ଡ଼ିଶାଲାଇଭ୍‍ ବ୍ୟୁରୋ

ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟ୍ରେନ ଆଜି ସନ୍ଧ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଉତ୍ତରପ୍ରଦେଶ ମୁଜାଫରନଗରଠାରେ ସଂଧ୍ୟା ୫.୪୬ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନଟି ଗତକାଲି ପୁରୀରୁ ବାହାରିଥିଲା ଓ ଆଜି ରାତିରେ ହରିଦ୍ୱାରରେ ପହଞ୍ଚିଥା’ନ୍ତା।

୧୮୪୭୭ ଉତ୍କଳ ଏକ୍ସପ୍ରେସ ଟ୍ରେନ ଖତଉଲିଠାରେ ଲାଇନଚ୍ୟୁତ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୩ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଖବର ପାଇ ରେଳବିଭାଗ ଅଧିକାରୀମାନେ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ଥିଲେ। ଲାଇନଚ୍ୟୁତ ହେବା ପରେ ଟ୍ରେନର ଗୋଟିଏ ବଗି ଅନ୍ୟ ବଗି ଉପରେ ଚଢିଯାଇଥିଲା। ଭିତରେ ରହିଯାଇଥିବା ଯାତ୍ରୀଙ୍କୁ ବାହାର କରିବା ପାଇଁ ବଗିକୁ କାଟିବାକୁ ପଡ଼ିଥିଲା। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ବ୍ୟତୀତ ଏନଡିଆରଏଫକୁ ମଧ୍ୟ ନିୟୋଜିତ କରାଯାଇଛି।

ଦୁର୍ଘଟଣା ପରେ ଚାରିଆଡ଼େ କ୍ରନ୍ଦନ ଓ କୋଳାହଳ ଶୁଣାଯାଉଥିଲା। ଦୁର୍ଘଟଣା ପରେ ବିଭିନ୍ନ ରାସ୍ତାରେ ଟ୍ରେନ ଚଳାଚଳ ବନ୍ଦ ରହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଟ୍ରେନଟି ଖତଉଲି ଷ୍ଟେସନ ଛାଡିବା ପରେ ପରେ ତିନି ନମ୍ବର ବଗି ପ୍ରଥମେ ଲାଇନ ବାହାରକୁ ଚାଲି ଯାଇଥିଲା। ଏଥିସହିତ ଆଉ ୮ଟି ଡବା ଲାଇନଚ୍ୟୁତ ହୋଇଥିଲା।

ଦୁର୍ଘଟଣା ପରେ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରେଳମନ୍ତ୍ରୀ ସୁରେଶ ପ୍ରଭୁ ଟ୍ୱିଟ କରି ନିଜେ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି। ଏହି ଭୟାବହ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ବିଭିନ୍ନ ସ୍ଥାନରୁ ସହାୟକ ଦଳ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଦୁର୍ଘଟଣାର ଆକାର ଦୃଷ୍ଟିରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

Tags: Train Accident, Puri-Haridwara Kalinga Utkal Train, Utkal Express, Adityanath, Suresh Prabhu, Narendra Modi, Muzaffarnagar Accident, Khatauli Accident

LEAVE A REPLY

Please enter your comment!
Please enter your name here