ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପ ଆଇଓସିଏଲ୍ ତୈଳ ବିଶୋଧନାଗାରକୁ ନେଇ ରାଜ୍ୟ ସରକାର ଓ ଆଇଓସିଏଲ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ୨୦୧୬-୧୭ ବର୍ଷଠାରୁ ରାଜ୍ୟ ସରକାର ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ଆଇଓସିଏଲକୁ ବିନା ସୁଧରେ ବାର୍ଷିକ ୭୦୦ କୋଟି ଟଙ୍କାର ଋଣ ଦେବେ। ୧୬ ବର୍ଷଠାରୁ ଆଇଓସିଏଲ୍ ଏହି ଋଣ ପରିଶୋଧ କରିବ ବୋଲି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ପେଟ୍ରୋଲିୟମ ସଚିବଙ୍କ ମଧ୍ୟରେ ସବିଶେଷ ଆଲୋଚନା ହୋଇଥିଲା। ଆଲୋଚନା ଅନୁସାରେ ଓଡ଼ିଶାବସୀଙ୍କ ସ୍ୱାର୍ଥର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୫ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୭୦୦ କୋଟି ଟଙ୍କା ଋଣ ପ୍ରଦାନ କରିବ। ୨୦୧୬-୧୭ ବର୍ଷ ସୁଦ୍ଧା ଆଇଓସିଏଲ  ୨୨୦୦ କୋଟି ଟଙ୍କା ଟିକସ ଆଦାୟ କରିଛି। ଏହି ଆଦାୟ ଟିକସ ଆଇଓସିଏଲ୍ ରାଜ୍ୟ ସରକାରଙ୍କୁ ଦେବେ।

ସେଥିରୁ ବାର୍ଷିକ ୭୦୦ କୋଟି ହିସାବରେ ରାଜ୍ୟ ସରକାର ଋଣ ଦେବେ ଓ ବାକି ୧୫୦୦ କୋଟି ଟଙ୍କା ରାଜ୍ୟ ସରକାର ନେବେ। ଏହା ସହିତ ୨୦୧୫-୧୬ ବର୍ଷର ବଳକା ୨୧୫ କୋଟି ଟଙ୍କା ମଧ୍ୟ ରାଜ୍ୟ ସରକାର ପାଇବେ। ୨୦୧୭-୧୮ ବର୍ଷଠାରୁ ରାଜ୍ୟ ବାର୍ଷିକ ୨୨ ଶହରୁ ପ୍ରାୟ ୨୫ ଶହ କୋଟି ଟଙ୍କା ପର୍ଯ୍ୟନ୍ତ ପାଇବ।

ଗତକାଲି ଆଇଓସିଏଲ୍ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହି ସାକ୍ଷାତରେ ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କୁ କିଛି ମାତ୍ରାରେ ଉଭୟଙ୍କୁ ସୁହାଇଲା ଭଳି ପଦକ୍ଷେପ ନେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ରାଜ୍ୟର ହିତ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବରେ ସ୍ୱୀକୃତି ପ୍ରଦାନ କରିଥିଲେ।

Tags: Chief Minister, Dharmendra Pradhan, IOCL, Naveen Patnaik, PNG, Paradeep IOCL

Comment