ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌ ସମୟରେ ଯୁବଗୋଷ୍ଠୀଙ୍କୁ ଏକାଠି କରିବା ପାଇଁ ‘ମୁଁ ପାରିବି’ ଅଭିଯାନ।

କୋଭିଡ୍‌-୧୯ ମହାମାରୀ ବେଳେ ଯେଉଁସବୁ ଆହ୍ୱାନ ରହିଛି ତାକୁ ସାମ୍ନା କରି ଯୁବପିଢ଼ିମାନେ କେମିତି ଆଗକୁ ଆସିବେ ତାକୁନେଇ ଏକ ଡିଜିଟାଲ କାର୍ଯ୍ୟକ୍ରମ ‘ମୁଁ ପାରିବି’ ସୋମବାର ଦିନ ଅନୁଷ୍ଠିତ ହୋଇଥିଲା। କୋରାପୁଟ ଜିଲ୍ଲା ପ୍ରଶାସନ, ୟୁନିସେଫ୍‌ ଏବଂ ଆକ୍ସନଏଡ୍‌ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ୟୁନିସେଫ୍‌, ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍‌, କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ୟୁନିସେଫ୍‌ର ଚାଇଲ୍ଡ ପ୍ରୋଟେକ୍ସନ ସ୍ପେଶାଲିଷ୍ଟ ନେହା ନାଇଡୁ, ୟୁନିସେଫ୍‌ର କମ୍ୟୁନିକେସନ ଆଡଭୋକେସି ଏବଂ ପାର୍ଟନରସିପ୍‌ ସ୍ପେଶାଲିଷ୍ଟ ରାଧିକା ଶ୍ରୀବାସ୍ତବ, ଫୁଟବଲ ତାରକା ଶୁଭମ ଷଡ଼ଙ୍ଗୀ ପ୍ରମୁଖ ଭାଗ ନେଇଥିଲେ। ଆକ୍ସନ ଏଡ୍‌ର ‘ବାଲ୍ୟ ବିବାହ ବିରୋଧୀ କାର୍ଯ୍ୟକ୍ରମ’ର ନ୍ୟାସନାଲ୍ ମ୍ୟାନେଜର ଘାସିରାମ ପଣ୍ଡା ଏଥିରେ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। କୋରାପୁଟ ଡିଏସ୍‌ଡବ୍ଲ୍ୟୁଓ ହରେକୃଷ୍ଣ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ‘ଓଡ଼ିଶାଲାଇଭ୍‌’ ଡିଜିଟାଲ ଆଉଟ ରିଚ୍‌ ପାର୍ଟନର ରହିଥିଲା। ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‌ ଚ୍ୟାନେଲ ଏବଂ ଫେସ୍‌ବୁକ୍‌ ପେଜରେ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା।

ଦୁଇ ଘଣ୍ଟା ଧରି ଚାଲିଥିବା ଏହି ଅନଲାଇନ କାର୍ଯ୍ୟକ୍ରମରେ କୋଭିଡ୍‌ ସଙ୍କଟ ବେଳେ ଯୁବପିଢ଼ିଙ୍କ ଭୂମିକା ଏବଂ ବାଲ୍ୟ ବିବାହ ରୋକିବା ଉପରେ ଆଲୋଚନା ହୋଇଥିଲା।

‘‘ଭାରତର ବିକାଶ ଯୁବପିଢ଼ିମାନଙ୍କ ଉପରେ ନିର୍ଭର କରୁଛି। ଯୁବପିଢ଼ିଙ୍କ ଭିତରେ ଅନେକ ଶକ୍ତି ରହିଛି। ଏହି ଶକ୍ତିର ସେମାନେ ସୁବିନିଯୋଗ କରିବା ଦରକାର। ବର୍ତ୍ତମାନ କୋଭିଡ୍‌ ସଙ୍କଟ ଚାଲିଥିବାରୁ ଯୁବପିଢ଼ିମାନେ ଘର ଭିତରେ ଆବଦ୍ଧ ହୋଇ ରହିଛନ୍ତି। ଏହି ସମୟରେ ସେମାନଙ୍କ ପାଇଁ ଅନେକ ଚାଲେଞ୍ଜ ରହିଛି। ଏସବୁକୁ ସାମ୍ନା କରିବା ଯୁବପିଢ଼ିମାନେ ଆଗକୁ ଆସିବା ଦରକାର’’, କହିଛନ୍ତି ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍‌।

ଏହି ଆଲୋଚନାରେ ଭାଗନେଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ବାଲ୍ୟ ବିବାହ ପ୍ରଥା ରୋକିବା ଉପରେ ମତ ରଖିଥିଲେ। କେରାପୁଟ ଜିଲ୍ଲାରେ ଏହି ପ୍ରଥା ରୋକିବା ପାଇଁ ଜିଲ୍ଲା ପ୍ରଶାସନ ‘ଅପରାଜିତା’ କ୍ୟାମ୍ପେନ ଆରମ୍ଭ କରିଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ।

‘‘ବାଲ୍ୟ ବିବାହ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ଆଗରେ ରହିଥିବା ବେଳେ କୋରାପୁଟ ଜିଲ୍ଲା ତା’ ପଛକୁ ରହିଛି। କୋରାପୁଟ ଜିଲ୍ଲାରେ ଏହି ପ୍ରଥା ରୋକିବା ପାଇଁ ପ୍ରଶାସନ ଅନେକ ପଦକ୍ଷେପ ଗ୍ରହଣ କରିଛି। ‘ଅପରାଜିତା’ ନାଁରେ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ବାଲ୍ୟ ବିବାହା କିପରି ରୋକାଯାଇପାରିବ ସେନେଇ ଏହି ଅଭିଯାନ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯାଉଛି। କେବଳ ପ୍ରଶାସନ ଚାହିଁଲେ ଏହି ଅଭିଯାନ ସଫଳ ହେବନି, ଏଥିପାଇଁ ଯୁବପିଢ଼ିମାନେ ଆଗେଇ ଆସିବା ଦରକାର’’, କହିଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର।

ଯୁବପିଢ଼ିମାନେ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନନ୍ତୁ। ସମାଜକୁ ନୂଆ ବାଟ ଦେଖାଇବା ପାଇଁ ଯୁବପିଢ଼ିମାନେ ସକରାତ୍ମକ ମନୋଭାବ ନେଇ କାମ କରନ୍ତୁ ବୋଲି ଜିଲ୍ଲାପାଳ କହିଥିଲେ।

ଶିଶୁ ଅଧିକାରକୁ ନେଇ ଜାତିସଂଘ ଏକ ନିର୍ଦ୍ଦେଶାବାଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ସମ୍ପର୍କରେ ୟୁନିସେଫ୍‌ର ଚାଇଲ୍ଡ ପ୍ରୋଟେକ୍ସନ ସ୍ପେଶାଲିଷ୍ଟ ନେହା ନାଇଡୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

‘‘ଶିଶୁ ଅଧିକାର ସମ୍ପର୍କୀତ ନିର୍ଦ୍ଦେଶାବଳୀକୁ ଭାରତ ସମେତ ସାରା ବିଶ୍ୱ ଗ୍ରହଣ କରିଥିଲା। ଏଥିରେ ୫୪ଟି ଅନୁଚ୍ଛେଦ ରହିଛି। ସେଥିମଧ୍ୟରୁ ୪୧ଟି ଅନୁଚ୍ଛେଦ ଶିଶୁ ଅଧିକାର ସମ୍ପର୍କରେ ରହିଥିବା ବେଳେ ଅନ୍ୟ ୧୩ଟି ଏହାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସଂସ୍ଥା ଏବଂ ବୟସ୍କମାନଙ୍କର କ’ଣ କର୍ତ୍ତବ୍ୟ ରହିଛି ସେନେଇ ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ ସମସ୍ତେ ସଚେତନ ହେବା ଜରୁରୀ’’, କହିଛନ୍ତି ନେହା ନାଇଡୁ।

ପିଲାମାନେ ଏବେ ସୋସିଆଲ ମିଡିଆର ବହୁଳ ବ୍ୟବହାର କରୁଛନ୍ତି। ଫଳରେ ସେମାନେ ଅଧିକାଂଶ ସମୟରେ ଅନେକ ଶୋଷଣର ଶିକାର ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତି ଶିଶୁମାନଙ୍କୁ ସୋସିଆଲ ମିଡିଆରେ ପ୍ରଲୋଭନ ଦେଖାଇ ଶୋଷଣ କରୁଥାନ୍ତି ତାହାଲେ ସେମାନେ ତୁରନ୍ତୁ ପୋଲିସ କିମ୍ବା ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଏବଂ ସରପଞ୍ଚଙ୍କ ଦୃଷ୍ଟିକୁ ଆଣିବା ଦରକାର ବୋଲି ନେହା ନାଇଡୁ କହିଥିଲେ।

‘‘ଯୁବପିଢ଼ିମାନଙ୍କ ମନରେ କିଛି କରିବାର ଶକ୍ତି ରହିଛି। ସେମାନଙ୍କୁ ଭବିଷ୍ୟତର ନାଗରିକ କହି ଅବହେଳା କରିବା କଥା ନୁହେଁ। ସେମାନେ ହେଉଛନ୍ତି ଅଜିର ନାଗରିକ। ଯୁବପିଢ଼ି ଚାହିଁଲେ ଦେଶ ଏବଂ ସମାଜକୁ ବଦଳାଇ ପାରିବେ। ତେଣୁ ସେମାନେ ସକରାତ୍ମକ ମନୋଭାବ ନେଇ ଆଗକୁ ଆସିବା ଉଚିତ’’, କହିଛନ୍ତି ରାଧିକା ଶ୍ରୀବାସ୍ତବ।

କୋଭିଡ୍‌ ମହାମାରୀ ସମୟରେ ସମୟକୁ ଅପଚୟ ନକରି ଯୁବପିଢ଼ି ଏବଂ ଛାତ୍ରଛାତ୍ରୀମାନେ ସୁବିନିଯୋଗ କରିବା ଦରକାର ବୋଲି ଫୁଟବଲ ତାରକା ଶୁଭମ ଷଡ଼ଙ୍ଗୀ କହିଛନ୍ତି।

‘‘ମହାମାରୀ ଆମମାନଙ୍କ ପାଇଁ ଅନେକ ଆହ୍ୱାନ ସୃଷ୍ଟି କରିଛି। ତେଣୁ ସମସ୍ତେ ଏହି ଆହ୍ୱାନକୁ ସମ୍ନା କରିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ସମସ୍ତେ ଏବେ ଘରେ ରହିଛନ୍ତି। ସମସ୍ତଙ୍କୁ କିଛି ନା କିଛି ନୂଆ କଥା ଶିଖିବାକୁ ପଡ଼ିବ। ଆଗାମୀ ଦିନ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ବିପଦ ବେଳରେ କେହି ଭାଙ୍ଗି ପଡ଼ିବା ଉଚିତ ନୁହେଁ। ମନୋବଳକୁ ସୁଦୃଢ଼ କରି ଆଗକୁ ଯିବା ପାଇଁ ରାସ୍ତା ଖୋଜିବାକୁ ପଡ଼ିବ’’, କହିଛନ୍ତି ଶୁଭମ ଷଡ଼ଙ୍ଗୀ।

‘‘ପ୍ରତ୍ୟେକ ଯୁବକଙ୍କ ମନରେ ଅଦମ୍ୟ ସାହସ ରହିଛି। ସେମାନଙ୍କ ଭିତରେ ଇଚ୍ଛାଶକ୍ତିର ଅଭାବ ନାହିଁ। କୋରାପୁଟ ଜିଲ୍ଲାରୁ ଆରମ୍ଭ ହୋଇଥିବା ‘ମୁଁ ପାରିବି’ ଅଭିଯାନ ଆଗକୁ ଯିବ। ବାଧା ବିଘ୍ନ ଭିତରେ ଯୁବଗୋଷ୍ଠୀଙ୍କୁ ଆଗକୁ ଆଣିବା ପାଇଁ ପ୍ରୟାସ କରାଯିବ’’, କହିଛନ୍ତି ଘାସିରାମ ପଣ୍ଡା।

ଏହି କାର୍ଯ୍ୟକ୍ରମରେ ବହୁ ଯୁବପିଢ଼ି ଭାଗ ନେଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏଥିରେ ଭାଗ ନେଇଥିବା ଏକ୍ସପର୍ଟମାନେ ପ୍ରଶ୍ନର ଉତ୍ତର ଦେଇଥିଲେ।

Comment