ଓଡ଼ିଶାଲାଇଭ୍‍ ବ୍ୟୁରୋ

ଆଇଓସିଏଲ ବିବାଦର ସମାଧାନ ପାଇଁ ନୂଆଦିଲ୍ଲୀସ୍ଥିତ ଓଡ଼ିଶାଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବିବାଦର ସକାରାତ୍ମକ ସମାଧାନ ହେବ ଏବଂ ଏଥିପାଇଁ ସେ ଆଶାବାଦୀ ରହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଉଭୟ ସରକାର ବଦ୍ଧ-ପରିକର। ୨୦୦୪ରେ ରାଜ୍ୟ ସରକାର ଏବଂ ଆଇଓସିଏଲ ମଧ୍ୟରେ ଏମଓୟୁ ହୋଇଥିଲା ଯାହାକି ରାଜ୍ୟ ସରକାରଙ୍କୁ ସୁହାଉନାହିଁ। ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯିବ। ଓଡ଼ିଶାରେ ନିଯୁକ୍ତି ସୃଷ୍ଟି ଓ ରାଜସ୍ୱ ବୃଦ୍ଧି ଉପରେ ଦୃଷ୍ଟି ଦିଆଯିବ। ଏହାସହ ଚୁକ୍ତିନାମା ଉପରେ ମଧ୍ୟ ପୁର୍ନବିଚାର କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସହିତ ଯେଉଁ ଆଲୋଚନା ହୋଇଛି, ତାହାର ସମାଧାନର ରାସ୍ତା ନିଶ୍ଚିତ ବାହାରିବ ଯାହାକି ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ସହ ଆଇଓସିଏଲକୁ ଲାଭବାନ କରାଇବ।

ଦୀର୍ଘଦିନର ବିବାଦ

ପାରାଦ୍ୱୀପ ଆଇଓସିଏଲକୁ ବିକ୍ରିକର ଉପରେ ରିହାତି ଦେବା ନେଇ ରାଜ୍ୟ ସରକାର ଓ ଆଇସିଏଲ୍ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି। ୨୦୦୪ରେ ରାଜ୍ୟ ସରକାର ଓ ଆଇଓସିଏଲ୍ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା। ଚୁକ୍ତି ଅନୁସାରେ ରାଜ୍ୟ ସରକାର ବିକ୍ରି କର ଉପରେ ଆଇଓସିଏଲକୁ ରିହାତି ଦେବେ। ମାତ୍ର ଏମ୍ଓୟୁ ଅନୁଯାୟୀ ଆଇଓସିଏଲ୍ ଯେତିକି ଉତ୍ପାଦନ କରିବା କଥା ତା’ଠାରୁ ଅଧିକ ଉତ୍ପାଦନ କରୁଛି, ଯାହାଦ୍ୱାରା ବହୁତ କ୍ଷତି ସହିବାକୁ ପଡ଼ୁଛି ବୋଲି ରାଜ୍ୟ ସରକାର ଯୁକ୍ତି ରଖି ଚୁକ୍ତି ପତ୍ରରୁ ଓହରିଯାଇଛନ୍ତି। ଆଇଓସିଏଲ୍ ଚୁକ୍ତି ଭାଙ୍ଗିଛି ବୋଲି ରାଜ୍ୟସରକାର ଅଭିଯୋଗ କରିଛନ୍ତି।

Tags: Chief Minister, Naveen Patnaik, IOCL, Dharmendra Pradhan, PNG, ଆଇଓସିଏଲ, ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ, ନବୀନ ପଟ୍ଟନାୟକ

Comment