ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସୀୟ ଆଥ୍‌ଲେଟିକ୍ସ ଚାମ୍ପିଅନସିପ୍‍ ପାଇଁ କଳିଙ୍ଗ ଷ୍ଟାଡିୟମ୍‍ ପୂରା ପ୍ରସ୍ତୁତ ହୋଇ ରହିଛି। କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ କରିଥିବା ବେଳେ ବିଭିନ୍ନ ଦେଶର ଖେଳାଳିମାନେ ମଧ୍ୟ ଭୁବନେଶ୍ୱରରେ ଆସି ପହଞ୍ଚୁଛନ୍ତି। ଖେଳାଳିଙ୍କ ପାଇଁ ଭୁବନେଶ୍ୱରର ବହୁ ତାରକା ହୋଟେଲ୍‍ ବି ବୁକ୍‍ ହୋଇ ରହିଛି।

ଏସବୁ ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏସୀୟ ଆଥଲେଟିକ୍‍ ଚାମ୍ପିଅନସିପ୍‍ର ମାସ୍କଟ ‘ଓଲି’।

ଏହାକୁ ମେ ୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ ଏବଂ ଜୁନ୍‍ ୧୨ରୁ ଓଲି ଓଡ଼ିଶା ଭ୍ରମଣରେ ବାହାରିଥିଲା। କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଲୋକଙ୍କ ମନରେ ସଚେତନତାର ବାର୍ତ୍ତା ପ୍ରଦାନ ପାଇଁ ଓଲି ଇତିମଧ୍ୟରେ ୩୦ଟି ଜିଲ୍ଲା ଭ୍ରମଣ କରି ଭୁବନେଶ୍ୱର ଫେରି ଆସିଛି। ସବୁଠି ଓଲିକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଛି।

୩୦ଟି ଜିଲ୍ଲା ଭ୍ରମଣ କରିବା ପରେ ଗୁରୁବାର ଓଲି ରାଜ୍ୟ ସଚିବାଳୟରେ ପହଞ୍ଚିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଅର୍ଥ ସଚିବ ତୁହିନ କାନ୍ତ ପାଣ୍ଡେ, ଗୃହ ସଚିବ ଅସିତ ତ୍ରିପାଠୀ, ସ୍ୱତନ୍ତ୍ର ସଚିବ (ଗୃହ) ଲଳିତ ଦାସ ଏବଂ ପୋଲିସ କମିଶନର ୱାଇ ବି ଖୁରାନିଆ ପ୍ରମୁଖ ଓଲିକୁ ସ୍ୱାଗତ କରିଥିଲେ।

ଶୁକ୍ରବାର ଦିନ ଓଲି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍କୁଲ, କଲେଜ ଆଦି ପରିଭ୍ରମଣରେ ଯାଇଥିଲା। ଏହି ଅବସରରେ ଛାତ୍ରୀଛାତ୍ରମାନେ ଓଲିକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଓଲି ପ୍ରଥମେ ଭୁବନେଶ୍ୱରର ବିଜେଇଏମ୍‍ ସ୍କୁଲରେ ପହଞ୍ଚିଥିଲା। ଏଠାକାର ଛାତ୍ରୀଛାତ୍ରମାନେ ପାରମ୍ପରିକ ଓଡିଶୀ ଏବଂ ପାଇକ ନୃତ୍ୟ ମାଧ୍ୟମରେ ଓଲିକୁ ସ୍ୱାଗତ କରିଥିଲେ। ଏନ୍‍ସିସି, ସ୍କାଉଟ୍‍ ଏବଂ ଗାଇଡ୍‍ କ୍ୟାଡେଟମାନେ ଓଲିକୁ ସ୍କୁଲ ମୁଖ୍ୟ ଫାଟକ ନିକଟରୁ ମଞ୍ଚ ନିକଟକୁ ପାଛୋଟି ଆଣିଥିଲେ।

ସେହିପରି କ୍ୟାପିଟାଲ ହାଇସ୍କୁଲର ଛାତ୍ରୀଛାତ୍ରମାନେ ରଙ୍ଗୀନ ପରିବେଶରେ ଓଲିକୁ ସ୍ୱାଗତ କରିଥିଲେ। ଏହି ସୁନ୍ଦର ମାସ୍କଟକୁ ସ୍ୱାଗତ କରିବା ପାଇଁ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ ଓଲିକୁ ନେଇ ଉତ୍ସାହିତ ହୋଇ ଯାଇଥିଲେ। ବିଶ୍ୱବିଦ୍ୟାଳୟ ଗେଟ୍‍ ନିକଟରେ ଓଲି ପହଞ୍ଚିବା ମାତ୍ରେ ଛାତ୍ରୀମାନେ ସେଲ୍‍ଫି ନେଇଥିଲେ। ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମଧ୍ୟ ଓଲିକୁ ନେଇ ଉତ୍କଣ୍ଠା ଦେଖାଦେଇଥିଲା।

ଭୁବନେଶ୍ୱରର ପ୍ରଥମ ମଲ୍‍ ଫୋରମ୍‍ ମାର୍ଟ ନିକଟକୁ ଓଲି ଯାଇଥିଲା। ସେଠାରେ ପାରମ୍ପରିକ ନୃତ୍ୟ, ଗୀତରେ ଏହାକୁ ସ୍ୱାଗତ କରାଯାଇଥିଲା। କ୍ରୀଡ଼ା ସମ୍ପର୍କୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏହି ମଲ୍‍ ନିକଟରେ ଆୟୋଜନ କରାଯାଇଥିଲା। ଏଥିପାଇଁ ମଲ୍‌‍ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଶେଷରେ ଓଲି ବକୁଳ ଶିଶୁ ପାଠାଗାରରେ ପହଞ୍ଚିଥିଲା। ଛାତ୍ରୀଛାତ୍ରଙ୍କ ସହ କିଛି ସମୟର ଭାବ ବିନିମୟ କରି ଓଲିର ଯାତ୍ରା ଶେଷ ହୋଇଥିଲା।

ଅଲିଭ୍‍ ରିଡ୍‌ଲେରୁ ଓଲି

ଅଲିଭ୍‍ ରିଡଲେ କଇଁଛ ହେଉଛନ୍ତି ଓଡ଼ିଶାର ଗର୍ବ। କାହିଁ କେଉଁ ଅନତି ଦୂରରୁ ସମୁଦ୍ର ଢେ଼ଉରେ ଭାସି ଆସି ଋଷିକୂଲ୍ୟା ମୁହାଣର ଗହୀରମାଥା ବେଳାଭୂମିରେ ଅଣ୍ଡାଦାନ କରିବାକୁ ଛୁଟି ଆସନ୍ତି ଏହି କଇଁଛ। ପ୍ରତିବର୍ଷ ନଭେମ୍ବର ପ୍ରଥମ ସପ୍ତାହରେ ଏମାନେ ଅଣ୍ଡାଦାନ କରିବାକୁ ଧାଇଁ ଆସୁଥିଲେ ମଧ୍ୟ ଏମାନଙ୍କ ପାଇଁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବିପଦର କାରଣ ସାଜିଛନ୍ତି। ଫଳରେ ଓଡିଶାର ଗର୍ବ ଓ ଗୌରବର ପ୍ରତୀକ ଏହି ସାମୁଦ୍ରିକ କଇଁଚ୍ଛଙ୍କ  ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ଏହି ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ଏବଂ ଏସୀୟ କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ ଚଳିତ ଚାମ୍ପିଅନସିପରେ ଏହାକୁ ପ୍ରତୀକ ଭାବେ ଗ୍ରହଣ କରାଯାଇଛି । ଅଲିଭ୍‍ ରିଡ୍‌‍ଲେରୁ ମାସ୍କଟର ନାମ ‘ଓଲି’ ରଖାଯାଇଛି।

ମାରିକିନାରୁ ଭୁବନେଶ୍ୱର

ଏହି ଚାମ୍ପିୟନସିପ୍‍ ୧୯୭୩ରୁ ଜୟଯାତ୍ରା ଆରମ୍ଭ କରିଛି। ପ୍ରଥମ କ୍ରୀଡ଼ା ୧୯୭୩ରେ ଫିଲିପାଇନ୍ସର ମାରିକିନାରୁ ଆରମ୍ଭ ହୋଇ ୨୦୧୭ରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପହଞ୍ଚôଛି। ୧୯୭୫ରେ ସିଓଲରେ ହୋଇଥିବା ବେଳେ ୧୯୭୯ ଏବଂ ୮୧ରେ ଟୋକିଓ, ୧୯୮୩ରେ କୁଏତ୍‍, ୧୯୮୫ରେ ଜାକର୍ତ୍ତା, ୧୯୮୭ରେ ସିଙ୍ଗାପୁର, ୧୯୮୯ରେ ନୂଆଦିଲ୍ଲୀ, ୧୯୯୧ରେ କ୍ୱାଲାଲୁମ୍ପର, ୧୯୯୩ରେ ମାନିଲା, ୧୯୯୫ରେ ଜାକର୍ତ୍ତା, ୧୯୯୮ରେ ଜାପାନର ଫୁକୁଓକା, ୨୦୦୦ରେ ଜାକର୍ତ୍ତା, ୨୦୦୨ରେ କଲମ୍ବୋ, ୨୦୦୩ରେ ମାନିଲା, ୨୦୦୫ରେ ଦକ୍ଷିଣ କୋରିଆର ଇଞ୍ଚେଓଁ, ୨୦୦୭ରେ ଅମାନ୍‍, ୨୦୦୯ରେ ଗଉଞ୍ଝଉ, ୨୦୧୧ରେ କୋବେ, ୨୦୧୩ରେ ପୁନେ, ୨୦୧୫ରେ ଚୀନର ଉହାଁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

୩ ଥର ଭାରତରେ

ଜୁନ୍‍ ୬ରୁ ଏସିଆନ୍‍ ଆଥଲେଟିକ୍‍ ଚାମ୍ପିଅନସିପ୍‍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି। ଏଥିରେ ୪୫ଟି ଦେଶର ୭୦୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‌‍ମାନେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ୯ ତାରିଖ ପର୍ଯ୍ୟନ୍ତ ଏହି ମେଗା ପ୍ରତିଯୋଗିତା ଓଡ଼ିଶାରେ ଆୟୋଜନ ହେବାକୁ ଯାଉଥିବାରୁ ସମଗ୍ର ବିଶ୍ୱର ନଜର ରହିଛି।

୧୯୭୩ରୁ ଏହି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲେ ହେଁ ଭାରତରେ ବିଗତ ଦିନରେ ମାତ୍ର ୨ ଥର ଅନୁଷ୍ଠିତ ହୋଇଥିଲା। ୧୯୮୯ରେ ନୂଆଦିଲ୍ଲୀରେ ହୋଇଥିବା ବେଳେ ୨୦୧୩ରେ ପୁନେରେ ଏହି କ୍ରୀଡ଼ା ଆୟୋଜନ କରାଯାଇଥିଲା। ୨୦୧୭ ପ୍ରତିଯୋଗିତାକୁ ମିଶାଇ ଭାରତ ମୋଟ ୩ଟି ମେଗା ପ୍ରତିଯୋଗିତା ପାଇଥିବା ରେକର୍ଡରୁ ଜଣାପଡ଼ିଛି  ।

(ପ୍ରସ୍ତୁତି: ସରୋଜ)

2 COMMENTS

Comment