ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ସୋସିଆଲ୍‌ ମିଡିଆର ଯୁଗ। ତେଣୁ କିପରି ଭାବରେ ମହିଳାମାନେ ଏଥିରେ ଯୋଡ଼ି ହୋଇ ନିଜର ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ ସେ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଯାଇଛି ଫେସ୍‌ବୁକ୍ ଏବଂ ରାଜ୍ୟ ସରକାରଙ୍କ ତରଫରୁ ‘ସି ମିନସ୍‌ ବିଜ୍‌ନେସ୍’ କର୍ମଶାଳା। ରାଜ୍ୟରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଡିଜିଟାଲ୍ ବା ସୋସିଆଲ ମିଡିଆ ମାଧ୍ୟମରେ କିପରି ମାର୍କେଟିଂ ବା ବ୍ୟାପାର କରିପାରିବେ ଏବଂ ସମଗ୍ର ବିଶ୍ୱରେ ନିଜର  ଉତ୍ପାଦିତ ସାମଗ୍ରୀକୁ  ପହଞ୍ଚାଇପାରିବେ ସେ ଉପରେ ରାଜ୍ୟ ସରକାର ଉକ୍ତ ପଦକ୍ଷେପ ନେଇଛନ୍ତି। ଯେଉଁଥିରେ ୨୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ତାଲିମ୍ ପ୍ରଦାନ କରାଯିବାର ସମ୍ଭାବନା ତିଆରି ହୋଇଛି।

ରାଜ୍ୟର ବିଭିନ୍ନ ବ୍ଲକରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଯେମିତିକି ପାମ୍ପଡ଼, ବଡ଼ି, ମହମବତୀ, ଚାନ୍ଦୁଆ, ମହୁ, ଆଚାର, ଟେରାକୋଟା କାମ ଇତ୍ୟାଦି ସାମଗ୍ରୀଗୁଡ଼ିକୁ ଗୋଟିଏ କ୍ଲିକରେ ବିଶ୍ଵସ୍ତରୀୟ ବଜାରରେ କିପରି ପହଞ୍ଚାଇପାରିବେ ସେଥିପାଇଁ ଏମ୍‌ଏସ୍‌ଏମଇ, ମିଶନ ଶକ୍ତି ଏବଂ ଫେସ୍‌ବୁକର ସହଭାଗିତାରେ ସ୍ଥାନୀୟ ଏକ ହୋଟେଲ୍‌ରେ ‘ଏମପାୱାରିଂ ୱିମେନ୍ ଏଣ୍ଟର୍‌ପ୍ରିନରସିପ୍ ୱିଥ୍ ଡିଜିଟାଲ୍ ମାର୍କେଟିଂ ସ୍କିଲ୍’ ଉପରେ, ଦିନତମାମ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ମହିଳାମାନଙ୍କୁ ପ୍ରଶିକ୍ଷିତ କରାଯାଇଥିଲା।

ଏହି କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଡିଜିଟାଲ୍ ମାର୍କେଟିଂ ଏକ ଭଲ ପଦକ୍ଷେପ। ଏହି କର୍ମଶାଳାରେ ରାଜ୍ୟର ମହିଳାମାନେ ସେମାନଙ୍କ ଦ୍ରବ୍ୟକୁ  ସମଗ୍ର ବିଶ୍ୱରେ ପହଞ୍ଚାଇବାର କୌଶଳ ଡିଜିଟାଲ୍ ଟ୍ରେନିଂ ମାଧ୍ୟମରେ ପହଞ୍ଚାଇବାରେ ସଫଳ ହେବେ। ସରକାର ସବୁବେଳେ ‘୩-ଟି’ ଅର୍ଥାତ୍ ଟେକ୍ନୋଲୋଜି, ଟ୍ରାନ୍ସପାରେନସି, ଟିମ୍ ୱାର୍କ ଉପରେ ଗୁରୁତ୍ୱାରୋପ କରିଥାନ୍ତି।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର କର୍ତ୍ତୃପକ୍ଷ ସୁବ୍ରୋତ ବାଗ୍‌ଚି କହିଛନ୍ତି ଯେ, ଦେଶରେ ମା’ ଭଉଣୀମାନେ ବ୍ୟବସାୟ ସହିତ ଯେତେ ଅଧିକ ଜଡ଼ିତ ହୋଇଥାନ୍ତି ସେ ଦେଶ ସେତେ ଅଧିକ ବିକଶିତ ହୋଇଥାଏ। ମହିଳାମାନଙ୍କୁ ଡିଜିଟାଲ୍ ମାର୍କେଟିଂ କ୍ଷେତ୍ରରେ ଫେସ୍‌ବୁକ୍ ବହୁତ ସହଯୋଗ କରିବ। ଓଡ଼ିଶାର ନାରୀମାନେ ବିଶ୍ୱର କୌଣସି ନାରୀମାନଙ୍କ ଅପେକ୍ଷା କମ୍‌ ନୁହନ୍ତି। ସେମାନଙ୍କ ପାଖରେ ଦୃଢ଼ ମନୋବଳ ଅଛି ଏବଂ ସବୁକିଛି ସମ୍ଭବ କରିବାର ସମ୍ଭାବନା ମଧ୍ୟ ରହିଛି। ଇଣ୍ଟରନେଟ୍‌ ମାଧ୍ୟମରେ ପାଇକାରୀ ବ୍ୟବସାୟ ୭୨୦ଲକ୍ଷ କୋଟି ଛୁଇଁଲାଣି। ୨୦୨୦ ସୁଦ୍ଧା ଏହା ୧୪୪୦ ଲକ୍ଷ କୋଟି ଛୁଇଁବ ବୋଲି  ସେ କହିଥିଲେ। ଇଣ୍ଟରନେଟରେ ବ୍ୟବସାୟକୁ ୨୪/୭ ବ୍ୟବସାୟ ବୋଲି  ସେ କହିଛନ୍ତି।

ଏମଏସଏମ୍‌ଇ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ ଓଡ଼ିଶାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ବ୍ୟାବସାୟିକ କ୍ଷେତ୍ରରେ ଯେଉଁ ଅବଦାନ ରହିଛି ତାହା ଉଲ୍ଲେଖନୀୟ। ରାଜ୍ୟ ସରକାର ମିଶନ ଶକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି। ଏମ୍‌ଏସ୍‌ଏମ୍‌ଇ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ କିପରି ଅଧିକରୁ ଅଧିକ ସଶକ୍ତ କରାଯିବ। ପ୍ରଥମଥର ପାଇଁ ଓଡ଼ିଶାରେ ଏହିପରି ଆଲୋଚନାଚକ୍ର କରାଯାଉଛି। ଯାହାକି ଆଗାମୀ ଦିନରେ ବେଶ୍ ଫଳପ୍ରଦ ହେବ।

ଏହି କର୍ମଶାଳାରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଡେଭଲପମେଣ୍ଟ କମିଶନର ଆର୍‌ ବାଲ୍‌କ୍ରିଷ୍ଣନ, ଏମ୍‌ଏସ୍ଏମ୍‌ଇର ମୁଖ୍ୟ ସଚିବ ଏଲ୍ଏନ୍‌ ଗୁପ୍ତା, ମିଶନ ଶକ୍ତିର କମିଶନର ସୁଜାତା ଆର୍‌ କାର୍ତ୍ତିକେୟନ, ଫେସବୁକ୍‌ର ରଜତ ଆରୋରା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ମହିଳାମାନଙ୍କୁ ଅବଗତ କରାଇଥିଲେ।

Tags: Chief Minister, Digital Media, Naveen Patnaik, R Balkrishnan, Self Help Group, She Means Business, SHG, Social Media, Subroto Bagchi,

Comment