ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ରହି ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଆର୍ଥିକ ଅନଗ୍ରସରତା କାରଣରୁ ଘରୋ‍ଇ ହଷ୍ଟେଲରେ ରହି ପାଠପଢିବା ସମ୍ଭବପର ହୁଏ ନାହିଁ। ଏହି ବର୍ଗର ଶିକ୍ଷାର୍ଥୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆକାଂକ୍ଷା ଯୋଜନାରେ ସହରାଞ୍ଚଳ ହଷ୍ଟେଲ ସୁବିଧା ଗଢିଉଠିଛି।

ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର କଳିଙ୍ଗ ନଗରଠାରେ ପ୍ରତିଷ୍ଠିତ ହଷ୍ଟେଲର ଉଦ୍‌ଘାଟନ କରିଛନ୍ତି। ମାଟ୍ରିକ୍‍ ପରବର୍ତ୍ତୀ କୌଣସି ପାଠ୍ୟକ୍ରମରେ ନାମ ଲେଖାଇଥିବା ଏହି ବର୍ଗର ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ହଷ୍ଟେଲରେ ୫୦୦ ଜଣ ରହିବା ଭଳି ବ୍ୟବସ୍ଥା ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ ଯେ ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବିକାଶ ପାଇଁ ତାଙ୍କ ସରକାର ଅଗ୍ରାଧିକାର ଦେଉଛନ୍ତି। ବିଶେଷକରି ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଆକାଂକ୍ଷା ହଷ୍ଟେଲ ଏହିସବୁ ପରିବାରର ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ସେ କହିଥିଲେ।

ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ପକ୍ଷରୁ ୧୪.୫୩ କୋଟି ଖର୍ଚ୍ଚରେ ନିର୍ମିତ ଏହି ହଷ୍ଟେଲରେ ଅନୁସୂଚିତ ଜନଜାତି ପାଇଁ ୮୦ ଭାଗ ସିଟ୍‌ ରହିଥିବା ବେଳେ ଅନୁସୂଚିତ ଜାତି ବର୍ଗର ଛାତ୍ରମାନଙ୍କ ପାଇଁ ୨୦ ଭାଗ ସିଟ୍‌ ରହିଛି। ସେହିଭଳି ମୋଟ୍‌ ସିଟ୍‍ ମଧ୍ୟରୁ ଯୁକ୍ତ ୨ ପଢୁଥିବା ପିଲାଙ୍କ ପାଇଁ ୩୦ ପ୍ରତିଶତ ଏବଂ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଙ୍କ ପାଇଁ ଆଉ ୩୦ ଭାଗ ମହଜୁଦ ରହିଛି। ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ ସଂରକ୍ଷିତ ୩୦ ପ୍ରତିଶତ ସିଟ୍‌ ମଧ୍ୟରୁ ସିଟ୍‌କୁ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରମାନଙ୍କ ମଧ୍ୟରେ ସମାନ ଭାଗରେ ବଣ୍ଟାଯିବ। ମୋଟ୍‌ ସିଟ୍‌ର ବଳକା ୪୦ ଭାଗ ବିଭିନ୍ନ ବୈଷୟିକ ଓ ପେସାଦାର ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଙ୍କ ପାଇଁ ସଂରକ୍ଷିତ।

ବିଭାଗୀୟ ସଚିବ ସୁରେନ୍ଦ୍ର କୁମାର ଓଡ଼ିଶାଲାଇଭ୍‌କୁ କହିଛନ୍ତି ଯେ ଭୁବନେଶ୍ୱରରେ ରହି ପାଠ ପଢୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବା ପାଇଁ ସରକାରଙ୍କ ପକ୍ଷରୁ ଏହା ଏକ ସହାୟତା। ଏହି ହଷ୍ଟେଲରେ ନାମ ଲେଖାଇବା ପାଇଁ ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଇଥାଏ ଏବଂ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ମାର୍କ୍‌କୁ ଆଧାର କରି ହଷ୍ଟେଲ ଅନ୍ତେବାସୀଙ୍କ ଚୟନ କରାଯାଇଥାଏ।

ଆକାଂକ୍ଷା ଯୋଜନା ଅଧୀନରେ ୨୦୧୬-୧୭ ମସିହାରେ ଭୁବନେଶ୍ୱର ପୋଖରିଫୁଟ ଅଞ୍ଚଳରେ ଏକ ଆଧୁନିକ ହଷ୍ଟେଲ ଆରମ୍ଭ ହୋ‍ଇଥିଲା। ୪୦୦ ସିଟ୍‌ବିଶିଷ୍ଟ ଏହି ହଷ୍ଟେଲ କେବଳ ଅନୁସୂଚିତ ବର୍ଗର ଜାତି ଓ ଜନଜାତି ପାଇଁ ଉଦ୍ଦିଷ୍ଟ।

ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଅନୁଦାନରେ ନିର୍ମିତ ରାଜ୍ୟର ଏହି ଦୁଇଟି ହଷ୍ଟେଲରେ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ରହିବାର ବ୍ୟବସ୍ଥା କରାଯାଇଛି। ସେହିପରି ସେମାନଙ୍କୁ ମିଳୁଥିବା ଛାତ୍ରବୃତ୍ତିର ‘ମେଣ୍ଟେନାନ୍ସ ଆଲାଉନ୍ସ’ ଆଧାରରେ ମାଗଣାରେ ଖାଇବା ବ୍ୟବସ୍ଥା ମଧ୍ୟ ରହିଛି। ଏହି ହଷ୍ଟେଲରେ ଅନ୍ୟାନ୍ୟ ସୁବିଧା ଭିତରେ ରହିଛି ରିଡିଂ ରୁମ୍‍, ରି-କ୍ରିଏସନ୍‍ ରୁମ୍‍ ଏବଂ ଆକ୍ଟିଭିଟି ରୁମ୍‍ ଇତ୍ୟାଦି।

Comment