ଓଡ଼ିଶାଲାଇଭ୍‍ ବ୍ୟୁରୋ

ଏହା ହେଉଛି ଓଡ଼ିଶାର ପ୍ରଥମ ୩ ଲେନ୍‍ ବିଶିଷ୍ଟ ଓ ଦୀର୍ଘତମ ସେତୁ
କାଠଯୋଡ଼ି ନଦୀର ତ୍ରିଶୁଳିଆଠାରେ ନିର୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ବୁଧବାର ଉଦଘାଟିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

ଏହି ସେତୁ ଲୋକାର୍ପଣ ହୋଇଥିବାରୁ ଭୁବନେଶ୍ୱର-କଟକ ମଧ୍ୟରେ ୧୨ କିମି ଦୂରତା ହ୍ରାସ ପାଇବ। ବିଶେଷକରି ହାଇକୋର୍ଟ, ସିଡ଼ିଏ, ଜିଲାପାଳଙ୍କ ଅଫିସକୁ ଯିବାକୁ ଚାହୁଁଥିବା ଲୋକେ ଉପକୃତ ହେବେ। ୧୨୦ କୋଟି ୧୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁର ଲମ୍ବ ୨.୮୧୫ କି.ମି ରହିଛି। ୨୦୧୧ ଜୁଲାଇ ୩ରେ ଏହାର ଶିଳାନ୍ୟାସ କରାଯାଇଥିଲା।

ସବୁଠୁ ବଡ଼ କଥା ହେଉଛି ଏହା ଓଡ଼ିଶାର ପ୍ରଥମ ୩ ଲେନ୍‍ ବିଶିଷ୍ଟ ସେତୁ ଓ ଦୀର୍ଘତମ ପୋଲ। ନେତାଜୀଙ୍କ ନାମରେ ଏହି ପୋଲ ନାମିତ କରିବା ପାଇଁ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରସ୍ତାବ ଦେଇଥିଲେ। ଏହାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ।

ଏହା ହେଉଛି କାଠଯୋଡ଼ି ଉପରେ ନିର୍ମାଣ ହୋଇଥିବା ଦ୍ୱିତୀୟ ପୋଲ। ଏହି ପୋଲକୁ ସଙ୍ଗୀତକାର ସ୍ୱର୍ଗତ ଅକ୍ଷୟ ମହାନ୍ତି ଏବଂ ଭଜନ ସମ୍ରାଟ ଭିକାରୀ ବଳଙ୍କ ନାମରେ ନାମିତ କରିବାକୁ କିଛି ବୁଦ୍ଧିଜୀବୀ ଏବଂ ସଙ୍ଗଠନ ଦାବି କରୁଥିଲେ।

ବୁଧବାର ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ, ଡଃ ପ୍ରମୋଦ ମଲ୍ଲିକ, ପ୍ରଭାତ ତ୍ରିପାଠୀ, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ସାଂସଦ ଅନୁଭବ ମହାନ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ।

(ପ୍ରସ୍ତୁତି: ସରୋଜ)

LEAVE A REPLY

Please enter your comment!
Please enter your name here