ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଗାପୂଜା ଛୁଟି ପାଖେଇ ଆସିବା ସହିତ ଓଡ଼ିଆ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବଢ଼ି ଚାଲିଛି। ପ୍ରତିବର୍ଷ ପରି ଏଥର ମଧ୍ୟ ପୂଜା ବଜାରକୁ ସରଗରମ କରିବା ପାଇଁ ଅଭିନେତା/ଅଭିନେତ୍ରୀମାନେ ତତ୍ପର। ବଡ଼ ବଡ଼ ବ୍ୟାନର ସିନେପ୍ରେମୀଙ୍କ ପାଇଁ ନେଇ ଆସୁଛନ୍ତି ଦଶହରାରେ ମନୋରଞ୍ଜନର ଉପହାର।
ତରଙ୍ଗ ସିନେ ପ୍ରଡକ୍ସନସର ‘ହିରୋ ନଂ ୧’ ସିନେମାରେ ପ୍ରଥମ ଥର ପାଇଁ ବାବୁସାନ୍ ଓ ଭୂମିକା ଦାଶ ରୋମାନ୍‌ସ କରୁଥିବାର ନଜର ଆସିବେ। ଏହି ସିନେମାରେ ଓକିଲ ସାଜିଥିବା ବାବୁସାନ୍ ସାମ୍ବାଦିକା ଭୂମିକାଙ୍କ ପ୍ରେମରେ କିଭଳି ଉବୁଟୁବୁ ହେଉଛନ୍ତି, ତାହା ଦର୍ଶକଙ୍କ ମନ ଜିଣିବ ବୋଲି ପ୍ରଯୋଜନା ସଂସ୍ଥାର ବିଶ୍ୱାସ। ଏହି ସିନେମାରେ ଦୁଇଟି ଗୀତ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ ହୋଇସାରିଛି। ମେଲୋଡି କିଙ୍ଗ୍ ଅଭିଜିତ୍ ମଜୁମ୍‌ଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ‘ଡିଜେ ବାଲା ଡ୍ୟାନ୍‌ସ’ ଓ ‘କାଞ୍ଚିରେ କାଞ୍ଚିରେ’ ଗୀତ ଦର୍ଶକଙ୍କୁ ସିନେମା ଆଡକୁ ଆକୃଷ୍ଟ କରୁଛି। ‘ଡିଜେ ବାଲା ଡ୍ୟାନ୍‌ସ’ ଗୀତରେ ଭୂମିକା ଓ ବାବୁସାନଙ୍କ ପରଫରମାନସ ବଲିଉଡ ଷ୍ଟାଇଲର ହୋଇଛି।
ଅନ୍ୟପକ୍ଷରେ ବିଦିଶା କ୍ରାଫ୍ଟ ଓ ଏବି ଫିଲ୍ମସ ବ୍ୟାନର ନିବେଦିତ‍ ‘କାବୁଲା-ବାରବୁଲା’ ସିନେମାରେ ଦର୍ଶକ ପୁଣିଥରେ ଅନୁଭବ ଓ ଏଲିନାଙ୍କ ଯୋଡ଼ି ପରଦା ଉପରେ ଦେଖିପାରିବେ। ଅଧାପାଠୁଆ, ଗାଉଁଲି, ସାଧାସିଧା ଅନୁଭବ ନିଜ ପ୍ରେମିକାକୁ ପାଇବା ପାଇଁ ମାଲୟେସିଆରେ ଯାଇ ପହଞ୍ଚିଛନ୍ତି। ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଲୁକ୍‌ରୁ ବାହାରି ଅନୁଭବ ଏଥର କମେଡି କରିବାକୁ ଚେଷ୍ଟା କରିଛନ୍ତି। ଚୁଲ୍‌ବୁଲି ଏଲିନା ତାଙ୍କ ମନଲୋଭା ହସ ଓ ନିଆରା ଅଭିନୟରେ ବାରମ୍ବାର ଦର୍ଶକଙ୍କର ପ୍ରିୟଭାଜନ ହୋଇପାରିଛନ୍ତି। ଏହି ସିନେମାର ‘ସୋନୁ’ ଗୀତ ଡିଜିଟାଲ୍ ମେଡ଼ିଆରେ ଲୋକପ୍ରିୟ ହେବାରେ ଲାଗିଲାଣି। ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ରୋମାଣ୍ଟିକ୍ ଗୀତ ‘ଜାଲିମା ଓ ଜାଲିମା’ ଗୀତ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିବ ବୋଲି ପ୍ରଯୋଜନା ସଂସ୍ଥାର ବିଶ୍ୱାସ।
ଏଥର ପୂଜାରେ ଅରିନ୍ଦମ ଓ ଅର୍ଚ୍ଚିତାଙ୍କୁ ପୁଣିଥରେ ଦର୍ଶକ ଏକାଠି ଦେଖିବାକୁ ପାଇବେ। ରତ୍ନା ଫିଲ୍ମସ ନିବେଦିତ ‘ଶିବା-ନଟ୍‌ ଆଉଟ୍’ ସିନେମା ମଧ୍ୟ ପୂଜା ବଜାରରେ ଟକ୍କର ଦେବାକୁ ପ୍ରସ୍ତୁତ। ଏଥରର ସବୁଠାରୁ ହାଇ-ବଜେଟ୍ ସିନେମା ବୋଲି ଏହାର ପ୍ରଯୋଜକ ଅରିନ୍ଦମ କହିଛନ୍ତି। ଏହି ସିନେମାର ଗୀତଗୁଡ଼ିକ ପୂଜା ବଜାରରେ ସବୁଠାରୁ ଅଧିକ ଲୋକପ୍ରିୟ ହେବ ବୋଲି ଅରିନ୍ଦମ କହିଛନ୍ତି।
ଓଲିଉଡ ଡ୍ୟାନ୍‌ସିଂ ବୟ ଜ୍ୟୋତିରଞ୍ଜନ ଓ ଝିଲିକଙ୍କ ଯୋଡ଼ି ଦର୍ଶକ ‘ତୁ ମୋ ହିରୋ’ ସିନେମାରେ ଦେଖିପାରିବେ। ବସ୍ତିରେ ରହୁଥିବା ପିଲା ଧନୀ ଘର ଝିଅର ପ୍ରେମରେ ପଡ଼ି ଘର ଛାଡ଼ିବା ପରେ କିପରି ବାସ୍ତବତାର ସମ୍ମୁଖୀନ ହୋଇଛନ୍ତି, ତାହା ହିଁ ଏହାର କାହାଣୀ। ସିନେମାଟିର ସୁଟିଂ, ଡବିଂ କାମ ସରିଯାଇଥିଲେ ମଧ୍ୟ ଏହାର ରିଲିଜ୍ ତାରିଖ ସମ୍ବନ୍ଧରେ କୌଣସି ଘୋଷଣା କରାଯାଇନାହିଁ।
ମୁନ୍ ମୁଭିଜ୍‌ ନିବେଦିତ ‘ବଜରଙ୍ଗୀ’ ସିନେମା ଏହାର ପୂଜା ବଜାର ପାଇଁ ରେଡ୍ଡି। ଏଥିରେ ଅମ୍ଳାନ୍ ଓ ଅନୁଭାଙ୍କ ଯୋଡ଼ି ବେଶ୍ ଜମିବ। ଅମ୍ଳାନଙ୍କ ସହ ପୂର୍ବ ବନ୍ଧୁତା ଥିବା ଯୋଗୁଁ କାମ କରିବା ବେଶ୍ ସହଜ ଓ ଆନନ୍ଦଦାୟକ ହୋଇଥିଲା ବୋଲି ଅନୁଭା କହିଛନ୍ତି। ଅନ୍ୟମାନଙ୍କ ବ୍ୟତୀତ, ଅଲ୍‌ଟାଇମ୍ ସୁପରଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହାର ସଙ୍ଗୀତ ପ୍ରେମ ଆନନ୍ଦ ଦେଇଥିବା ବେଳେ ପ୍ରଯୋଜନାରେ ଅଛନ୍ତି ବିନି ପଟ୍ଟନାୟକ।
ସାର୍ଥକ ମ୍ୟୁଜିକ୍‌ର ଯୁବ ତାରକାଙ୍କୁ ନେଇ ବାସ୍ତବଧର୍ମୀ ସିନେମା ‘ଲୈଲା ଓ ଲୈଲା’ର ସୁଟିଂ, ଡବିଂ କାମ ସରିଯାଇଥିଲେ ହେଁ ଏହାର ରିଲିଜ୍ ସମୟ ଜଣାପଡ଼ି ନାହିଁ। ଏଥିରେ ସ୍ୱରାଜ ଓ ସନ୍‌ମୀରାଙ୍କ ଅନ୍-ସ୍କ୍ରିନ୍ ଯୋଡ଼ି ବେଶ୍ ଜମିବ ବୋଲି ସଭିଙ୍କ ବିଶ୍ୱାସ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି।

Tags: Hero No 1, Laila o Laila, Bajrangi, Kabula Barabula, Tu Mo Hero, Shiva- Notout, Ollywood, Odia Cinema, Durgapuja Cinema, Dassehara Odia Cinema, Dassehara, Odia Cine Industry, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment