ଓଡ଼ିଶାଲାଇଭ୍‌‍ ବ୍ୟୁରୋ

ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଉଭୟ କଂଗ୍ରେସ ଓ ବିଜେପିଠାରୁ ସମ-ଦୂରତା ବଜାୟ ରଖିବ। ଏ ନିର୍ବାଚନ ଠିକ୍ ସମୟରେ ହେଉ ବା ଆଗୁଆ ହେଉ ଲଢ଼ିବା ପାଇଁ ବିଜେଡି ଦଳ ପ୍ରସ୍ତୁତ ରହିଛି। ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଚାଲିଥିବା ଉଦ୍ୟମ ଜାରି ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। 

ଅନ୍ୟପକ୍ଷରେ ଆଉଟ୍‌‍ଲୁକ୍ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନିତ କରାଯାଇଥିବାରୁ ଏହି ସମ୍ମାନକୁ ସେ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି।

ପାଞ୍ଚଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ଭୁବନେଶ୍ୱର ଫେରିଛନ୍ତି। ରାଜଧାନୀସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନଘାଟୀଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ସାଧାରଣ କର୍ମୀଠାରୁ ଆରମ୍ଭକରି ମନ୍ତ୍ରୀ, ବିଧାୟକ, ପଞ୍ଚାୟତ ଲୋକ ପ୍ରତିନିଧି, ସମର୍ଥକ, ଶୁଭେଚ୍ଛୁମାନଙ୍କର ପ୍ରବଳ ଭିଡ଼ ଜମିିଥିଲା।

ବିମାନଘାଟୀରୁ ବାହାରିବା ପରେ କର୍ମୀମାନେ ଜୟଜୟ ଧ୍ୱନି ଓ ମହିଳା କର୍ମୀମାନେ ହୁଳହୁଳି ଶବ୍ଦରେ ସ୍ୱାଗତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଏହାପରେ କର୍ମୀ ଓ ନେତାମାନଙ୍କର ଶୋଭାଯାତ୍ରାରେ ନବୀନ ନିବାସ ଆସିଥିଲେ। 

ଏହି ଶୋଭାଯାତ୍ରାରେ ଅନେକ ନବୀନ ପଟ୍ଟନାୟକଙ୍କ ଫଟୋ ରହିଥିବା କଟ୍ ଆଉଟ୍ ପୋଷ୍ଟର ହାତରେ ଧରି ଚାଲିଥିବା ଦେଖାଯାଇଥିଲା।

ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ମେୟର ଅନନ୍ତ ନାରାୟଣ ଜେନା, ଦଳର ମୁଖପାତ୍ର ସମୀର ରଞ୍ଜନ ଦାସ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ପୃଥକ ପୃଥକ ଭାବେ କହିଥିଲେ ଯେ, ଏହି ଶ୍ରେଷ୍ଠ ପୁରସ୍କାର ପାଇବା ପାଇଁ ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ନାମ ଆସିଥିଲାବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା।

ଆଉଟ‌‍ଲୁକ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାାଯାଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହା ପ୍ରଦାନ କରିଥିଲେ। ଏହା ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାରୁ ଦଳ ପକ୍ଷରୁ ଆଜି ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। 

ହେଲେ ଉତ୍ତରପ୍ରଦେଶର ମୁଜାଫରନଗର ନିକଟରେ ପୁରୀରୁ ହରିଦ୍ୱାର ଯାଉଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାରୁ ଏହି ଶୋଭାଯାତ୍ରା ନିରାଡ଼ମ୍ବର ଭାବରେ କରାଯାଇଥିଲା।

Tags: Naveen Patnaik, Odisha CM, Best Administrator, Outlook Speakout, Outlook Magazine, Pranab Mukherjee, Ashok Chandra Panda, Pratap Jena, Ananta Narayan Jena, Chief Minister, Atanu Sabyasachi Nayak, No. 1 Odisha, Biju Patnaik

1 COMMENT

Comment