ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେତୁର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ। ନଦୀର ନାମ କାଠଯୋଡ଼ି। ଯୋଡ଼ିବ କଟକ ସହିତ ଭୁବନେଶ୍ୱରକୁ। ଉଦ୍ଦେଶ୍ୟ ହେଉଛି ୫ ନମ୍ବର ଜାତୀୟ ରାଜପଥରେ ରାସ୍ତା ଭିଡ଼କୁ କମାଇବା। ଜୁଲାଇ ୧୯ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ଏହି ସେତୁ।

ଏହାର ଆଉ ଏକ ପରିଚୟ ବି ଅଛି। ଏହା ଓଡ଼ିଶାର ପ୍ରଥମ ତିନି ଲେନ ବିଶିଷ୍ଟ ସେତୁ ଓ ଦୀର୍ଘତମ ପୋଲ। ଦ୍ୱୈତ ନଗରୀକୁ ସଂଯୋଗ କରୁଥିବା ଏହି ସେତୁକୁ ଅନେକ ଦିନ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ଏବେ କଟକ ଓ ଭୁବନେଶ୍ୱର ଅଧିବାସୀ  ଅଧିକ ନିକଟତର ହେବେ।

ନେତାଜୀଙ୍କ ନାମଟି ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରସ୍ତାବ ଦେଇଥିଲେ ଓ ଏହା ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଞ୍ଜୁର ହୋଇଛି। ନେତାଜୀ ସୁଭାଷ କଟକରେ ଜନ୍ମ ହୋଇଥିବା କାରଣରୁ କଟକକୁ ଯୋଡୁଥିବା ସେତୁଟି ତାଙ୍କ ନାମରେ ନାମିତ ହେବା ଏକବାର ଠିକ୍ ବୋଲି କହିଛନ୍ତି ଦେବାଶିଷ।

ଓଡ଼ିଶା ସରକାରଙ୍କ ସେତୁ ନିର୍ମାଣ ଓ କୋଠାବାଡ଼ି ବିଭାଗ ପକ୍ଷରୁ ନିର୍ମିତ ଏହି ସେତୁ କଟକର ଜୁଡିସିଆଲ ଏକାଡେମୀଠାରୁ ବାରଙ୍ଗ ନିକଟସ୍ଥ ତ୍ରିଶୁଳିଆ ପର୍ଯ୍ୟନ୍ତ ଲମ୍ବିଛି। ନାବାର୍ଡର ଆର୍ଥିକ ସହାୟତାରେ ନିର୍ମିତ ୨.୮୮ କିମି ଦୈର୍ଘ୍ୟବିଶିଷ୍ଟ ଏହି ସେତୁ ପାଇଁ ୧୦୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

କାଠଯୋଡ଼ି ନଦୀ ଉପରେ ନିର୍ମିତ ହୋଇଥିବା ଏହା ହେଉଛି ଦ୍ୱିତୀୟ ପୋଲ। ଏନଏଚ ୫ରେ ଦିନକୁ ଦିନ ବଢୁଥିବା ଟ୍ରାଫିକ୍ ଭିଡ଼ କମାଇବା ଛଡ଼ା ଏହି ସେତୁ ଯୋଗୁଁ କଟକ-ଭୁବନେଶ୍ୱର ମଧ୍ୟରେ ଦୂରତା ୩୦ରୁ ୨୦ କିମିକୁ ଖସିଆସିବ। ଏହି ସଡ଼କପଥରେ ପ୍ରତିଦିନ ୫ ନମ୍ବର ଜାତୀୟ ରାଜପଥରେ ୫୦ ହଜାର ଗାଡି ଚଳାଚଳ କରିଥାଏ। ନୂଆ ସେତୁ କାମ କରିବା ପରେ ଗାଡିମୋଟର ଯିବାଆସିବା ସହଜ ହୋ‌ଇଯିବ।

ତ୍ରିଶୁଳିଆ ସେତୁ ଆରମ୍ଭ ହେବା ପରେ ସିଡିଏ ଛକ ଓ ଜୟଦେବ ବିହାର ଛକ ମଧ୍ୟରେ ଯାତାୟତ ସମୟ ମଧ୍ୟ ଢେର କମିବ। ଏହି ସେତୁ କାରଣରୁ ବାରଙ୍ଗ ଓ କଟକ ମଧ୍ୟରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ସହ ବେପାର ବଣିଜ ମଧ୍ୟ ବଢିବ। ଖାଲି ସେତିକି ନୁହେଁ, ୫ ବର୍ଷ ଧରି ଅପେକ୍ଷା ପରେ ଏହି ରାସ୍ତାର ଉଭୟ ପଟରେ ରିଅଲ ଇଷ୍ଟେଟ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବ।

ତେବେ ତ୍ରିଶୁଳିଆ ସେତୁକୁ ନେତାଜୀ ସୁଭାଷ ବୋଷଙ୍କ ନାମରେ ନାମିତ ନ କରି ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଅକ୍ଷୟ କୁମାର ମହାନ୍ତିଙ୍କ ନାମରେ ନାମିତ କରିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ଓଡ଼ିଶା ଛାତ୍ର ନେତା ମଞ୍ଚର ସଦସ୍ୟ ଦୀପକ ନାୟକ।

ଅକ୍ଷୟ ମହାନ୍ତିଙ୍କ ନାମରେ ନାମିତ କରିବା ପାଇଁ ଏକ ପ୍ରସ୍ତାବ ସେ ସରକାରଙ୍କୁ ଦେଇଥିଲେ ବୋଲି କହିଛନ୍ତି ନାୟକ। ୨୦୦୨ ମସିହାରେ ଅକ୍ଷୟ ମହାନ୍ତିଙ୍କ ମୃତ୍ୟୁ ପରେ ସେଭଳି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କୀର୍ତ୍ତି ତାଙ୍କ ନାମରେ ନାମିତ ହୋଇପାରିନାହିଁ। ଏଣୁ କାଠଯୋଡ଼ି ସେତୁ ତାଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହୋଇଥା’ନ୍ତା। ଯଦି ଆସାମର ୯.୧୫ କିମି ବିଶିଷ୍ଟ ଢୋଲା-ସାଦିଆ ରାସ୍ତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶିଷ୍ଟ ଗାୟକ ଭୁପେନ ହଜାରିକାଙ୍କ ନାମରେ ନାମିତ କରିପାରିଲେ, ତେବେ ତ୍ରିଶୂଳିଆ ସେତୁ କାହିଁକି ଅକ୍ଷୟ ମହାନ୍ତିଙ୍କ ନାମରେ ପରିଚିତ ହୋଇପାରିବ ନାହିଁ ବୋଲି ଏହି ମଞ୍ଚ ପ୍ରଶ୍ନ ଉଠାଇଛି।

1 COMMENT

  1. Will be a great relief for the people of the twin city who commute on daily basis. Others will also be greatly benefited.

Comment