ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘କେବଳ କମ୍ୟୁନିଟି ରେଡିଓ ହିଁ ସାଧାରଣ ଲୋକଙ୍କ ମନର କଥା ନିର୍ଭିକ୍ଷ ଓ ନିରପେକ୍ଷ ଭାବରେ କହିପାରିବ। ଯେକୌଣସି ଜନହିତକାରୀ ସୂଚନା ଅପହଞ୍ଚ­ ଇଲାକାର ଶେଷ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କମ୍ୟୁନିଟି ରେଡିଓ ହିଁ ଏକମାତ୍ର ମାଧ୍ୟମ। ଦେଶ ଏବଂ ରାଜ୍ୟରେ କମ୍ୟୁନିଟି ରେଡିଓର ସଂଖ୍ୟା ବୃଦ୍ଧି କରିବା, ଏଗୁଡ଼ିକୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆଗକୁ ଆସିବା ଦରକାର’’, ଏକ ରେଡିଓ କନକ୍ଲେଭ୍‌ରେ କହିଛନ୍ତି ସାଂସଦ ଡକ୍ଟର ଅମର ପଟ୍ଟନାୟକ।

ଭୁବନେଶ୍ୱରସ୍ଥିତ ଇମେଜ ସମ୍ମେଳନ କକ୍ଷରେ ଓଡିଶା କମ୍ୟୁନିଟି ରେଡିଓ ମହାସଂଘ ପକ୍ଷରୁ ଗତ ବିଶ୍ୱ ରେଡିଓ ଦିବସ ଅବସରରେ ୧୩ ଓ ୧୪ ତାରିଖ ଦୁଇଦିନ ଧରି ରେଡିଓ କନକ୍ଲେଭ ପାଳିତ ହୋଇଥିଲା। ଏହି ସମାରୋହରେ ଓଡିଶାର ୧୭ଟି ଗୋଷ୍ଠୀ ବେତାର କେନ୍ଦ୍ରରୁ ୧୦୦ରୁ ଅଧିକ ରେଡିଓ ପ୍ରସାରକ, ଉପସ୍ଥାପକ, ଉପସ୍ଥାପିକା, ଶ୍ରୋତାମଣ୍ଡଳୀ ପ୍ରତିନିଧି, ସାମାଜିକ କର୍ମୀ, ସାମ୍ବାଦିକ ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ସମାରୋହକୁ ଉଦ୍‌ଘାଟନ କରିବା ଅବସରରେ ୟୁନିସେଫ୍ ଓଡ଼ିଶାର ମୁଖ୍ୟ ଡକ୍ଟର ମୋନିକା ନେଲସନ୍ କହିଥିଲେ, ‘‘ବିପର୍ଯ୍ୟୟ ହେଉ ବା ସାଧାରଣ ସମୟ ସବୁବେଳେ ପରିବାରର ମହିଳା ଓ ଶିଶୁମାନେ ସ୍ୱାଧୀନ ଭାବେ ମତବ୍ୟକ୍ତ କରିବାର ସୁଯୋଗ ପାଇନଥାନ୍ତି। କମ୍ୟୁନିଟି ରେଡିଓ ହିଁ ସେମାନଙ୍କର ଶକ୍ତି, ଯାହା ସେମାନଙ୍କ କଥା କହେ। ଓଡ଼ିଶାର କମ୍ୟୁନିଟି ରେଡିଓ କୋଭିଡ-୧୯ ବିପର୍ଯ୍ୟୟ ସମୟରେ ବହୁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରି ରାଜ୍ୟ ତଥା ଜାତୀୟସ୍ତରରେ ପ୍ରଶଂସିତ ହୋଇଛି। ଆଗାମୀ ଦିନରେ ଆମେ ସମସ୍ତେ ମିଳିମିଶି କମ୍ୟୁନିଟି ରେଡିଓ ମାଧ୍ୟମରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ଏମାନଙ୍କର ଧେୟ ହେଉ’’।

ଓଡ଼ିଶାରେ ବର୍ତ୍ତ­ମାନ ୧୯ଟି କମ୍ୟୁନିଟି ରେଡିଓ କାର୍ଯ୍ୟକ୍ଷମ ଥିଲାବେଳେ ଆଗାମୀ ଦିନରେ ଓଡ଼ିଶାର ପ୍ରତି ବ୍ଲକରେ ସ୍ଥାନୀୟ ସଂଗଠନମାନଙ୍କ ଦ୍ୱାରା କମ୍ୟୁନିଟି ରେଡିଓ ସ୍ଥାପନ କରିବାର ଉଦ୍ୟମ ଜାରି ରହିଛି ଓ ଏହି ଅଭିଯାନ ‘ମିଶନ୍ ସି.ଆର ୩୧୪’ କ୍ରମେ ଲକ୍ଷ୍ୟର ନିକଟବ­ର୍ତ୍ତୀ ହେଉଛି ବୋଲି କହିଛନ୍ତି କମ୍ୟୁନିଟୀ ରେଡିଓ ବିଶେଷଜ୍ଞ ଏନ୍‌.ଏ.ଶାହ ଅନ୍‌ସାରୀ।

ଓଡ଼ିଶା କମ୍ୟୁନିଟି ରେଡିଓ ମହାସଂଘର ସଭାପତି ଡକ୍ଟର ଶିଶିର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷି ବିଭାଗର ଅତିରିକ୍ତ ସଚିବ ମନ୍ମଥ କୁମାର ପାଣୀ, ଇମେଜର ନିର୍ଦ୍ଦେଶକ ପ୍ରଦୀପ କୁମାର ରଥ, ରେଡିଓ ହୀରାଖଣ୍ଡର ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ପ୍ରଫେସର ଡକ୍ଟର ନଳିନୀ ପାତ୍ର,  ଆକ୍ସନ୍‌ଏଡ୍‌ର ଆ­ଞ୍ଚଳିକ ସଂଯୋଜକ ଦେବବ୍ରତ ପାତ୍ର,  ବିଏନ୍ ଦୁର୍ଗା ପ୍ରମୁଖ ବିଭିନ୍ନ ବିଷୟ ଭି­ତ୍ତିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ରେଡିଓ ନମସ୍କାର, ରେଡିଓ ବୁଲ୍‌ବୁଲ୍ ଓ ରେଡିଓ ସୁରଭୀ ତରଫରୁ କୋଭିଡ୍ ମହାମାରୀ ସମୟରେ ଗ୍ରହଣ କରାଯାଇଥିବା ବିଭିନ୍ନ ଲୋକାଭୀମୁଖୀ ପଦକ୍ଷେପ ସଂପର୍କରେ ଆଲୋକପାତ କରାଯାଇଥିଲା । ରେଡିଓ ସ୍ୱରାଜର ଅଧ୍ୟକ୍ଷ ଏସ୍‌.ଏ.ସଫିକ୍‌ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦୁଇ ଦିବସୀୟ ସମାରୋହକୁ ମହାସଂଘର ସଂପାଦକ ଶେଖ୍ ମହମ୍ମଦ ନିୟାଜ୍‌, ରେଡିଓ ଗୁଞ୍ଜନର ନିର୍ଦ୍ଦେଶକ ନିହାର ରଞ୍ଜନ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

Comment