ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରର ଚଳଚ୍ଚିତ୍ର ନିର୍ମାଣକାରୀଙ୍କ ପାଇଁ ଖୁସି ଖବର। ସେମାନେ ଆନନ୍ଦିତ ହେବାର କାରଣ ମଧ୍ୟ ରହିଛି। ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସେମାନଙ୍କର କାମକୁ ସ୍ୱୀକୃତି ମିଳିବାରେ ଲାଗିଛି।

ସ୍ୱୀକୃତି ପାଇଥିବା ସେହିଭଳି ଏକ ଚଳଚ୍ଚିତ୍ର ହେଉଛି ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ‘କ୍ଷଣିକା-ଦ ଲାଷ୍ଟ ଆଇଡ଼ିଆ’। ଏହି ଫିଲ୍ମଟି ଏହା ପୂର୍ବରୁ ଦୁଇଟି ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା। ଆସନ୍ତା ମାସ ୫ ତାରିଖରେ କାନାଡାର ଅଣ୍ଟାରିଓ ଠାରେ ହେବାକୁ ଥିବା ଦକ୍ଷିଣ ଏସୀୟ ଚଳଚ୍ଚିତ୍ର ଉତ୍ସବରେ ଏହା ପ୍ରଦର୍ଶିତ ହେବ।

କଲ୍ଗାରି ଠାରେ ଅନୁଷ୍ଠିତ ହିଡ୍ଡନ ଜେମ୍ସ ଫିଲ୍ମ ଫେଷ୍ଟିଭାଲରେ ଏହାକୁ ଦର୍ଶକ ଦେଖି ସାରିଛନ୍ତି।

ଚିତ୍ରର କାହାଣୀ କିଛି ଏହି ଭଳି। ଏକ କଳ୍ପିତ ଗାଁ। ଜଣେ ନାରୀ ଚରିତ୍ର। ଏହି ଚାରିତ୍ରିକ ଧାରଣା ବା କଳ୍ପନାକୁ ନିଜର ବୋଲି ଦାବି କରୁଛନ୍ତି ଜଣେ କବି ଓ ଅନ୍ୟ ଜଣେ ଚିତ୍ରଶିଳ୍ପୀ।

ଅମର୍ତ୍ତ୍ୟଙ୍କ କହିବା ଅନୁଯାୟୀ ସେହି ସୁନ୍ଦରୀ ଯୁବତୀ ଜଣକ ମୋ କଳ୍ପନାପ୍ରସୂତ ବୋଲି ଦାବି କରୁଛନ୍ତି କବି ତାଙ୍କ କବିତାରେ ଓ ଶିଳ୍ପୀ ତାଙ୍କ ଚିତ୍ରରେ।

ସ୍ୱସ୍ତିକ୍ ଆର୍ଟ ହାଉସ ଦ୍ୱାରା ନିର୍ମିତ ଏହି ଚିତ୍ରରେ ଅଭିନୟ କରିଛନ୍ତି ଅମୃତା ଚୌଧୁରୀ ଯିଏ କି ସେହି ନାରୀ ଓ କଳ୍ପନାର କେନ୍ଦ୍ରବିନ୍ଦୁ। ସୁଶାନ୍ତ ମିଶ୍ର ଚିତ୍ରଶିଳ୍ପୀ ଭୂମିକାରେ ଅଭିନୟ କରିଛନ୍ତି ଓ ସ୍ୱସ୍ତିକ୍ ଚୌଧୁରୀ କବିଙ୍କ ଭୂମିକାରେ।

ନିଜ ନିଜ ଦାବିରେ ଅଟଳ ରହିବାରୁ ଶେଷରେ ଦୁଇ ଜଣ ‘ଭାଗ୍ୟ’ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟୁଛନ୍ତି ଯିଏ ଦେଖିବାକୁ ଏକ ମୋଟା ମଣିଷ। ବରଗଡ଼ ଜିଲ୍ଲାର ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଭାଗ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

ଅମର୍ତ୍ତ୍ୟ ଗତ ବର୍ଷ ତାଙ୍କ ୮୦ ମିନିଟ ଦୀର୍ଘ ‘ବନାରସ – ଦ ଅନ୍‌ଏକ୍ସପ୍ଲୋର୍ଡ ଆଟାଜ୍‌‍ମେଣ୍ଟ’ ଅଣ-ଫିଚର ଫିଲ୍ମ ପାଇଁ ଶ୍ରେଷ୍ଠ କ୍ୟାମେରାମ୍ୟାନ ପୁରସ୍କାର ପାଇଛନ୍ତି।

ତାଙ୍କର ଅନ୍ୟ ଏକ ଚିତ୍ର ‘କ୍ୟାପିଟାଲ’ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇଥିଲା ଏବଂ ଉଚ୍ଚ ପ୍ରଶଂସିତ ହୋଇଥିଲା।
ଏହା ବ୍ୟତୀତ ଭୁବନେଶ୍ୱରର ସ୍ନେହାସିସ୍ ଦାସଙ୍କ ଏକ ମ୍ୟୁଜିକ ଭିଡିଓ ‘ଘର ଜାନା ହୈ’ ହଲିଉଡ ଆନ୍ତର୍ଜାତିକ ଗୋଲ୍ଡେନ୍ ଫିଲ୍ମ ଆୱାର୍ଡ ଓ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ଉତ୍ସବରେ ପ୍ରଦର୍ଶିତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି।

‘ଘର ଜାନା ହୈ’ ଦାଦନ ଶ୍ରମିକଙ୍କ ଜୀବନ କାହାଣୀକୁ ନେଇ ତିଆରି ହୋଇଛି। ଏଥିରେ ରାଜା ଜୁତ୍ସି ଓ ଗାର୍ଗି ମହାନ୍ତି ପ୍ରମୁଖ ବିଭିନ୍ନ ଭୂମିକାରେ ଆସିଛନ୍ତି। ଏହି ଚଳଚ୍ଚିତ୍ରକୁ ନେଇ ସ୍ନେହାସିସ୍ କହନ୍ତି,” ମୋ ମତରେ ମ୍ୟୁଜିକ ଭିଡିଓ ସାମାଜିକ ବାର୍ତ୍ତା ପହଞ୍ଚିବାରେ ଏକ ବଳିଷ୍ଠ ମାଧ୍ୟମ। ମୁଁ ଖୁସି ଯେ ଦାଦନ ଶ୍ରମିକ ମାନଙ୍କୁ ନେଇ ନିର୍ମିତ ଚିତ୍ର ବହୁ ସଂଖ୍ୟକ ଦର୍ଶକଙ୍କ ପାଖରେ ପହଞ୍ଚି ପାରୁଛି। ମରୁଡ଼ି ଓ ବେରୋଜଗାର ଭଳି ସମସ୍ୟା ଉପରେ ଆଧାରିତ ଏହି ଚିତ୍ର ଅଧିକରୁ ଅଧିକ  ଲୋକ ଦେଖିବା ଦରକାର।”

Comment