ଓଡ଼ିଶାଲାଇଭ୍‌‍ ବ୍ୟୁରୋ

କିଛି ଲୋକ ସେମାନଙ୍କ ରାଜନୈତିକ ସ୍ୱାର୍ଥ ପାଇଁ ଓଡ଼ିଶାର ଚିତ୍ରକୁ ଭୁଲ୍‌ ଭାବେ ପରିବେଷଣ କରୁଛନ୍ତି। ଏ ରାଜ୍ୟର ଯୁବକମାନେ ତା’ର ଉଚିତ୍‌ ଜବାବ ଦେବେ ବୋଲି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ।

ସେ ଆହୁରି କହିଛନ୍ତି ଯେ ଓଡ଼ିଶାର ଭବିଷ୍ୟତ ଯୁବକଙ୍କ ହାତରେ ଓ ସେମାନେ ଚାହିଁଲେ ରାଜ୍ୟକୁ ବିକାଶର ପଥରେ ଆଗେଇ ନେଇପାରିବେ।

ବୁଧବାର ଦିନ ବ୍ରହ୍ମପୁର ସହର ଆମ୍ଵପୁଆ ଠାରେ ଯୁବ ବିଜେଡି ପକ୍ଷରୁ ଆୟୋଜିତ ଜୋନାଲ ସମ୍ମିଳନୀରେ ଯୋଗଦେଇ ନବୀନ କହିଛନ୍ତି ଯେ ଯୁବକମାନେ କିପରି ନିଜର ଭବିଷ୍ୟତ ନିଶ୍ଚିତ କରିପାରିବେ ତାହାରି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେମାନେ କିଭଳି କୁଶଳୀ ହୋଇପାରିବେ ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ପାରଦର୍ଶିତା ଲାଭ କରିପାରିବେ ସେ ଦିଗରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି।

ଯଦି ଯୁବକମାନେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୁବିଧା ସୁଯୋଗର ଫାଇଦା ଉଠାଇ ପାରିବେ ତେବେ ସମଗ୍ର ଦେଶରେ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅବଦାନ ରଖିପାରିବ। କେବଳ କୌଶଳ ବିକାଶ ନୁହେଁ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଥିବା କଥା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାର ପ୍ରାୟ ୨୦ ହଜାର ଯୁବକ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଏହିଭଳି ସମ୍ମିଳନୀ ଜରିଆରେ ବିଜେଡିର ଯୁବକ ଶକ୍ତିକୁ ଉତ୍ସାହିତ କରିବା ସହ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବିଜେଡି ସଭାପତି।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଲେ ଯେ ବାଲେଶ୍ୱର ସମ୍ମିଳନୀ ଖୁବ୍ ସଫଳ ହୋଇଥିଲା। ବାକି ଥିବା ସମ୍ମିଳନୀ ଜରିଆରେ ବିଜେଡି ଏକ ନୂଆ ଉଦ୍ଦୀପନା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି ଏବଂ ଏହି କାରଣରୁ ସମସ୍ତେ ଏହାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତ ମାସରେ ଅନୁଷ୍ଠିତ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟ କାରିଣୀରେ ୬ଟି ପ୍ରାନ୍ତୀୟ ସମ୍ମିଳନୀ କରିବା ପାଇଁ ସ୍ଥିର ହୋଇଥିଲା। ବାଲେଶ୍ୱର ଓ ବ୍ରହ୍ମପୁର ପରେ ସମ୍ବଲପୁର (ଜୁଲାଇ ୨), କଟକ (ଜୁଲାଇ ୯), ବଲାଙ୍ଗୀର (ଜୁଲାଇ ୨୩) ଓ ପୁରୀରେ (ଜୁଲାଇ ୩୦) ଶେଷ ଯୁବ ସମ୍ମିଳନୀ ଅନୁଷ୍ଠିତ ହେବ।

ଏହିସବୁ ସମ୍ମିଳନୀକୁ ନେଇ ବିଜେଡି ନେତାମାନେ ଖୁବ୍ ଉତ୍ସାହିତ ହୋଇ ପଡିଛନ୍ତି। ସଂଜୟ କୁମାର ଦାସବର୍ମା, ଅରୁଣ କୁମାର ସାହୁ ଓ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ବ୍ରହ୍ମପୁର ସମ୍ମିଳନୀରେ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ।

ଏହି ନେତାମାନେ ମଧ୍ୟ ବିଜେଡି ଯୁବ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ବିଜେପିର ଅପପ୍ରଚାରକୁ ପ୍ରତିରୋଧ କରିବା ସହିତ ବିଜେଡିର ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ଏହି ସମ୍ମିଳନୀ ଆୟୋଜିତ ହେଉଛି। ବିଜେଡିର କାର୍ଯ୍ୟସୂଚୀ ଅନୁସାରେ ଏହି ସମ୍ମିଳନୀ ପରେ ବିଜୁ ଯୁବ ଜନତା ଦଳର ବ୍ଲକ୍‌, ପଞ୍ଚାୟତ ଓ ଜିଲ୍ଲାସ୍ତରୀୟ କମିଟିର ଗଠନ ହେବ। ସମଗ୍ର ପ୍ରକ୍ରିୟା ଜୁଲାଇ ୩୧ ସୁଦ୍ଧା ଶେଷ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here