ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ ସବୁଠାରୁ ବଡ଼ ନୂଆଖାଇ ଭେଟଘାଟ। ୟୁନାଇଟେଡ଼ ଆରବ ଏମିରେଟ୍ସର ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ଏହା ଆୟୋଜିତ ହେବ।

ଦୁବାଇରେ ଥିବା ଭାରତୀୟ କଁସୁଲେଟରେ ଥିବା ପ୍ରେକ୍ଷାଳୟରେ ଏହା ଅନୁଷ୍ଠିତ ହେବ। ଭାରତ ବାହାରେ ଏହା ହେବ ସବୁଠାରୁ ବଡ଼ ନୂଆଖାଇ ସଜବାଜ।

ଏବର୍ଷ ଏହି ସମାରୋହର ମୁଖ୍ୟ ଅତିଥି ହେବେ ଭାରତର କଁସଲ ଜେନେରାଲ ଶ୍ରୀ ବିପୁଲ। ଅନ୍ୟ ଜଣେ ଅତିଥି ହେବେ ଡିପ୍ଲୋମାଟ ଶ୍ରୀମତୀ ଦୀପା ଜୈନ। ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଲାଭ କରି ଥିବା ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀ ଅନ୍ୟତମ ଅତିଥି ଭାବରେ ଯୋଗ ଦେବେ। ଶାଶ୍ୱତ ପଶ୍ଚିମ ଓଡ଼ିଶାର ଲୋକ ହେବା ବ୍ୟତୀତ ଏହି ଅଞ୍ଚଳର ସଂସ୍କୃତି, ନୃତ୍ୟ, ହସ୍ତତନ୍ତ ଓ ସଂଗୀତକୁ ବିଶ୍ଵ ଦରବାରରେ ପ୍ରସିଦ୍ଧ କରାଇପାରିଛନ୍ତି।

ଦିନ ତମାମ ହେବାକୁ ଥିବା ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ। ନୂଆଖାଇକୁ ଭିତ୍ତି କରି ସଂଗୀତ ପରିବେଷଣ କରିବେ ଆମନ୍ତ୍ରିତ ଶିଳ୍ପୀ। ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଖାଦ୍ୟରେ ସମସ୍ତଙ୍କୁ ଆପ୍ୟାୟିତ କରାଯିବ।

ନୃତ୍ୟ ଓ ସଂଗୀତ ପରିବେଷଣ ପାଇଁ ସମ୍ବଲପୁରରୁ ଏକ ବାରଜଣିଆ ଶିଳ୍ପୀ ଦଳ ଯିବା ପାଇଁ ସ୍ଥିର କରାଯାଇଛି। ନୂଆଖାଇ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ସମ୍ବଲପୁରୀ ଫ୍ୟାସନ ସୋ।

ସମ୍ବଲପୁରୀ ଶାଢ଼ୀ ପିନ୍ଧି ବିଭିନ୍ନ ଦେଶରୁ ଆସିଥିବା ଅଂଶଗ୍ରହଣକାରୀ ରାମ୍ପ୍‌‍ ସୋରେ ସାମିଲ ହେବେ। ସମ୍ବଲପୁରୀ ଡିଜାଇନ୍‌‍କୁ ବାହାରେ ପରିଚିତ କରିବା ପାଇଁ ଏହିଭଳି ଏକ ଉଦ୍ୟମ ଆରମ୍ଭ କରିଛନ୍ତି ଆୟୋଜକ।

ଅନ୍ୟ ଏକ ନୂଆ କଥା ହେଉଛି ଏହି ଅବସରରେ ୧୫ ମାସ ବିଶିଷ୍ଟ କ୍ୟାଲେଣ୍ଡର ଉନ୍ମୋଚିତ ହେବ। ୧୫ଟି ଦେଶର ଲଳନା ସମ୍ବଲପୁରୀ ଶାଢ଼ୀର ସମ୍ଭାର ସହିତ ଏହି କ୍ୟାଲେଣ୍ଡରରେ ଶୋଭା ପାଇବେ। ଦୁବାଇର ଅନନ୍ୟ କୀର୍ତ୍ତି କୁହାଯାଉଥିବା ବିଶ୍ୱର ସବୁଠୁ ବଡ଼ ଅଟ୍ଟାଳିକା ବୁର୍ଜ ଖଲିଫା ସମ୍ମୁଖରେ ଉପସ୍ଥିତ ରହି ଶିଳ୍ପୀମାନେ ପଶ୍ଚିମ ଓଡ଼ିଶାର ବିଭିନ୍ନ କଳା ଓ ସଂସ୍କୃତିକୁ ପ୍ରଦର୍ଶନ କରିବେ।

Tags: Nuakhai, Nuakhai Bhetghat, Saswat Joshi, Ramp Show, Sambalpuri Saree, Deepa Jain, Western Odisha, UAE

 

1 COMMENT

LEAVE A REPLY

Please enter your comment!
Please enter your name here