ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ରୁତ ଯାତ୍ରା ନା ନିରାପଦ ଯାତ୍ରା, କାହାକୁ ବାଛିବ ଭାରତ?

କଳିଙ୍ଗ-ଉତ୍କଳ ଏକ୍ସପ୍ରେସ୍‌ ଟ୍ରେନର ଦୁର୍ଘଟଣାର ଦୁଃଖ ମନରୁ ଲିଭୁନାହିଁ। ଯେତେବେଳେ ଅବହେଳା ଯୋଗୁଁ ଦୁର୍ଘଟଣାର ଖବର ଆସୁଛି, ସେତେବେଳେ ଚିନ୍ତା ଅଧିକ ବଢିଯାଉଛି। ଲାଗୁଛି, ସତେଯେପରି ମରଣର ଯାତ୍ରା ପାଲଟିଯାଇଛି ଟ୍ରେନ ଯାତ୍ରା।

ଟ୍ରେନରେ ଗଲାବେଳେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଯାତ୍ରୀ। ଟ୍ରେନରେ ବସିବା ବେଳେ ଗୋଟିଏ ପ୍ରଶ୍ନ ମନକୁ ଆନ୍ଦୋଳତ କରୁଛି, ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଁଚିବି ତ!

ଏହିଭଳି ସ୍ଥିତିରେ ବୁଲେଟ୍ ଟ୍ରେନର ସ୍ୱପ୍ନ ଦେଖୁଛି ଭାରତ, ଯାହାର ବେଗ ଘଣ୍ଟା ପ୍ରତି ୩୦୦ କିଲୋମିଟରରୁ ଅଧିକ। ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ ଚଳାଇବା ଲାଗି ମୋଦି ସରକାରଙ୍କ ସ୍ୱପ୍ନର ପ୍ରକଳ୍ପ ଆଗେଇ ଚାଲିଛି।

ଅନ୍ୟ ଏକ ବୁଲେଟ୍ ଟ୍ରେନ ପାଇଁ ମଧ୍ୟ ଖୁବଶୀଘ୍ର ଯୋଜନା ହେବାକୁ ଯାଉଛି। ଗୋଟିଏ ପଟେ ବୁଲେଟ୍ ଟ୍ରେନ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ। ଅନ୍ୟପଟେ ଟ୍ରାକରୁ ଖସିପଡୁଛି ୮୦-୧୦୦କିଲୋମିଟର ବେଗ​‌ରେ ଯାଉଥିବା ଟ୍ରେନ। ନିୟମିତ ଅନ୍ତରରେ ଘଟିଚାଲିଛି ଦୁର୍ଘଟଣା। ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଆସିବା ପରେ ୮ଟି ବଡ଼ ଦୁର୍ଘଟଣା ଘଟିସାରିଲାଣି।

ତଥ୍ୟ କହୁଛି, ୨୦୦୩ରୁ ୨୦୧୬ ମଧ୍ୟରେ ୧୨୩୨ଟି ଟ୍ରେନ ଦୁର୍ଘଟଣା ହୋଇଛି। ସେଥିରେ ୧୩୯୩ ଲୋକ ପ୍ରାଣ ହରାଇଛନ୍ତି। ୫୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛି। ହାରହାରି ହିସାବ କଲେ ପ୍ରତିବର୍ଷ ୧୦୦ରୁ ଅଧିକ ଯାତ୍ରୀ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ବେଳେ ପାଖାପାଖି ୪୦୦ ଯାତ୍ରୀ ଆହତ ହେଉଛନ୍ତି।

ଏସବୁର କାରଣ ହେଉଛି ଦୁର୍ବଳ ଭିତ୍ତିଭୂମି। ଯେଉଁସବୁ ଟ୍ରାକ୍ ରହିଛି, ତାହା ପୁରୁଣା ହୋଇଗଲାଣି। ଅନେକ ସ୍ଥାନରେ ରକ୍ଷଣାବେକ୍ଷଣାର ମଧ୍ୟ ସୁପରିଚାଳନା କରାଯାଉନାହିଁ।

ଭାରତୀୟ ରେଳପଥରେ ରହିଛି ୧,୨୭,୧୫୪ଟି ବ୍ରିଜ୍। ସେଥିରୁ ଏକ-ତୃତୀୟାଂଶ ଅର୍ଥାତ ୫୬,୧୭୮ଟି ବ୍ରିଜ୍‌ ୮୦ ବର୍ଷରୁ ଅଧିକ ପୁରୁଣା। ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ଏଗୁଡିକ ନିର୍ମାଣ କରାଯାଇଥିଲା। ଏହା ମଧ୍ୟରୁ ୨୬୨ଟି ଏପରି ବ୍ରିଜ୍‌ ରହିଛି ଯାହା ଅତି ବିପଦସଂକୁଳ। ଯେକୌଣସି ମୁହୂର୍ତ୍ତରେ ଏହି ସବୁ ସ୍ଥାନରେ ଦୁର୍ଘଟଣା ହୋଇପାରେ।

ରେଳସୁରକ୍ଷା ନେଇ ଖାନ୍ନା କମିଟି ଦେଇଥିବା ସୁପାରିଶକୁ ସରକାର ଗ୍ରହଣ କରିଛନ୍ତି, ହେଲେ ଏଗୁଡିକ ସଂପୂର୍ଣ୍ଣ କାର୍ଯ୍ୟକାରୀ କରାଯାଇନାହିଁ। ଭିତ୍ତିଭୂମିର ବିକାଶ ଯେଭଳି ଭାବେ ହେବା କଥା, ଯେତିକି ନିବେଶ ଆବଶ୍ୟକ, ତାହା କରିପାରୁନାହିଁ ରେଳବାଇ।

ଭାରତୀୟ ରେଳପଥ ବିଶ୍ୱର ଚତୁର୍ଥ ସର୍ବବୃହତ ରେଳପଥ। ଏକକ ପରିଚାଳନାରେ ଆମ ରେଳପଥ ସାରା ଦୁନିଆରେ ସବୁଠୁ ବଡ଼। ସାରା ଦେଶରେ ବ୍ୟାପିଛି ପାଖାପାଖି ୧,୨୦,୦୦୦ କିଲୋମିଟର ରେଳପଥ। ପାଖାପାଖି ୧୩ ହଜାର ଟ୍ରେନ ଯୋଗେ ପ୍ରତିଦିନ ଯାତ୍ରା କରନ୍ତି ପ୍ରାୟ ୨ କୋଟି ୩୦ ଲକ୍ଷ ଲୋକ।

କୁହାଯାଏ, ଭାରତୀୟ ରେଳପଥ, ଆମ ଦେଶର ଲାଇଫଲାଇନ୍। ହେଲେ ଏହି ରେଳପଥ ପାଲିଟିଛି ମରଣର ପଥ। ଆମେ ବିକାଶ ପଥରେ ଆଗେଇ ଚାଲିଛୁ ବୋଲି କହୁଛନ୍ତି ସରକାର। ବିଜ୍ଞାନ ଓ କାରିଗରୀରେ ଉନ୍ନତି ଘଟୁଛି। ମାତ୍ର ନିରାପଦ ରେଳଯାତ୍ରାର ପ୍ରତିଶ୍ରୁତି ଦେଇପାରୁନାହିଁ ରେଳବାଇ।

ଏପରି ଦୟନୀୟ ସ୍ଥିତିରେ ବୁଲେଟ୍ ଟେନ୍‌ ଭଳି ହାଇସ୍ପିଡ୍ ଟ୍ରେନ୍ ପାଇଁ ଆମ ଭିତ୍ତିଭୂମି କେତେ​‌ ପ୍ରସ୍ତୁତ, ଏନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

Tags: Kalinga-Utkal Express, Bullet Train, High-speed Train, Indian Railways, Narendra Modi, Train

Comment