ଓଡ଼ିଶାଲାଇଭ୍‍ ବ୍ୟୁରୋ

ଓଡ଼ିଆ ସିନେନିର୍ମାତା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ସିନେମା ‘କ୍ଷଣିକା – ଦ ଲଷ୍ଟ ଆଇଡିଆ’ ଏଥର ୟୁକେର କାର୍ଡିଫ ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ।  ଏହି ସମ୍ମାନସ୍ପଦ ଫିଲ୍ମ ଫେଷ୍ଟିଭାଲ ଅକ୍ଟୋବର ମାସ ୨୭ରୁ ଆରମ୍ଭ ହୋ‍ଇ ୨୯ ତାରିଖ ଯାଏ ଚାଲିବ।
ସ୍ୱସ୍ତିକ ଆର୍ଟହାଉସ ବ୍ୟାନର ନିବେଦିତ ଏହି ସିନେମାରେ ଅମ୍ରିତା ଚୌଧୁରୀ, ସୁଶାନ୍ତ ମିଶ୍ର ଓ ସ୍ୱସ୍ତିକ ଚୌଧୁରୀ, ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତା ହୃଷିକେଶ ଭୋ‍ଇ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।  ଓଡ଼ିଆ ସିନେଇଣ୍ଡଷ୍ଟ୍ରିର ଏଭରଗ୍ରିନ୍‍ ହିରୋ‍ଇନ୍‍ ଅନୁ ଚୌଧୁରୀ ଏହି ସିନେମାରେ ଅତିଥି କଳାକାର ରୂପେ ନଜର ଆସିଛନ୍ତି।
ଏହା ଏକ କଳ୍ପନା ସମ୍ବଳିତ ପ୍ରତୀକଧର୍ମୀ ଚଳଚ୍ଚିତ୍ର।  ଜଣେ କବି ଓ ଆଉ ଜଣେ ଚିତ୍ରକର ଗୋଟିଏ ଭାବନା ଉପରେ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି।  ଭାବନାକୁ ଏକ ସୁନ୍ଦର ନାରୀର କଳ୍ପନା ଦେଇଛନ୍ତି ସିନେନିର୍ମାତା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ।  ପରିଶେଷରେ ପ୍ରମାଣିତ ହେଉଛି ଯେ ଭାବନା ମୁକ୍ତ ତଥା ସ୍ୱାଧୀନ।  ସୃଜନ ସମ୍ବଳିତ ଭାବନା ଉପରେ କୌଣସି ଗୋଟିଏ ମଣିଷର ଅଧିକାର ନଥାଏ।  ଗୋଟିଏ ସମୟରେ, ଗୋଟିଏ ଭାବନା ଅନେକ ଲୋକଙ୍କ ମନରେ ମଧ୍ୟ ଉଙ୍କି ମାରିପାରେ।  ଯଦିଓ ଏହାର ସୃଜନାତ୍ମକ ସୃଷ୍ଟି ଭିନ୍ନ ହୋ‍ଇଥାଏ, ମୂଳ ଭାବନାରେ ସାମଞ୍ଜସ୍ୟ ଦେଖାଦେଇଥାଏ।
ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ଏହି ସିନେମା ପୂର୍ବରୁ ହିଡିନ ଜେମ୍‌ସ ଫିଲ୍ମ ଫେଷ୍ଟିଭାଲ, ଖାଲପାରି ଏବଂ ମୋଜେକ୍‍ ସାଉଥ୍‍ ଏସିଆନ୍‍ ଫିଲ୍ମ ଫେଷ୍ଟିଭାଲ ୨୦୧୭, କାନାଡାରେ ପ୍ରଦର୍ଶିତ ହୋ‍ଇଛି।
ଅମର୍ତ୍ତ୍ୟଙ୍କର ପ୍ରଥମ ସିନେମା ‘କ୍ୟାପିଟାଲ୍‍-ଆଇ’ ଏକ ମନସ୍ତାତ୍ତ୍ୱିକ ବିଶ୍ଲେଷଣ ହୋ‍ଇଥିବାବେଳେ ‘କ୍ଷଣିକ’ ଏକ ବିଦ୍ରୁପଭରା ସିନେମା। ୬୩ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସେ ‘ବନାରସ୍‍-ଦ ଅନ୍‌ଏକ୍ସପ୍ଲୋଏଡ୍‍ ଆଟାଚମେଣ୍ଟସ’ ସିନେମା ପାଇଁ ରଜତ କମଳ ପୁରସ୍କାର ପ୍ରାପ୍ତ କରିଥିଲେ।
‘କ୍ଷଣିକା – ଦ ଲଷ୍ଟ ଆଇଡିଆ’ ସିନେମାଟି ଅକ୍ଟୋବର ମାସ ୨୯ ତାରିଖରେ ପ୍ରଦର୍ଶିତ ହେବ।

Comment