ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିନ୍ନକ୍ଷମମାନଙ୍କ ଦକ୍ଷତା ବିକାଶ ପାଇଁ ଜଟଣୀଠାରେ ସ୍ୱତନ୍ତ୍ର ଆଇଟିଆଇ ଉଦ୍‌ଘାଟିତ, ବିଶ୍ୱ ଦକ୍ଷତା ବିକାଶ ଦିବସ ଅବସରରେ ଗଡ଼ିଲା ସ୍କିଲସ୍ କାରାଭାନ

ରାଜ୍ୟର ବିକାଶ ପାଇଁ ପ୍ରସ୍ତୁତ ଦୀର୍ଘମିଆଦି ରୋଡମ୍ୟାପ୍‌ ପଛରେ ଆଜି ଯେଉଁ କେତୋଟି କଥା ଆମ ନଜରକୁ ଆସୁଛି, ତା’ ଭିତରେ ଗୋଟିଏ ହେଉଛି ସ୍କିଲ୍‌ ଡେଭେଲପମେଣ୍ଟ ବା ଦକ୍ଷତା ବିକାଶ। ବିଶେଷକରି, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଗଠନ ଓ ଜଣାଶୁଣା ଶିଳ୍ପୋଦ୍ୟୋଗୀ ତଥା ଲେଖକ ସୁବ୍ରତ ବାଗ୍‌ଚୀଙ୍କୁ ଏହାର ମଙ୍ଗୁଆଳ ଭାବେ ଦାୟିତ୍ୱ ଦିଆଯିବା ପରେ ଓଡ଼ିଶାରେ ଏବେ ସ୍କିଲ୍‌ କ୍ଷେତ୍ର ଗାଁ ଓ ସହରର ଯୁବକଯୁବତୀଙ୍କ ନିଯୁକ୍ତି ଓ ଆତ୍ମନିଯୁକ୍ତି ପାଇଁ ଏକ ବଡ଼ ଭରସା ପାଲଟିଛି।

ଅତୀତରେ ରାଜ୍ୟରେ ଆଇଟିଆଇ ବା ଶିଳ୍ପ ତାଲିମ୍‌ କେନ୍ଦ୍ର ମାଧ୍ୟମରେ ଅଳ୍ପ କେତୋଟି ଟ୍ରେଡ୍‌ରେ ସ୍ୱଳ୍ପମିଆଦି ତାଲିମ ଦିଆଯାଉଥିଲା। ସେଥିରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ଶିଳ୍ପରେ ନିଯୁକ୍ତିର ସୁଯୋଗ ପାଉଥିଲେ। ତେବେ ଏ କ୍ଷେତ୍ରକୁ ବ୍ୟାପକ କରାଯିବା ସହ କେନ୍ଦ୍ର ସରକାରଙ୍କ ଅଧୀନରେ ପ୍ରଚଳିତ ଦୀନଦୟାଲ ଗ୍ରାମୀଣ କୌଶଲ୍ୟ ଯୋଜନା ଏବଂ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆଦିର ସଫଳ ରୂପାୟନ କରି ଓଡ଼ିଶା ଆଜି ଦେଶରେ ଯୁବପିଢିଙ୍କ ପାଇଁ ରୋଜଗାରର ନୂଆ ମାଧ୍ୟମ ହୋଇଛି।

ଜୁଲାଇ ୧୫ ବିଶ୍ୱ ଯୁବ ଦକ୍ଷତା ଦିବସ ୨୦୧୭ ଅବସରରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଭିନ୍ନକ୍ଷମମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇଟିଆଇ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିନ୍ନକ୍ଷମଙ୍କ ଦକ୍ଷତା ବିକାଶ ପାଇଁ ଏହା ସମ୍ଭବତଃ ରାଜ୍ୟର ପ୍ରଥମ ଅନନ୍ୟ ପଦକ୍ଷେପ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ସ୍କିଲ୍‌ଡ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଉଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ୬ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କୁ ତାଲିମ ଦିଆଯିବ। ସେମାନଙ୍କ ମଧ୍ୟରେ ଭିନ୍ନକ୍ଷମମାନଙ୍କୁ ଦକ୍ଷତା ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ନେଇ ଏହି ଆଇଟିଆଇ ବିଶେଷ ଭୂମିକା ଗ୍ରହଣ କରିବ।”

ଆଧୁନିକ ଭିତ୍ତିଭୂମି ସହ ଏହି ତାଲିମ୍‌ ପ୍ରତିଷ୍ଠାନରେ ୧୦୦ ସ୍ଥାନବିଶିଷ୍ଟ ଛାତ୍ରାବାସ ରହିଛି। ଆଗାମୀ ଦିନରେ ଏଠାରେ ଏକ ଛାତ୍ରୀନିବାସ ନିର୍ମାଣ କରାଯିବ। ଏଠାରେ ବିଭିନ୍ନ ପଦବୀ ମଧ୍ୟରେ ମୂକ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଆବଶ୍ୟକ ଥିବା ସାଇନ୍‌ ଲାଙ୍ଗୁଏଜ୍‌ ଇଣ୍ଟରପ୍ରିଣ୍ଟର ମଧ୍ୟ ରହିଛି। ଅନୁଷ୍ଠାନରେ ଭିନ୍ନକ୍ଷମମାନଙ୍କ ଚଳପ୍ରଚଳ ଏବଂ ସେମାନଙ୍କୁ ସୁବିଧା ହେବାଭଳି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

୨୦୧୬-୧୭ ପ୍ରଥମ ବ୍ୟାଚ୍‌ରେ ଏନ୍‌ସିଭିଟି ଅଧୀନରେ ୫୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଟ୍ରେଡରେ ତାଲିମ୍‌ ନେଉଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୦ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀ, ଯେଉଁମାନେ କି କମ୍ପ୍ୟୁଟର ଟ୍ରେଡରେ ତାଲିମ ନେଉଛନ୍ତି।

ଏଠାରେ ମୋଟ ୧୧ଟି ଟ୍ରେଡ ପାଇଁ ବ୍ୟବସ୍ଥା ରହିଛି। ତେବେ ବର୍ତ୍ତମାନ ପାଇଁ ଫିଟର (୪୨ ସିଟ), ଇଲେକ୍ଟ୍ରିସିଆନ (୪୨ ସିଟ), ଡ୍ରେସ ମେକିଂ (୪୨ ସିଟ) ଏବଂ କମ୍ପ୍ୟୁଟର ଅପରେସନ ଆଣ୍ଡ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ (୫୨ ସିଟ) – ୪ଟି ଟ୍ରେଡରେ ତାଲିମ ଆରମ୍ଭ କରାଯାଇଛି। ଏହା କ୍ୱାଲିଟି କାଉନସିଲ ଅଫ୍‌ ଇଣ୍ଡିଆ ଦ୍ୱାରା ଅନୁମୋଦିତ ଏବଂ ଏନସିଭିଟି ସହ ୨୦୧୬ ମସିହାରୁ ସହବନ୍ଧିତ। ଚଳିତ ୨୦୧୭-୧୮ ଶିକ୍ଷାବର୍ଷ ପାଇଁ ଅନଲାଇନ ଭିତ୍ତିରେ ଏସ୍‌ଏ‌ଏମ୍‌ଏସ୍‌ ଜରିଆରେ ଏହାର ନାମଲେଖା ଚାଲିଛି।

ଏହି ଶିଳ୍ପ ତାଲିମ ଅନୁଷ୍ଠାନର ୧୦୦ ଭାଗ ସ୍ଥାନ ୬୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ। ତେବେ ଖାଲି ଥିବା ସ୍ଥାନରେ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାର ସୁଯୋଗ ମିଳିଥାଏ।

ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ଲାଗି ସମସ୍ତ ଖର୍ଚ୍ଚ ସରକାର ବହନ କରିଥା’ନ୍ତି। ତା’ ସହିତ ଛାତ୍ରାବାସରେ ରହିବା ଓ ଖାଇବା ଖର୍ଚ୍ଚ ମଧ୍ୟ ସରକାର ଦେଇଥା’ନ୍ତି।

ଅର୍ଥୋପେଡିକ ହ୍ୟାଣ୍ଡିକ୍ରାଫ୍ଟ (ଓଏଚ୍‌), ହିଅରିଂ ଇମ୍ପେୟାର୍ଡ (ଏଚ୍‌ଆଇ) ଏବଂ ଭିଜୁଆଲି ଇମ୍ପେୟାର୍ଡ – ଏହି ଭିନ୍ନକ୍ଷମ ବର୍ଗର ଯୁବକଯୁବତୀଙ୍କ ପାଇଁ ଶିଳ୍ପ ଓ ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ଏହି ଆଇଟିଆଇ ଆଜି ଦେଶର ଏକ ଭିନ୍ନ ଧରଣର ଅନୁଷ୍ଠାନ ଭାବେ ଠିଆ ହୋ‌ଇଛି।

ଓଡ଼ିଶାରେ ଏବେ ୪୯ଟି ସରକାରୀ ଆଇଟିଆଇ ରହିଛି। ସେଗୁଡ଼ିକରେ ୧୭,୪୦୦ ସିଟ୍‌ର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନାରେ ଆଉ ୨୨ଟି ଆଇଟିଆଇ ସ୍ଥାପନ ଲାଗି ସରକାର ଉଦ୍ୟମ କରୁଛନ୍ତି। ସେହିପରି ପ୍ରଶିକ୍ଷକମାନଙ୍କ ତାଲିମ ପାଇଁ ତାଳଚେରଠାରେ ବିଜୁ ପଟ୍ଟନାୟକ ପ୍ରଶିକ୍ଷକ ତାଲିମ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି।

ଶନିବାର ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଊଷା ଦେବୀ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ସଞ୍ଜୟ କୁମାର ସିଂ ଏବଂ ଓଏସଡିଏ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ।

ସ୍କିଲସ୍ କାରାଭାନ ଗଡ଼ିଲା

ଏ ଅବସରରେ ଏକ ସୁସଜ୍ଜିତ ସ୍କିଲସ୍ କାରାଭାନ ବା ଦକ୍ଷତା ବିକାଶ ରଥର ଶୁଭାରମ୍ଭ ହୋ‍ଇଛି। ସୁବ୍ରତ ବାଗଚୀଙ୍କ ନେତୃତ୍ୱରେ ଏହି ଅଭିଯାନ ସମସ୍ତ ୩୦ଟି ଜିଲ୍ଲା ଗସ୍ତ କରିବ। ଏହି ୧୫-ଦିନିଆ ଅଭିଯାନରେ ଦକ୍ଷତା ବିକାଶ ରଥ ତିରିଶ ହଜାର କିଲୋମିଟରରୁ ଅଧିକ ବାଟ ଗଡ଼ିବା ସହ ବିଭିନ୍ନ ସ୍ଥାନରେ ଅଟକି ଲୋକଙ୍କୁ ରାଜ୍ୟର ଦକ୍ଷତା ବିକାଶର ସମ୍ଭାବନା ଏବଂ ତାଲିମପ୍ରାପ୍ତ ଯୁବକଯୁବତୀଙ୍କ ଭବିଷ୍ୟତ ସମ୍ପର୍କରେ ସଚେତନ କରିବ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓଡ଼ିଶାଲାଇଭ୍‌କୁ କହିଛନ୍ତି ଯେ, “ଏହି ଦକ୍ଷତା ବିକାଶ ରଥରେ ମୋ ସହିତ ସ୍କିଲ ଆମ୍ବାସାଡରମାନେ ଯାଉଛନ୍ତି। ଆମେ ପିଲାଙ୍କୁ ଓ ସେମାନଙ୍କ ଅଭିଭାବକମାନଙ୍କୁ ଭେଟି ସ୍କିଲଡ-ଇନ-ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ କହିବୁ।” ରାଜ୍ୟରେ ଦକ୍ଷତା ବିକାଶର ଯେଉଁ ନୂଆ ଧାରା ଆରମ୍ଭ ହୋ‌ଇଛି, ତାକୁ ଗତିଶୀଳ କରିବାକୁ ସ୍କିଲ କାରାଭାନ ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ସେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here