ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ମୁଁ ପ୍ରେମୀ ମୁଁ ପାଗଳ’ ସିନେମାରୁ ଅଭିନୟର ଯାତ୍ରା ଆରମ୍ଭ କରିଥିବା ଅନୁଭା ସୌର୍ଯ୍ୟ ଏବେ ପରଦା ଉପରେ ଅମ୍ଲାନ୍‌ଙ୍କ ସହ ରୋମାନ୍‌ସ୍‌ କରିବାର ନଜର ଆସିବେ। ଆସନ୍ତା ଗଣେଶ ପୂଜା ଅବସରରେ ରିଲିଜ୍‌ ହେବାକୁ ଯାଉଥିବା ଓଡ଼ିଆ ସିନେମା ‘ବଜରଙ୍ଗୀ’ରେ ଅନୁଭା ଓ ଅମ୍ଲାନ୍‌ଙ୍କ ଯୋଡ଼ି ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିବ।
“ଏହି ସିନେମାରେ ମୁଁ ଗୋଟେ ପୋଲିସ୍‌ ଅଫିସରର ଚରିତ୍ରରେ ଅଭିନୟ କରୁଛି। ଏଥିରେ ଭରପୁର କମେଡି ଅଛି, ହେଲେ ମୋର ରୋଲ୍‌ ଏକ୍‌ଦମ୍‌ ସିରିୟସ୍‌”, କହିଛନ୍ତି ଅନୁଭା।
ଓଡ଼ିଆ ଇଣ୍ଡଷ୍ଟ୍ରିର ବର୍ଷିଆନ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଲାନ୍‌ ଏକ ଚୋରର ଚରିତ୍ରରେ ଅଭିନୟ କରୁଛନ୍ତି ଏବଂ ପରେ ପରେ ପୋଲିସ ଅଫିସର ଅନୁଭାଙ୍କ ପ୍ରେମରେ ପଡ଼ିଯାଉଛନ୍ତି।
ଏହି କମିକାଲ୍‌ ଲଭ୍‌ଷ୍ଟୋରିର ସଙ୍ଗୀତ ସଂଯୋଜନା କରିଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ। ଏହାର ଟାଇଟଲ୍‌ ଟ୍ରାକ୍‌ ଶୁଣିବା ପରେ, ସିନେମାର ଗୀତଗୁଡ଼ିକ ଯେ ଦର୍ଶକଙ୍କୁ ଭଲ ଲାଗିବ, ସେଥିରେ କୌଣସି ସନ୍ଦେହ ନାହିଁ ବୋଲି ଅନୁଭା କହିଛନ୍ତି।
“ଅମ୍ଲାନ୍‌ ଓ ମୁଁ ସମବୟସ୍କ ବନ୍ଧୁ। ଅନେକ ସମୟରେ ଆମର ଦେଖା ମଧ୍ୟ ହୁଏ। ତେଣୁ ଏହି ସିନେମାରେ ତାଙ୍କ ବିପକ୍ଷରେ ଅଭିନୟ କରିବାରେ ବହୁତ ମଜା ଆସିବ। ମୋର ବିଶ୍ୱାସ ଆମ ଦୁଇ ଜଣଙ୍କ ଅନ୍‌ ସ୍କ୍ରିନ୍‌ କେମେଷ୍ଟ୍ରି ଦର୍ଶକଙ୍କୁ ମଧ୍ୟ ପସନ୍ଦ ଆସିବ”, ଓଡ଼ିଶାଲାଇଭ୍‌ ସହ କଥା ହେବା ବେଳେ କହିଛନ୍ତି ଅନୁଭା।
୨୦୧୬ ମସିହାରେ ବାବୁସାନ୍‌ଙ୍କ ବିପକ୍ଷରେ ‘ସୁଇଟ୍‌ ହାର୍ଟ୍‌’ ସିନେମାରେ ଅନୁଭାଙ୍କ ଚୁଲ୍‌ବୁଲି ଚରିତ୍ର ପରଦା ଉପରେ ଦର୍ଶକ ପସନ୍ଦ କରିଥିଲେ।
ଓଡ଼ିଶୀ ନୃତ୍ୟରେ ଦକ୍ଷତା ହାସଲ କରିଥିବା ଅନୁଭା ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ଅଭିନେତ୍ରୀ ପୁଷ୍ପା ପଣ୍ଡାଙ୍କ ସୁପୁତ୍ରୀ। ପୂର୍ବରୁ ଅନେକ ରାମ୍ପ ସୋ’ରେ ମଧ୍ୟ ନିଜ ଜଲୱା ଦେଖାଇଥିବା ଅନୁଭା ଭବିଷ୍ୟତରେ ବିଭିନ୍ନ ଚରିତ୍ରରେ ପରଦା ଉପରେ ଲୋକଙ୍କ ମନୋରଞ୍ଜନ କରିବାକୁ ବିଶେଷ ଆଗ୍ରହୀ।
‘ବଜରଙ୍ଗୀ’ ସିନେମାର ନିର୍ଦ୍ଦେଶନା ବିନି ପଟ୍ଟନାୟକ ଦେଉଥିବା ବେଳେ ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଶଚିକାନ୍ତ ଜେନା। ଏହି ସିନେମାର ସୁଟିଂ ଜୁନ୍‌ ମାସ ଶେଷ ସୁଦ୍ଧା ଆରମ୍ଭ ହେବାର ଯୋଜନା ରହିଛି।
ଅନୁଭା ‘ରିଭେଂଜ୍‌’ ସିନେମାରେ ଅଭିଷେକଙ୍କ ବିପକ୍ଷରେ ଓ ‘ସମୟ ବଡ଼ ବଳବାନ୍‌’ରେ ଅଂଶୁମାନ ଓ ପୁପିନ୍ଦରଙ୍କ ସହ ନଜର ଆସିଥିଲେ।

LEAVE A REPLY

Please enter your comment!
Please enter your name here