେ, ତାହା ସେ କରି ଦେଖାଇପାରିଲା। ହଁ, ଆମେ କହୁଛୁ ବିଶ୍ୱସ୍ତରରେ ଏକଦା ଚର୍ଚ୍ଚାର କେନ୍ଦ୍ର ପାଲଟିଥିବା କୁନି ଧାବକ ବୁଦ୍ଧିଆ ସିଂ କଥା।

ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ବୁଦ୍ଧିଆର କୋଚ୍ ଦିବଙ୍ଗତ ବିରଞ୍ଚି ଦାଶ ତାକୁ ଚିହ୍ନି ପାରିଥିଲେ। ବସ୍ତିରୁ ଆଣି ନିଜ ପାଖରେ ରଖି ତାକୁ ତାଲିମ ଦେବାକୁ ଚାହିଁଥିଲେ ବିରଞ୍ଚି। ତେବେ ଛୋଟ ପିଲା, କୌଣସି ଏକ ଦିନ ଏମିତି କିଛି ଭୁଲଭଟକା କରିବା ଯୋଗୁଁ, ତାକୁ ଦଣ୍ଡ ସ୍ୱରୂପ ଜୁଡୋ ହଲରେ ଦୌଡ଼ିବା ପାଇଁ କହିଥିଲେ ବିରଞ୍ଚି ଦାଶ। ଏହା ପରେ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲେ ସେ। ଦୁଇଘଣ୍ଟା ପରେ ଯେତେବେଳେ ସେ ସେଠାକୁ ଫେରିଲେ, ସେତେବେଳେ ଦେଖିଲା ବେଳକୁ ସେମିତି ହିଁ ଦୌଡୁଛି ବୁଦ୍ଧିଆ। ଏ କଣ .. ଦୁଇ ଘଣ୍ଟା ଦୌଡ଼ିବା ପରେ ବି ଟିକିଏ ହେଲେ ହାଲିଆ ହୋଇନାହିଁ ବୁଦ୍ଧିଆ? ଏହା କେମିତି ସମ୍ଭବ? ବଡ଼ ଆଶ୍ଚର୍ଯ୍ୟ ହୋଇ ପୁଣି ତାକୁ ପରୀକ୍ଷା କରିବାକୁ ଚାହିଁଲେ ବିରଞ୍ଚି। ତା ପରେ ଭୁବନେଶ୍ୱର ସିଆରପିଏଫ୍ କ୍ୟାମ୍ପସ୍ ଭିତରେ ଏମିତି ହିଁ ବୁଦ୍ଧିଆକୁ ଦୌଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସେ।

ସିଆରପିଏଫ୍ ପଡ଼ିଆରେ ଅନବରତ ଦୌଡ଼ିବା ପରେ, ସେଠାରେ ଥିବା ସିଆରପିଏଫ୍ ଯବାନମାନେ ବି ଜାଣିପାରିଲେ ଯେ, ଅବିଶ୍ରାନ୍ତ ଭାବେ ବୁଦ୍ଧିଆ ପ୍ରାୟ ତିରିଶ କିଲୋମିଟର ଦୌଡ଼ି ସାରିଲାଣି। ବାସ୍, ଏମିତି ଏକ ଅକଳ୍ପନୀୟ ଶକ୍ତିର ଅଧିକାରୀ ବୁଦ୍ଧିଆ ସିଂ ବୋଲି ଜାଣିବା ପରେ, ତାକୁ କେମିତି ଆଗକୁ ପ୍ରୋତ୍ସାହିତ କରାଯାଇପାରିବ, ସେ ଦିଗରେ ବି ଧ୍ୟାନ ଦେଇଥିଲେ କୋଚ୍ ବିରଞ୍ଚି ଦାଶ। ଆଉ ଏ ପୂରା ଘଟଣାକ୍ରମ ଉପରେ ନଜର ରଖିଥିଲା ଈଟିଭି। ଈଟିଭିର ତତ୍କାଳୀନ ସ୍ପୋର୍ଟସ ରିପୋର୍ଟର ଉମାକାନ୍ତ ମିଶ୍ର ନିଜ କ୍ୟାମେରାମ୍ୟାନ୍ ସହଯୋଗୀ ଶ୍ରୀନିବାସ ରାଓଙ୍କ ସହିତ ବୁଦ୍ଧିଆର ଏହି ବିସ୍ମୟକର ଶକ୍ତି ସଂପର୍କରେ ପୂରା ଦୁନିଆକୁ ଅବଗତ କରାଇଲେ।

୧୨ ସେପ୍ଟେମ୍ୱର ୨୦୦୫, ପ୍ରଥମ ଥର ପାଇଁ ଈଟିଭି ପରଦାକୁ ଆସିଲେ ବିସ୍ମୟ ବାଳକ ବୁଦ୍ଧିଆ ସିଂଓ ତାର କୋଚ୍ ବିରଞ୍ଚି ଦାଶ । ଉମାକାନ୍ତ ମିଶ୍ରଙ୍କ ଦ୍ୱାରା ଏହି ରିପୋର୍ଟ, ରାତାରାତି ବୁଦ୍ଧିଆ ପ୍ରତି ପୂରା ବିଶ୍ୱର ଦୃଷ୍ଟି ଆକର୍ଷଣ କରାଇବାରେ ସକ୍ଷମ ହୋଇ ପାରିଥିଲା। ଈଟିଭି ଓଡ଼ିଆରେ ଏହି ଖବର ପ୍ରସାରଣ ହେବା ପରେ, ଏହା ଜାତୀୟ ସ୍ତରରେ କାମ କରୁଥିବା ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧିମାନଙ୍କୁ ମଧ୍ୟ ଆକର୍ଷିତ କରିଥିଲା। ଯାହା ଫଳରେ ଈଟିଭି ଓଡ଼ିଆରୁ ଈଟିଭି ନେଟୱର୍କ ଏବଂ ଅନ୍ୟାନ୍ୟ ଜାତୀୟସ୍ତରୀୟ ଗଣମାଧ୍ୟମରେ ବି ଉପସ୍ଥାପିତ ହେଲା ବୁଦ୍ଧିଆର କାହାଣୀ। ତା ପରେ ବୁଦ୍ଧିଆ ପାଲଟିଗଲା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶ୍ରେଷ୍ଠ ଶିରୋନାମ।

ଉମାକାନ୍ତ ମିଶ୍ର

ଏହି ରିପୋର୍ଟିଂ ଫଳରେ ବିରଞ୍ଚି ଦାଶ ବି ଅତ୍ୟନ୍ତ ଆଗ୍ରହର ସହିତ ବୁଦ୍ଧିଆକୁ ପ୍ରସ୍ତୁତ କରାଇବାକୁ ଲାଗି ପଡ଼ିଥିଲେ। ଛଅ ମାସର ନିୟମିତ ଅଭ୍ୟାସ ଓ ନିରନ୍ତର ପ୍ରୟାସ ଫଳରେ ୨ ମେ’ ୨୦୦୬ରେ ବୁଦ୍ଧିଆ ସୃଷ୍ଟି କଲା ଏକ ବିଶ୍ୱରେକର୍ଡ। ସିଆରପିଏଫ୍ ଯବାନମାନଙ୍କ ଗହଣରେ ଏବଂ ବିରଞ୍ଚି ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୁରୀରେ ଶ୍ରୀମନ୍ଦିର ସମ୍ମୁଖରୁ ଦୌଡ଼ିବା ଆରମ୍ଭ କରି ଭୁବନେଶ୍ୱର ସିଆରପିଏଫ୍ କ୍ୟାମ୍ପସ୍ ପହଞ୍ଚିବାର ଲକ୍ଷ୍ୟ ରଖିଥିଲା ବୁଦ୍ଧିଆ। ଯାହାର ମୋଟ ଦୂରତା ଥିଲା ୭୦ କିଲୋମିଟର।

୭ ଘଣ୍ଟା ୨ ମିନିଟ୍ ଦୌଡ଼ି ୬୫ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଯେତେବେଳେ ବୁଦ୍ଧିଆ ଭୁବନେଶ୍ୱର ମହାନଗରର ପରିସୀମା ଭିତରେ ପ୍ରବେଶ କଲା, ସେତେବେଳେ ଲୋକମାନେ ତା ଗଳାରେ ଫୁଲମାଳ ପିନ୍ଧାଇବା ଆରମ୍ଭ କରିଦେଇଥିଲେ। ଫଳରେ ବୁଦ୍ଧିଆ ନିକଟରେ ଶ୍ୱାସରୁଦ୍ଧ ହେବାର ଲକ୍ଷଣ ଦେଖି ଡାକ୍ତର ତାକୁ ଆଉ ନଦୌଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ଯଦିଓ ବୁଦ୍ଧିଆ ସେତେବେଳକୁ ୬୫ କିଲୋମିଟ ଦୌଡ଼ିଥିଲା, କିନ୍ତୁ ତାକୁ ଏକ ବିଶ୍ୱ ରେକର୍ଡ ରୂପରେ ଗ୍ରହଣ କରିବା ପାଇଁ ଘୋଷଣା କରିଥିଲେ ସେଦିନ ସେଠାରେ ଉପସ୍ଥିତ ଥିବା ଲିମକା ବୁକ୍ ଅଫ୍ ରେକର୍ଡସର ସହ ସମ୍ପାଦକ ଅମ୍ରିନ୍ ତୁର୍। ଏକ ପୂର୍ଣ୍ଣ ମାରାଥନର ଦୌଡ଼ ଦୂରତା ସର୍ବାଧିକ ୪୨ କିଲୋମିଟର ହୋଇଥିଲା ବେଳେ ବୁଦ୍ଧିଆ ସିଂ ୬୫ କିଲୋମିଟର ଦୌଡ଼ିବା କୌଣସି ବିସ୍ମୟଠାରୁ କମ୍ ନଥିଲା।

୨୦୦୨ ମସିହାରେ ଜନ୍ମିତ ବୁଦ୍ଧିଆ ସିଂ ଯେତେବେଳେ ୨୦୦୬ରେ ଲିମକା ବୁକ୍ ଅଫ୍ ରେକଡସରେ ନିଜ ନାଁ ଲେଖାଇବାରେ ସକ୍ଷମ ହୋଇଥିଲା, ସେତେବେଳେ ତାର ବୟସ ଥିଲା ମାତ୍ର ୪ ବର୍ଷ।

ବୁଦ୍ଧିଆ ସିଂର ନିୟମିତ ଅଭ୍ୟାସ ଓ ରେକର୍ଡ ପରବର୍ତ୍ତୀ ସମସ୍ତ ପଦକ୍ଷେପ ଉପରେ ନଜର ରଖିଥିଲା ଈଟିଭି। କେବଳ ସେହି ରେକର୍ଡରେ ସରିଯାଇନଥିଲା ବୁଦ୍ଧିଆର ଯାତ୍ରା। ତାରି ଉପରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଚଳଚ୍ଚିତ୍ର ନିର୍ମାତା ବୃତ୍ତଚିତ୍ର (Documentary Film) ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଲଣ୍ଡନର ଲିଓପାର୍ଡ ଫିଲ୍ମସ ଲିମିଟେଡ୍, ଅଷ୍ଟ୍ରେଲିଆ ସିଡନିର ସିପିଏସ୍ ଟେଲିଭିଜନ କମ୍ପାନି ଏବଂ ବ୍ରିଟିଶ୍ ଡକ୍ୟୁମେଣ୍ଟାରି ଫିଲ୍ମ ପ୍ରଡ୍ୟୁସର ଜେମି ଅଟୱାଲ ବୁଦ୍ଧିଆ ଉପରେ ବୃତ୍ତଚିତ୍ର ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

ଏହି ଲେଖକର ମନେ ଅଛି, ସେତେବେଳେ ଏହି ବ୍ରିଟିଶ୍ ପ୍ରଯୋଜକ, ବୁଦ୍ଧିଆର ସେହି ପ୍ରଥମ ଭିଜୁଆଲ (ଯାହା ଈଟିଭି ପ୍ରଥମେ ପ୍ରସାରଣ କରିଥିଲା) ପାଇଁ ଏକ ଚିଠି ପଠାଇଥିଲେ ଈଟିଭି ଓଡ଼ିଆ ନ୍ୟୁଜ୍ ଡେସ୍କକୁ। ପରବର୍ତ୍ତୀ ପର୍ଯ୍ୟାୟରେ ବୁଦ୍ଧିଆ ସିଂ ପାଲଟିଗଲା ଜଣେ ସେଲିବ୍ରିଟି। ଏପରିକି କୋଲକତାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ବି ବୁଦ୍ଧିଆକୁ ନିମନ୍ତ୍ରଣ କରାଯାଇଥିଲା ଛେରାପହଁରା କରିବା ଲାଗି। ଦେଶର ବିଭିନ୍ନ ସ୍ଥାନ ତଥା ବିଦେଶରେ ବି ବୁଦ୍ଧିଆ ପହଞ୍ଚିଥିଲା ତା କୋଚ୍ ବିରଞ୍ଚି ଦାଶଙ୍କ ସହିତ।

କିଛି ଦିନ ଅନ୍ତରରେ ବିରଞ୍ଚିଙ୍କ ବିରୋଧରେ ଅଦାଲତରେ ଅଭିଯୋଗ ହେଲା ଯେ, ସେ ଏକ ଶିଶୁକୁ ଏଭଳି ଶାରୀରିକ ନିର୍ଯାତନା ଦେଇ ନିଜର ବ୍ୟକ୍ତିଗତ ଆର୍ଥିକ ଫାଇଦା ଉଠାଉଛନ୍ତି। ଶିଶୁ ଅଧିକାର ଉଲ୍ଲଂଘନ ଅଭିଯୋଗ ଆସିବା ପରେ ବିରଞ୍ଚି ଦାଶଙ୍କ ବିରୋଧରେ ତଦନ୍ତ କରାଯାଇଥିଲା। ଅନ୍ୟପକ୍ଷରେ ବୁଦ୍ଧିଆର ଦାୟିତ୍ୱ ନେଇଥିଲା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ। ଏହି ପୂରା ଘଟଣାକୁ ନିୟମିତ ଭାବେ ରିପୋର୍ଟ କରୁଥିଲେ ଉମାକାନ୍ତ ମିଶ୍ର। ଆଉ ସେହି କ୍ରମରେ ସିଏ ହିଁ ଈଟିଭିରେ  ଦେଇଥିଲେ ଏକ ଏକ୍ସକ୍ଲୁସିଭ୍ ରିପୋର୍ଟ- ବିରଞ୍ଚି ଦାଶ ହତ୍ୟା ଘଟଣା। ୨୦୦୮ ମସିହା ଏପ୍ରିଲ ୧୩ ତାରିଖ ଦିନ ସାରା ରାଜ୍ୟରେ ପଣାସଂକ୍ରାନ୍ତିର ଧୁମ୍ ଥିଲା ବେଳେ ଜୁଡୋ ହଲରେ ଗୁଳିମାଡ଼ର ଶିକାର ହୋଇ ଜୀବନ ହରାଇଥିଲେ ବିରଞ୍ଚି ଦାଶ। ଏହି ଖବର ବି ଓଡ଼ିଶାର ଦର୍ଶକଙ୍କ ନିକଟରେ ପ୍ରଥମେ ପହଞ୍ଚାଇଥିଲା ଈଟିଭି।

ବୁଦ୍ଧିଆ ସିଂ ପ୍ରକୃତରେ ଥିଲା ଜଣେ ବିସ୍ମୟ ବାଳକ। ବିରଞ୍ଚି ଦାଶ ତାକୁ ଅଲିମ୍ପିକ୍ କ୍ରୀଡ଼ାକୁ ଲକ୍ଷ୍ୟ ରଖି ପ୍ରସ୍ତୁତ କରାଇବାକୁ ଚାହୁଁଥିଲେ। କିନ୍ତୁ ତାହା ସମ୍ଭବ ହୋଇପାରିଲା ନାହିଁ। ରାତାରାତି ସୁପରଷ୍ଟାର ପାଲଟିଥିବା ବୁଦ୍ଧିଆ ସିଂ ପୁଣି ହଜିଗଲା କେଉଁ ଅନ୍ଧକାର ଭିତରେ। ମଝିରେ ମଝିରେ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ବୁଦ୍ଧିଆ ସମ୍ପର୍କରେ ଖବର ଆସୁଛି। କିନ୍ତୁ, ସେଦିନର ସେହି ମାରାଥନ୍ ଦୌଡ଼ାଳି ବୁଦ୍ଧିଆ ସିଂର ସେହି ଦକ୍ଷତା କାହାରିକୁ ଦେଖିବାକୁ ମିଳୁନି। ଅବଶ୍ୟ ବିସ୍ମୟ ବାଳକ ବୁଦ୍ଧିଆ ସିଂକୁ ନେଇ ଏକ ସ୍ୱତନ୍ତ୍ର ବଲିଉଡ୍ ଫିଲ୍ମ “ବୁଦ୍ଧିଆ ସିଂ- ବର୍ଣ୍ଣ ଟୁ ରନ୍” ୨୦୧୬ରେ ମୁକ୍ତିଲାଭ କରିଛି, ଯେଉଁଥିରେ ବୁଦ୍ଧିଆ ଭୂମିକାରେ ଶିଶୁ କଳାକାର ମୟୂର ମହେନ୍ଦ୍ର ଏବଂ ବିରଞ୍ଚି ଦାଶ ଭୂମିକାରେ ବରିଷ୍ଠ ବଲିଉଡ ଅଭିନେତା ମନୋଜ ବାଜପେୟୀ ଅଭିନୟ କରିଛନ୍ତି । ଏ ସବୁ ସତ୍ତ୍ୱେ କିନ୍ତୁ ଈଟିଭି ଟିମ୍ ପାଇଁ ବୁଦ୍ଧିଆର ଆବିଷ୍କାର ଚିରକାଳ ଲାଗି ଏକ ଅବିସ୍ମରଣୀୟ ଘଟଣା।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tag: #ETVOdia #ETVOriya #DrFakirMohanNahak #JourneyofTelevisioninOdisha #ଡକ୍ଟରଫକୀରମୋହନନାହାକ #ଈଟିଭିଓଡ଼ିଆ

Comment