ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରୁ ସାଧାରଣ ଜନତା ଓ କର୍ମୀମାନଙ୍କଠାରୁ ଏକ ଦୂରତା ରକ୍ଷା କରୁଥିବା ବେଳେ ଏଇ କିଛି ଦିନ ମଧ୍ୟରେ ତାହା ଭାଙ୍ଗିଯାଇଥିବା ପରି ମନେହେଉଛି। ନବୀନ ଏବେ ଦଳର ବିଭିନ୍ନ ସ୍ତରର କର୍ମୀ ଏବଂ ବିଭିନ୍ନ କାର୍ଯ୍ୟକ୍ରମକୁ ଗଲାବେଳେ ସାଧାରଣ ବର୍ଗର ଜନତାଙ୍କ ସହ ସେଲ୍‌ଫି ଦେବାରେ ଦ୍ୱିଧା ପ୍ରକାଶ କରୁନାହାନ୍ତି। ବିଶେଷକରି ଯୁବପିଢି ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍‌ଫି ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ବୁଧବାର ଦିନ ବ୍ରହ୍ମପୁର ସହରର ଆମ୍ବପୁଆଠାରେ ଆୟୋଜିତ ବିଜୁ ଯୁବ ଜନତା ଦଳର ଦକ୍ଷିଣ ଓଡ଼ିଶା ସମ୍ମିଲନୀରେ ଯୋଗ ଦେଇଥିଲେ ନବୀନ। ନବୀନ ସଭାମଞ୍ଚରେ ଥିବା ଭିତରେ ମଞ୍ଚ ତଳେ ଠିଆ ହୋ‍ଇ ବିଭିନ୍ନ କର୍ମୀ ଓ ସଭାରେ ଯୋଗ ଦେଇଥିବା ଅନେକ ଯୁବକ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଥିଲା। ତେବେ ମଞ୍ଚ ଉପରେ ମଧ୍ୟ କେତେକ ନେତା ଦଳର ସୁପ୍ରିମୋଙ୍କ ସହ ସେଲ୍‌ଫି ନେବା ସୁଯୋଗକୁ ହାତଛଡ଼ା କରିନଥିଲେ।

ବୁଧବାର ସନ୍ଧ୍ୟାରେ ନବୀନ ବିଜେଡି ସଂଖ୍ୟାଲଘୁ ସେଲ୍‌ ପକ୍ଷରୁ ଆୟୋଜିତ ଇଫ୍‌ତାର୍‌ ପାର୍ଟିରେ ଯୋଗ ଦେଇଥିଲେ। ସେଠାରେ ପିଲାମାନେ ତାଙ୍କୁ ଘେରି ଫଟୋ ଉଠାଇବା ସହ କେହି କେହି ମନଭରି ସେଲ୍‌ଫି ନେଇଥିଲେ। ବିଭିନ୍ନ ଫଟୋରେ ଓ ସେଲ୍‌ଫିରେ ମୁଖ୍ୟମନ୍ତ୍ରୀଙ୍କ ସ୍ମାଇଲ୍‌ ଅନ୍ୟମାନଙ୍କୁ ସେଲ୍‌ଫି ନେବାକୁ ମଧ୍ୟ ଉତ୍ସାହିତ କରିଥିଲା।

ବୁଧବାର ରାତିରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏବଂ ଏହି ଇଫ୍‌ତାର୍‌ ପାର୍ଟିରେ ଯୋଗ ଦେଇଥିବା କେତେକ ବ୍ୟକ୍ତିଙ୍କ ସୋସିଆଲ୍‌ ମିଡିଆ ପେଜ୍‌ରେ ଏଭଳି ଫଟୋ ଛାଇଯାଇଥିବା ଦେଖିବାକୁ ମିଳିଥିଲା।

ସିଏମ୍‌ଙ୍କ ସହ ସେଲ୍‌ଫି ନେବାକୁ ଆଗକୁ ଭିଡ଼ ଜମିବ ନିଶ୍ଚୟ!

1 COMMENT

LEAVE A REPLY

Please enter your comment!
Please enter your name here