ଓଡ଼ିଶାଲାଇଭ୍‌ ବ୍ୟୁରୋ

ମନେ ପକାନ୍ତୁ ତ ଥରେ ହୋଲି ଖେଳିବା ପରେ ଆପଣ ଯେତେବେଳେ ଘରକୁ ଆସନ୍ତି ଜାମାରେ ଥିବା ନୋଟଗୁଡ଼ିକ ଅବିରର ବିଭିନ୍ନ ରଙ୍ଗରେ କିଭଳି ରଙ୍ଗିନ ହୋଇଯାଇଥାଏ। କିଏ ଲାଲ ତ କିଏ ହଳଦିଆ ଓ ଆଉ କିଏ ନୀଳ। ଏବେ ନୋଟର ରଙ୍ଗ ବଦଳିବା ପାଇଁ ଆଉ ହୋଲିକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ରିଜର୍ଭ ବ୍ୟାଙ୍କ ହିଁ ନୋଟଗୁଡ଼ିକୁ ରଙ୍ଗିନ କରିଦେଇଛି।

ନଭେମ୍ବର ୮ରେ ନୋଟବନ୍ଦୀ କରି ମୋଦି ସରକାର ଲୋକଙ୍କ ଚେହେରାର ରଙ୍ଗ ବଦଳାଇ ଦେଇଥିଲେ। ହେଲେ ଖୁସି ମନରେ ଆର‍ବିଆଇ ୪ଟି ଭିନ୍ନ ଭିନ୍ନ ରଙ୍ଗର ନୋଟ ବଜାରକୁ ଛାଡ଼ିଛି। ଗଣେଶ ପୂଜା ପାଳନ ଅବସରରେ ୨୦୦ ଟଙ୍କିଆ ନୋଟ ହେଉଛି ସଦ୍ୟତମ ତୋଫା।

ହଳଦିଆ
ପ୍ରଥମ ଥର ପାଇଁ ଦେଶରେ ୧୦୦ ଓ ୫୦୦ ଟଙ୍କିଆ ନୋଟ ଭିତରେ ୨୦୦ ଟଙ୍କିଆ ନୋଟ ଆସିଛି। ଏହାର ରଙ୍ଗ ହେଉଛି ଚମକିଲା ହଳଦିଆ। ନୋଟ ମଝିରେ ମହାତ୍ମାଗାନ୍ଧିଙ୍କ ଚିତ୍ର ଓ ପଛରେ ଶାନ୍ତିସ୍ତୂପ। ଅଶୋକ ସ୍ତମ୍ଭ ବ୍ୟତୀତ ଦୃଷ୍ଟିହୀନଙ୍କ ପାଇଁ ସ୍ୱତନ୍ତ୍ର ଚିହ୍ନଟ ପ୍ରଣାଳି ଏଥିରେ ରହିଛି।

ଫ୍ଲୋରୋସେଣ୍ଟ ନୀଳ

୫୦ ଟଙ୍କିଆ ନୂଆ ନୋଟ ଦେଖିଲେଣି? ଆଗରୁ ଯେଉଁ ରଙ୍ଗ ଥିଲା ତାହା ବଦଳିଛି। ନୂଆ ରଙ୍ଗ ହେଉଛି ଫ୍ଲୋରୋସେଣ୍ଟ ନୀଳ। ଏହି ନୂଆ ନୋଟ୍‌‍ର ବିଶେଷତ୍ୱ ହେଉଛି ପଛପଟେ ସଂସଦର ଚିତ୍ର ନ ରହି ଏକ ରଥର ଚିତ୍ର ମୁଦ୍ରିତ ହୋଇଛି। ଏହା ହାମ୍ପିର ରଥ।

ଆରବିଆଇ କହିଛି ଯେ ଏହି ନୂଆ ନୋଟ୍‌ ସହିତ ପୁରୁଣା ୫୦ ଟଙ୍କିଆ ନୋଟ୍‌ ବି ଚଳିବ।

ଷ୍ଟୋନ୍ ଗ୍ରେ
ପୂର୍ବର ୫୦୦ ଟଙ୍କିଆ ନୋଟର ବି ରଙ୍ଗ ବଦଳିଛି। ଆଗରୁ ଏହା ଇଷତ୍‍ ହଳଦିଆ ଥିଲ। ଏବେ ଏହା ଷ୍ଟୋନ୍ ଗ୍ରେ ରଙ୍ଗର ହୋଇ ଆସୁଛି। ଦିଲ୍ଲୀର ଲାଲ୍‌କିଲ୍ଲା ଓ ସ୍ୱଚ୍ଛ ଭାରତ ହେଉଛି ଏହାର ଥିମ୍।

ଗୋଲାପି ଗୋଲାପି

୨୦୦୦ ଟଙ୍କିଆ ନୋଟ ଆରବିଆଇ ଛାଡ଼ିଥିଲେ ଗତବର୍ଷ। ଏହି ନୋଟ୍‌‍ର ମୂଳ ରଙ୍ଗ ମାଜେ‍ଣ୍ଟା ବା ଗାଢ଼ ଗୋଲାପି। ଏହାର ମଧ୍ୟ ଭାଗରେ ଗାନ୍ଧିଙ୍କ ଛବି ଓ ପଛରେ ମଙ୍ଗଳ ଅଭିଯାନର ଚିତ୍ର ରହିଛି।

Tags: Note, 50 Rupees Note, 500 Rupees Note, 200 Rupees Note, 2000 Rupees Note, Rupees Note, Colors of the Notes, RBI, Reserve Bank of India, Odisha News, Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here