କମ୍ୟୁନିଟି ରେଡିଓ ବର୍ତ୍ତମାନ ସମାଜର ଦଳିତ, ଅବହେଳିତ ତଥା ଦୁର୍ଗମ ଅଞ୍ଚଳରେ ଥିବା ଲୋକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କର ସ୍ୱରକୁ ଲୋକଲୋଚନକୁ ଆଣିବା ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ ପାଲଟିଛି। ଏ ବିଷୟରେ ‘ରେଡିଓ ନମସ୍କାର’ର ଅଧ୍ୟକ୍ଷ ଏନ୍ ଏ ସାହା ଅନସାରୀଙ୍କ ସହ ଓଡ଼ିଶାଲାଇଭର ସହଯୋଗୀ ସମ୍ପାଦକ ଶ୍ୟାମଲ କିଶୋରଙ୍କ ଆଲୋଚନା

କମ୍ୟୁନିଟି ରେଡିଓ କହିଲେ ଜଣେ ସାଧାରଣ ଲୋକ କ’ଣ ବୁଝିବେ?

‘କମ୍ୟୁନିଟି ରେଡିଓ’ ସଂଜ୍ଞାରୁ ଏହା ପୂରା ସ୍ପଷ୍ଟ, ସାଧାରଣ ଲୋକ କମ୍ୟୁନିଟି ରେଡିଓକୁ ନିଜର ବୋଲି ଭାବୁଥିବେ ଏବଂ ସେହି କମ୍ୟୁନିଟି ବା ଗୋଷ୍ଠୀର ଲୋକମାନେ ହିଁ ତା’କୁ ପରିଚାଳନା କରୁଥିବେ। ତାହାହେଲେ ତା’କୁ ଆମେ କମ୍ୟୁନିଟି ରେଡିଓ ବା ଗୋଷ୍ଠୀ ବେତାର କେନ୍ଦ୍ର କହିବା। କାହିଁକି ନା ସେଠି ଲୋକମାନେ ନିଜେ ନିଜର କଥାକୁ ବେତାର କେନ୍ଦ୍ର ମାଧ୍ୟମରେ ସ୍ପଷ୍ଟ ଭାବରେ କହିବାର ସୁଯୋଗ ପାଇଥା’ନ୍ତି।

ଭାରତ ବର୍ଷରେ କମ୍ୟୁନିଟି ରେଡିଓ କେବେଠୁ ଆରମ୍ଭ ହେଲା?

ଦେଖନ୍ତୁ କେଉଁଠି ନା କେଉଁଠ ଗୋଟିଏ ପ୍ରକ୍ରିୟା ଆରମ୍ଭ ହୁଏ। ପୂର୍ବରୁ ସାଉଥ୍ ଆଫ୍ରିକା, ଲାଟିନ୍ ଆମେରିକାରେ ଯେପରି ଭାବରେ ଲୋକମାନେ ଏହାକୁ ବ୍ୟବହାର କରୁଥିଲେ ସେ ସମ୍ପର୍କରେ ଜାଣିବାକୁ ପାଇଲୁ ଏବଂ ସେ ବିଷୟରେ ଅଭିଜ୍ଞତା ହାସଲ କଲୁ। ସେଠାରେ ଲୋକମାନେ ଚାଷ ସମ୍ପର୍କିତ, ଶିକ୍ଷା ସମ୍ପର୍କିତ ଏବଂ ଅନ୍ୟାନ୍ୟ ବିଷୟ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ କମ୍ୟୁନିଟି ରେଡିଓ ମାଧ୍ୟମରେ ଶୁଣିପାରୁଥିବା ବେଳେ ଭାରତରେ ସେ ପ୍ରକାର ସ୍ଥିତି ତିଆରି ହୋଇନଥିଲା।

ଯେତେବେଳେ ୧୯୯୫ରେ ସୁପ୍ରିମକୋର୍ଟ ଘୋଷଣା କଲେ ଏବଂ କହିଲେ ‘ଏୟାର ୱେ ବ୍ରିଜ୍’ ଗୋଟିଏ ପବ୍ଲିକ୍ ପ୍ରପର୍ଟି, ସେତେବେଳେ ଭାରତ ସରକାର ଚିନ୍ତା କଲେ କିପରି କମ୍ୟୁନିଟି ରେଡିଓକୁ ପ୍ରଚାର କରାଯିବ। କେବଳ ‘ଅଲ୍ ଇଣ୍ଡିଆ ରେଡିଓ’ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରୁନଥିଲା। ଆଉ ମୁଖ୍ୟଧାରାର ମିଡିଆ କେବଳ ସହର ଲୋକଙ୍କ ପାଇଁ ମନୋରଞ୍ଜନର ମାଧ୍ୟମ ସାଜିଛି, ଯାହାବି ସୂଚନା ପ୍ରସାରଣ ହେଉଛି ତାହା ଠିକ୍ ଭାବରେ ଗ୍ରାମାଂଚଳ ଲୋକମାନଙ୍କ ପାଖରେ ପହଞ୍ଚିପାରୁନାହିଁ। ତେଣୁ ସାଧାରଣ ଲୋକଙ୍କ ପାଖରେ ତାଙ୍କର ନିଜର ସ୍ୱରକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ କମ୍ୟୁନିଟି ରେଡିଓ ପ୍ରକ୍ରିୟା ଆରମ୍ଭ ହେଲା।

୨୦୦୨ରେ ପ୍ରଥମେ ସରକାର ଚିନ୍ତିତ ଥିଲେ କେମିତି କମ୍ୟୁନିଟି ରେଡିଓକୁ ଅନ୍ୟ ସଙ୍ଗଠନମାନେ ଚଲେଇବେ ଏବଂ ବିଶେଷକରି ସରକାରୀ ନିୟନ୍ତ୍ରଣରୁ ବାହାରି ଅଲଗା ସଂସ୍ଥାକୁ ଦ୍ୱାୟିତ୍ୱ ଦେବେ। କାରଣ ସରକାରଙ୍କର ସେ ପର୍ଯ୍ୟନ୍ତ ବେସରକାରୀ ସଂସ୍ଥା ବା କୌଣସି ଗୋଷ୍ଠୀ ଉପରେ ଭରସା ପାଉନଥିଲା, ତେଣୁ ସରକାର ପ୍ରଥମେ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରକୁ ଅନୁମତି ଦେଲେ କି ସେମାନେ କମ୍ୟୁନିଟି ରେଡିଓ ପାଇଁ ଆବେଦନ କରିପାରିବେ ଏବଂ ଲାଇସେନ୍ସ ନେଇପାରିବେ। ୨୦୦୨ରୁ ୨୦୦୬ ପର୍ଯ୍ୟନ୍ତ ଯେଉଁ ଅଭିଜ୍ଞତା ହେଲା, ସେଥିରୁ ଦେଖାଗଲା ଯେ ପୁଣି ପୂର୍ବପରି ଆକାଶବାଣୀଠାରୁ କୌଣସି ଗୁଣରେ କମ୍ ନଥିଲା ଏହି କୃଷିବିଜ୍ଞାନ କେନ୍ଦ୍ର କିମ୍ବା ବିଶ୍ୱବିଦ୍ୟାଳୟରେ ଚାଲୁଥିବା ବେତାର କେନ୍ଦ୍ରଗୁଡ଼ିକ। ତେଣୁ ୨୦୦୬ ମସିହାରେ ଗୋଟିଏ ପରିବର୍ତ୍ତନ ଆସିଲା ଏବଂ ସାମାଜିକ ସଂସ୍ଥାଗୁଡ଼ିକୁ କମ୍ୟୁନିଟି ରେଡିଓ ସ୍ଥାପନ ପାଇଁ ଅନୁମତି ଦିଆଗଲା।

ତା’ ପରର କାହାଣୀ ସମସ୍ତଙ୍କୁ ଜଣା। ବାସ୍ତବରେ ସେବେଠୁ ଆରମ୍ଭ ହେଲା ପ୍ରକୃତ କମ୍ୟୁନିଟି ରେଡିଓ ଷ୍ଟେସନଗୁଡ଼ିକର ସ୍ଥାପନା ପର୍ବ। ସେହି ବର୍ଷ ଅର୍ଥାତ୍ ୨୦୦୬ ମସିହାରେ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶରେ ପାସ୍ତପୁରରେ ‘ଡେକାନ୍ ଡେଭଲପମେଣ୍ଟ ସୋସାଇଟି’ ଆରମ୍ଭ କଲା ‘ରେଡିଓ ସଙ୍ଗମ’ ଆଉ ଏହି ରେଡିଓ ଷ୍ଟେସନ ଭାରତର ପ୍ରଥମ ପ୍ରକୃତ କମ୍ୟୁନିଟି ରେଡିଓ ଷ୍ଟେସନ ହୋଇଉଠିଲା। ଆଜିର ଦିନରେ ସାରା ଭାରତବର୍ଷରେ ମୋଟ୍ ୨୦୬ଟି କମ୍ୟୁନିଟି ରେଡିଓ ଷ୍ଟେସନ ଅଛି। ତାହା ଭିତରୁ ଓଡ଼ିଶାରେ ୧୦ଟି କମ୍ୟୁନିଟି ରେଡିଓ ଷ୍ଟେସନ କାର୍ଯ୍ୟରତ। ଏହି ୨୦୬ କମ୍ୟୁନିଟି ରେଡିଓ ଷ୍ଟେସନ ଭିତରୁ ୭୦ରୁ ଅଧିକ ଷ୍ଟେସନ ଏନ୍‌ଜିଓମାନେ ଚଲାଉଛନ୍ତି। ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଷ୍ଟେସନ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧିନରେ ଅଛି ଏବଂ ୧୫-୨୦ଟି ଷ୍ଟେସନ କୃଷିବିଜ୍ଞାନ କେନ୍ଦ୍ରଗୁଡ଼ିକ ଅଧିନରେ ଚାଲୁଛି।

ଓଡ଼ିଶାରେ କମ୍ୟୁନିଟି ରେଡିଓ କିପରି ଭାବରେ ଆଗକୁ ଆସିଲା?

ଯଦି ଓଡ଼ିଶା କଥା ଆମେ କହିବା ତେବେ ଓଡ଼ିଶାରେ ଅଧିକାଂଶ କମ୍ୟୁନିଟି ରେଡିଓ ଷ୍ଟେସନ ସ୍ୱେଚ୍ଛାସେବୀ ସଙ୍ଗଠନ ଦ୍ୱାରା ଚାଲିଛି ଏବଂ ଏମାନଙ୍କର କାର୍ଯ୍ୟଶୈଳୀ ଅନ୍ୟ ରାଜ୍ୟରେ ଚାଲୁଥିବା ଷ୍ଟେସନଗୁଡ଼ିକଠାରୁ ବେଶ୍ ଅଲଗା। ପ୍ରତିବର୍ଷ ଓଡ଼ିଶାର କମ୍ୟୁନିଟି ରେଡିଓ ଷ୍ଟେସନମାନେ ଉଚ୍ଚ ମାନର ଅନୁଷ୍ଠାନ ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କଠାରୁ ପୁରସ୍କୃତ ହେଉଛନ୍ତି।

୨୦୧୦ ଓଡ଼ିଶାର କୋଣାର୍କରେ ‘ରେଡିଓ ନମସ୍କାର’ ଆରମ୍ଭ ହୋଇଥିଲା। ଏହା ହେଉଛି ଓଡ଼ିଶାର ସର୍ବପ୍ରଥମ କାର୍ଯ୍ୟକ୍ଷମ କମ୍ୟୁନିଟି ରେଡିଓ ଷ୍ଟେସନ ଏବଂ ଗତ ୮ ବର୍ଷରେ ଓଡ଼ିଶାରେ ମୋଟ୍ ୧୦ଟି କମ୍ୟୁନିଟି ରେଡିଓ ଷ୍ଟେସନ କାର୍ଯ୍ୟରତ ହୋଇଛି। ବହୁ ଶୀଘ୍ର ରାଜ୍ୟରେ ଆଉ ୨୫ଟି ଷ୍ଟେସନ ଆରମ୍ଭ ହେବାକୁ ଯାଉଛି। ଲାଇସେନ୍ସ ପ୍ରକ୍ରିୟାରେ ଏବେ ସେହି ରେଡିଓ ଷ୍ଟେସନଗୁଡ଼ିକ ରହିଛି।

ସବୁଠାରୁ ଖୁସିର କଥା ଓଡ଼ିଶା ରାଜ୍ୟ ସରକାର ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ନୂଆ ପଦକ୍ଷେପ ନେଇଛନ୍ତି। ଏହା ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କର ଆଦିବାସୀ ବିଭାଗ ତରଫରୁ କମ୍ୟୁନିଟି ରେଡିଓ ଷ୍ଟେସନମାନ ସ୍ଥାପନ କରାଯାଇଥିଲା। ହେଲେ ଓଡ଼ିଶାରେ ଆଗାମୀ ଦିନରେ ୩୨ଟି ଜାଗାରେ ‘ବିଜୁ ଗାଁ ରେଡିଓ’ ସ୍ଥାପନ ହେବାର ଯୋଜନା କରିଛନ୍ତି ସରକାର। ଏଥିପାଇଁ କମ୍ୟୁନିଟି ରେଡିଓ ପ୍ରକ୍ରିୟାରେ ଆବେଦନ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି ଯାହାକି ଆଗାମୀ ଦିନରେ ଏକ ଉଦାହରଣ ସୃଷ୍ଟି କରିବ। ଯେଉଁମାନେ କମ୍ୟୁନିଟି ରେଡିଓ ଚଳାଉଛନ୍ତି ସେମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ। ୧୫ ବର୍ଷ ଭିତରେ ଯେତିକି ପ୍ରୋତ୍ସାହନ ମିଳିବା କଥା ତାହା ମିଳିପାରିନାହିଁ। ପ୍ରଶାସନିକ ସ୍ତରରେ ବା ସରକାରୀ ସ୍ତରରେ ଯେଉଁପରି ଭାବରେ ଅନୁମତି ବା ପ୍ରୋତ୍ସାହନ ମିଳିବା କଥା ତାହା ମିଳିନାହିଁ। ଯାହାକି ଆମେ ଆଶା କରୁଛୁ ଖୁବ୍ ଶୀଘ୍ର ଆମକୁ ମିଳିବ।

୨୦୧୦ରେ ଯେତେବେଳେ ଆପଣ ରେଡିଓ ନମସ୍କାର’ ଆରମ୍ଭ କରିଥିଲେ, କିପରି ଆରମ୍ଭ କରିଥିଲେ? ଆଉ ଆଜିର ସ୍ଥିତି କ’ଣ? କ’ଣ କ’ଣ ଲକ୍ଷ୍ୟ ନେଇ ଆପଣ କମ୍ୟୁନିଟି ରେଡିଓ ଆରମ୍ଭ କରିଥିଲେ?

ଦେଖନ୍ତୁ କଥା ହେଲା ଯେହେତୁ ଡେଭଲପମେଣ୍ଟ ସେକ୍ଟରରେ ମୁଁ ଥିଲି ବା ଅଛି, ତେଣୁ କିଛି ତଥ୍ୟ ଯାହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରେ ନାହିଁ, ତାହାକୁ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଁ ସବୁବେଳେ ପ୍ରୟାସ କରୁଥାଏ। ତେଣୁ ବିଭିନ୍ନ ସମୟରେ କମ୍ୟୁନିଟିର ଲୋକଙ୍କ ପାଖକୁ ଯାଉଥିଲୁ, ସଭାସମିତି କରୁଥିଲୁ, ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରୁଥିଲୁ, କିନ୍ତୁ ଯେତେବେଳେ ଗୋଟିଏ ସୁବିଧା ଆମ୍ଭମାନଙ୍କ ପାଖକୁ ଆସିଲା ଯେ ଆମ୍ଭେ ଗୋଟିଏ ରେଡିଓ ସେଣ୍ଟର ଖୋଲିପାରିବା ବା ଘରୋଇ ବେତାର କେନ୍ଦ୍ର ପ୍ରତିଷ୍ଠା କରି ତା’ ମାଧ୍ୟମରେ ସାଧାରଣ ଲୋକମାନଙ୍କ ପାଖରେ ବିଭିନ୍ନ ସୂଚନାକୁ ପହଞ୍ଚାଇପାରିବା, ସେତେବେଳେ ଆମ ସାମନାରେ ଗୋଟିଏ ସୁଯୋଗ ତିଆରି ହେଲା। ଗାଁ ଗହଳିର ସାଧାରଣ ଲୋକଙ୍କ ପାଖରେ ବିଭିନ୍ନ ଉପାଦେୟ ଖବର ଗୋଟିଏ ଗୋଷ୍ଠୀ ବେତାର କେନ୍ଦ୍ରରୁ ପ୍ରେରଣ କରିପାରିବା – ଏ କଥା ଆମକୁ ସକ୍ରିୟ ଭାବରେ କମ୍ୟୁନିଟି ରେଡିଓ ଆନ୍ଦୋଳନ ସହିତ ମୋତେ ଜୋଡ଼ି ଦେଲା।

ସରକାରୀ ପ୍ରକ୍ରିୟା ମାନି ଆମେ ଯେତେବେଳେ ଆବେଦନ କଲୁ ଏବଂ ଲାଇସେନ୍ସ ପାଇଲୁ ସେତେବେଳକୁ ବୁଝିଯାଇଥିଲୁ କି ଏଇଟା ଗୋଟେ କେବଳ ‘ୱାନ୍ ଟୁ ୱାନ୍’ କମ୍ୟୁନିଟି ଷ୍ଟେସନ ନୁହଁ। ଏହା ମାସ୍ କମ୍ୟୁନିକେସନର ଏକ ମଧ୍ୟମ ହୋଇଯିବ ଯେଉଁଥିରେ ଗୋଷ୍ଠୀର ସାଧାରଣ ଲୋକଙ୍କର ମତାମତ ନିଆଯାଇପାରିବ ଏବଂ ତା’ ପ୍ରଚାର କରାଯାଇପାରିବ, ତେଣୁ ସେହି ପ୍ରକ୍ରିୟାରେ ଆମ୍ଭେ ଆଗକୁ ଚାଲିଲୁ। ଏବେ ଆମେ ଦେଖୁଛୁ ସାଧାରଣ ଲୋକେ ଏହି କମ୍ୟୁନିଟି ରେଡିଓ ଷ୍ଟେସନକୁ ନିଜର ଗୋଟେ ଶକ୍ତି ଭାବରେ ବ୍ୟବହାର କରୁଛନ୍ତି ଏବଂ ସେମାନେ କମ୍ୟୁନିଟି ରେଡିଓ ସାଙ୍ଗରେ ମିଶିଲେଣି। ବିଭିନ୍ନ ଗାଁରେ ଏହାର ନିଜସ୍ୱ ଶ୍ରୋତାବନ୍ଧୁମାନେ ଏହାକୁ ଆଦରିଲେଣି ଏବଂ ଏମାନେ ସିଧାସଳଖ ଭାବରେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ଅନ୍ୟକୁ ସଚେତନ କରିବା ଆରମ୍ଭ କଲେଣି। ସେମାନେ ସେମାନଙ୍କର ଅଧିକାର, କର୍ତ୍ତବ୍ୟ ଏବଂ ବିଭିନ୍ନ ସୁବିଧା ଅସୁବିଧା ସମୟରେ ସୂଚନା ମଧ୍ୟ ପାଇଲେଣି। ତେଣୁ ଏହା ଏକ ଶୁଭ ସୂଚନା। ଯେହେତୁ ଆମ୍ଭେ କମ୍ୟୁନିଟି ରେଡିଓ ଷ୍ଟେସନକୁ ଚଳାଉଛୁ, ସବୁବେଳେ ସତର୍କ ଥାଉକି କିଛି ଭୁଲ୍ ସୂଚନା ଲୋକମାନଙ୍କ ପାଖରେ ନ ପହଞ୍ଚୁ, ଯାହା ଫଳରେ ଲୋକଙ୍କର କ୍ଷତି ହେବ। ଲୋକମାନେ ନିଜ ବିଷୟରେ ନିଜେ କହିବା ଆରମ୍ଭ କଲେଣି। ସେମାନେ ସେମାନଙ୍କର ଅଧିକାର ବିଷୟରେ ସିଧାସଳଖ ବ୍ଲକ୍ ଅଫିସରେ ପହଞ୍ଚି ବିଡିଓଙ୍କୁ ପଚାରିବା ଆରମ୍ଭ କଲେଣି। ଏହା ଆମକୁ ଆଗକୁ ବଡ଼ିବା ଶକ୍ତି ଯୋଗାଉଛି।

ରେଡିଓ ନମସ୍କାର’ରେ କେଉଁ କେଉଁ କାର୍ଯ୍ୟକ୍ରମ ପ୍ରସାରଣ କରିଥା’ନ୍ତି, କେତେ କିଲୋମିଟର ଅଞ୍ଚଳରେ ଆପଣଙ୍କର ଏହି ରେଡିଓ ସେବା ପରିବ୍ୟାପ୍ତ?

ଯଦି କଭରେଜ୍ କଥା କହିବା, ବର୍ତ୍ତମାନ ପୁରୀ ଜିଲ୍ଲାର କୋଣାର୍କଠାରୁ ୧୫ରୁ ୨୦ କିଲୋମିଟର ଦୂରତାରେ ଏହା ପ୍ରସାରିତ ହେଉଛି ଯାହାଫଳରେ ପ୍ରାୟ ୬/୭ଟି ବ୍ଲକ୍‌ର ଲୋକମାନେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ‍ସିଧାସଳଖ ଭାବରେ ୩ଟି ବ୍ଲକ୍‌ରେ ଆମେ ସମ୍ପୂର୍ଣ୍ଣ ଭାବରେ ପ୍ରସାରଣ କରୁଛୁ। ଗୋପ, କାକଟପୁର, ଅସ୍ତରଙ୍ଗରେ ଆମର ସ୍ୱେଚ୍ଛାସେବୀ ଆଉ ନିର୍ଦ୍ଦିଷ୍ଟ ଶ୍ରୋତାବନ୍ଧୁମାନେ ଅଛନ୍ତି। ଅର୍ଥାତ୍ ଲୋକଙ୍କ ସହ ଦୈନିକ ‘ରେଡିଓ ନମସ୍କାର’ ତା’ର କାର୍ଯ୍ୟକ୍ରମ ଚାଲୁ ରଖୁଛି। ସେହିଭଳି ପ୍ରାୟ ୫୦୦ ଗାଁ ଅଛି, ଯେଉଁଠି ଆମେ ସିଧାସଳଖ ଲୋକଙ୍କ ସହ ରହିଛୁ। ଆଉ ଲୋକମାନେ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ନିୟମିତ ଭାବେ ଆମ ରେଡିଓ ମାଧ୍ୟମରେ ଅବଗତ କରାଇ ଚାଲିଥାନ୍ତି। ସେମାନେ ସମସ୍ତେ ‘ରେଡିଓ ନମସ୍କାର’କୁ ତାଙ୍କର ସାଥୀ ବୋଲି ଭାବିଥା’ନ୍ତି।

ଆମେ ଆମ ଶ୍ରୋତାବନ୍ଧୁମାନଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଛୁ – ଯେମିତିକି କୃଷିଭିତିକ କାର୍ଯ୍ୟକ୍ରମ, ମହିଳାଭିତ୍ତିକ କାର୍ଯ୍ୟକ୍ରମ, ସୂଚନା ଅଧିକାର ଆଇନ, ଶିକ୍ଷା, ସରକାରଙ୍କର ବିଭିନ୍ନ ଯୋଜନା ଇତ୍ୟାଦି। କିନ୍ତୁ ଯେକୌଣସି କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ ଏହାର ମୂଳ ଲକ୍ଷ୍ୟ ହେଉଛି ଜନ ସଚେତନତା। ଆମର ୧୦୪ଟି ଶ୍ରୋତାମଣ୍ଡଳ ରହିଛି। ସେମାନେ ବିଭିନ୍ନ ସମୟରେ ସେମାନଙ୍କ ମତାମତ ଦେଇଥା’ନ୍ତି। ସେମାନେ ସେମାନଙ୍କ ତରଫରୁ ନିୟମିତ ଭାବେ ଜଣାଉଛନ୍ତି କିପରି କାର୍ଯ୍ୟକ୍ରମ ହେବା ଦରକାର। ଯେମିତିକି ମଝିରେ ସେମାନେ କହିଲେ ‘କିଚେନ୍ ଗାର୍ଡେନ୍’ ସମ୍ପର୍କରେ କିଛି କାର୍ଯ୍ୟକ୍ରମ ପ୍ରସାରଣ କରନ୍ତୁ। ଆମକୁ ମଧ୍ୟ ଭଲ ଲାଗିଲା ମତାମତ। ଏହାକୁ ଆମ୍ଭେ ଏକ ମିଶନ ଭାବରେ ଗ୍ରହଣ କଲୁ ଏବଂ ସେହି ବର୍ଷ ପ୍ରାୟ ୬୦୦ କିଚେନ୍ ଗାର୍ଡେନ ଆମ୍ଭେ କରିବା ପାଇଁ ସଚେତନ କରାଇଲୁ। ତେଣୁ କମ୍ୟୁନିଟି ରେଡିଓର ଗୋଟିଏ ନିଜସ୍ୱ ସ୍ୱର ରହିଛି, ଏକଥା ଅସ୍ୱୀକାର କରି ହେବ ନାହିଁ।

ଓଡ଼ିଶାରେ କେଉଁ କେଉଁ ଜାଗାରେ ଏବେ କମ୍ୟୁନିଟି ରେଡିଓ କାର୍ଯ୍ୟରତ?

ଓଡ଼ିଶାରେ ବର୍ତ୍ତମାନ ୧୦ଟି କମ୍ୟୁନିଟି ରେଡିଓ ଷ୍ଟେସନ କାର୍ଯ୍ୟରତ ଅଛି। ଏଗୁଡ଼ିକ ହେଉଛି ପୁରୀ ଜିଲ୍ଲା କୋଣାର୍କରେ ‘ରେଡିଓ ନମସ୍କାର’, ଜଗତସିଂହପୁର ସହରରେ ‘ରେଡିଓ ସଂସ୍କାର’, ଭୁବନେଶ୍ୱର ନିକଟ ବାଲିପାଟଣାରେ ‘ରେଡିଓ କିଶାନ’, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ‘ଭଏସ୍ ଅଫ୍ ରେଭେନ୍ସା’, ସୋଆ ବିଶ୍ୱବିଦ୍ୟାଳୟରେ ‘ସୋଆ ରେଡିଓ’, ନୟାଗଡ଼ରେ ‘ରେଡିଓ ସୁରଭି’, ଫୁଲବାଣୀରେ ‘ରେଡିଓ ମୁସ୍କାନ’, ଖରିଆରରେ ‘ରେଡିଓ ସ୍ୱୟଂଶକ୍ତି’, ଭଦ୍ରକରେ ‘ରେଡିଓ ବୁଲବୁଲ୍’, ଚଣ୍ଡିଖୋଲରେ ‘ରେଡିଓ ସ୍ୱରାଜ’ ଏବଂ କୋରାପୁଟରେ ‘ରେଡିଓ ଢିମସା’।

ରାଜ୍ୟରେ ଯେଉଁ କମ୍ୟୁନିଟି ରେଡିଓ ଷ୍ଟେସନମାନ ରହିଛି, ପରସ୍ପର ଭିତରେ ଏମାନେ କେତେ ନିର୍ଭରଶୀଳ?

ଦେଖନ୍ତୁ ଯଦି ଓଡ଼ିଶାର ଉଦାହରଣ ନେବେ, ଏଠାକାର କମ୍ୟୁନିଟି ରେଡିଓ ଷ୍ଟେସନଗୁଡ଼ିକ ସୁସଂଗଠିତ। ଆମର ନିଜସ୍ୱ ଏକ କମ୍ୟୁନିଟି ରେଡିଓ ଆସୋସିଏସନ ରହିଛି। ଯଦି କୌଣସି ଭଲ ବିଷୟ ଗୋଟିଏ ରେଡିଓ ଷ୍ଟେସନରେ ପ୍ରସାରଣ ହେଉଛି ଏବଂ ଲୋକ ଏହାକୁ ପସନ୍ଦ କରୁଛନ୍ତି, ତେବେ ସେହି ବିଷୟଟିକୁ ଆମେ ବିଭିନ୍ନ ରେଡିଓ ଷ୍ଟେସନ ସହ ଆଦାନ ପ୍ରଦାନ କରିଥାଉ। ଯାହାଫଳରେ ବିଭିନ୍ନ ଅଞ୍ଚଳର ଲୋକମାନେ ସେ ବିଷୟରେ ଜାଣିପାରନ୍ତି। ଯଦି କୌଣସି କମ୍ୟୁନିଟି ରେଡିଓ ଷ୍ଟେସନରେ ଯାନ୍ତ୍ରିକ ତ୍ରୁଟି ଦେଖାଦିଏ ଏବଂ ତା’କୁ ସେହି ରେଡିଓ ଷ୍ଟେସନର କର୍ମକର୍ତାମାନେ ସମାଧାନ କରିନପାରନ୍ତି ତେବେ ସେ ବିଷୟରେ ଅବଗତ ଥିବା କର୍ମକର୍ତ୍ତା ତା’କୁ ସମାଧାନ କରିଥାନ୍ତି। ଆମେ ସମସ୍ତେ ଏକତ୍ରିତ ଭାବେ କାମ କରୁଛୁ। ଓଡ଼ିଶାର ଉଦାହରଣ ଏବେ ଅନ୍ୟ ରାଜ୍ୟମାନେ ମାନିବା ଆରମ୍ଭ କଲେଣି। ଆମେ ବର୍ଷକୁ ୨-୩ଟି ଜାତୀୟ ସ୍ତରୀୟ ସମ୍ମିଳନୀ କରୁଛୁ। ଅନ୍ୟମାନଙ୍କଠାରୁ ଆମେ କ’ଣ ଶିଖିବୁ, ଅନ୍ୟମାନେ ଆମଠୁ କ’ଣ ଶିଖିବେ ତାହା ପ୍ରତି ଆମେ ଯତ୍ନବାନ ଅଛୁ।

ଅନ୍ୟପକ୍ଷରେ, କମ୍ୟୁନିଟି ରେଡିଓ ଆସୋସିଏସନର ଫାଉଣ୍ଡର ଭାଇସ୍ ପ୍ରେସିଡେଣ୍ଟ ଭାବେ ମୁଁ ପାଞ୍ଚ ବର୍ଷ କାର୍ଯ୍ୟ କରିସାରିଛି। ତେଣୁ ସକ୍ରିୟ ଭାବରେ ମୁଁ ତାହା ସହିତ କାମ କରୁଛି। ଏଥିସହ ବିଶ୍ୱ କମ୍ୟୁନିଟି ରେଡିଓ ଆସୋସିଏସନ ‘ଆମାର’ ସହିତ ଭଲ ଭାବରେ ଯୋଡ଼ି ହୋଇ ରହିଛି। ସାମଗ୍ରିକ ଭାବେ ବହୁ ବିଷୟରେ ଶିଖିବାର ଅଛି। ଆଗାମୀ ଦିନରେ କମ୍ୟୁନିଟି ରେଡିଓର ଭବିଷ୍ୟତ ଉଜ୍ୱଳ।

ଗୋଟିଏ ଗୋଷ୍ଠୀ ବା ଅନୁଷ୍ଠାନ ଯଦି କମ୍ୟୁନିଟି ରେଡିଓ ଷ୍ଟେସନ ଆରମ୍ଭ କରିବା ପାଇଁ ଚାହେଁ, କେଉଁ ପ୍ରକ୍ରିୟା ମାଧ୍ୟମରେ ସେମାନେ ଆଗେଇବେ?

ପ୍ରଥମତଃ ମୋର ସ୍ୱପ୍ନ ରାଜ୍ୟର ସବୁ ୩୧୪ଟି ବ୍ଲକ୍‌ରେ ୩୧୪ଟି କମ୍ୟୁନିଟି ରେଡିଓଷ୍ଟେସନ ସ୍ଥାପନ ଅତିଶୀଘ୍ର ହେଉ। କାରଣ ତାହାଦ୍ୱାରା କିଛି ଲୋକ ଆଜି ଯେଉଁ କାର୍ଯ୍ୟ କରୁଛୁ ସେହି କାମ କରିବାକୁ ବହୁତ ଲୋକ ଆଗେଇ ଆସିବେ ଏବଂ ସାଧାରଣ ଲୋକମାନେ ସେମାନଙ୍କର ନାଯ୍ୟ ଅଧିକାର ତୁରନ୍ତ ପାଇବାର ଏକ ରାସ୍ତା ତିଆରି ହୋଇପାରିବେ। କମ୍ୟୁନିଟି ରେଡିଓ ଷ୍ଟେସନ ସ୍ଥାପନ କରିବା ପାଇଁ ପ୍ରଚୁର ସୁବିଧା ଅଛି। ଆମର ଗୋଟିଏ ଟିମ୍ ଅଛି ଯେଉଁମାନେ ଅନ୍ୟମାନଙ୍କୁ ଏ ବିଷୟରେ ସଚେତନ କରୁଛନ୍ତି ଯେ କିପରି ଭାବରେ କମ୍ୟୁନିଟି ରେଡିଓ ଷ୍ଟେସନ ଗୋଟିଏ ସଂସ୍ଥା ଆରମ୍ଭ କରିବେ।

ମୋ ମତରେ ରାଜ୍ୟର ଯୁବପିଢ଼ି, ସ୍ୱେଚ୍ଛାସେବୀମାନେ ଆଗକୁ ଆସିବା ଦରକାର। ସେମାନେ ସକ୍ରିୟ ଭାବରେ କମ୍ୟୁନିଟି ରେଡିଓ ସମ୍ପର୍କରେ ବୁଝି ବୁଝାଇବାର ଆବଶ୍ୟକତା ରହିଛି।

LEAVE A REPLY

Please enter your comment!
Please enter your name here