ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୁଷମାନେ କେବଳ ଆଥଲେଟିକରେ ରେକର୍ଡ ସୃଷ୍ଟି କରିପାରନ୍ତି ନାହିଁ। ଆମ ଦେଶର ମହିଳାମାନେ ମଧ୍ୟ ଏ କ୍ଷେତ୍ରରେ ଆଗକୁ ଯାଇପାରନ୍ତି। ଏହାର ବଳିଷ୍ଠ ନୁମନା ହେଉଛନ୍ତି କର୍ଣ୍ଣମ୍‍ ମାଲେଶ୍ୱରୀ ଏବଂ ଅଞ୍ଜୁବବି ଜର୍ଜ। ମାଲେଶ୍ୱରୀ ଭାରୋତ୍ତଳନ ଏବଂ ଅଞ୍ଜୁ ଲଙ୍ଗଜମ୍ପରେ ରେକର୍ଡ ସୃଷ୍ଟିକରି ଅନ୍ୟ ମହିଳା କ୍ରୀଡ଼ାବିତ୍‍ଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ମାଲେଶ୍ୱରୀଙ୍କ ୧୧ ବର୍ଷର ଲମ୍ବା ରାସ୍ତା

୧୯୭୫ ମସିହା ଜୁନ୍‍ ୧ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଜନ୍ମଗ୍ରହଣ କରିଥିବା ମାଲେଶ୍ୱରୀ ଭାରୋତ୍ତଳନରେ ୧୧ ବର୍ଷ ଅତିକ୍ରମ କରିସାରିଲେଣି। ଏହି ୧୧ ବର୍ଷର ଲମ୍ବା ରାସ୍ତା ଅତିକ୍ରମ କରିବା ସମୟରେ ସେ କେତେ ପ୍ରତିବନ୍ଧକକୁ ସାମନା କରିଛନ୍ତି ତା’ର ହିସାବ ନାହିଁ।

୧୧ ବର୍ଷର କଠିନ ପରିଶ୍ରମରେ ସେ ପାଇଛନ୍ତି ୧୧ଟି ସ୍ୱର୍ଣ୍ଣ, ୩ଟି ସିଲଭର ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ଏହାସହ ଲଗାତାର ୯ ବର୍ଷ ଧରି ସେ ଜାତୀୟ କ୍ରୀଡ଼ାରେ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୫୨ କେଜି ଭାରୋତ୍ତଳନରେ ଦୁଇଥର ଚାମ୍ପିଅନ ହୋଇଥିବା ବେଳେ ୫୪ କେଜି ଭାର ଉଠାଇ ସେ ୯ ଥର ଚାମ୍ପିଅନ ହୋଇଥିଲେ।

ମାଲେଶ୍ୱରୀଙ୍କ ଆଥଲେଟ୍‍ ଜୟଯାତ୍ରା ଆରମ୍ଭ ହୋଇଥିଲା ଏକ ନ୍ୟାସନାଲ ଜୁନିୟର ଚାମ୍ପିୟନସିପରୁ। ଏହି ପ୍ରତିଯୋଗିତାରେ ସେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ପରେ ୧୯୯୨ ରେ ଥାଇଲାଣ୍ଡରେ ଅନୁଷ୍ଠିତ ଏସିଆନ୍‍ ଚାମ୍ପିୟନସିପରେ ୩ଟି ରୌପ୍ୟ ପଦକ ହାସଲ କରିଥିଲେ। ବିଶ୍ୱ ଚାମ୍ପିୟନସିପରେ ୩ଟି ବ୍ରୋଞ୍ଜ ପଦକ ପାଇବା ପରେ ସେ ଆଗକୁ ବଢ଼ିଥିଲେ। ୨୦୦୦ ମସିହାରେ ସିଡ୍‍ନୀରେ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ଅଲମ୍ପିକରେ ୨୪୦ କେଜି ଭାରୋତ୍ତଳନ ଉଠାଇ ବ୍ରୋଞ୍ଜ ପଦକ ପାଇଥିଲେ। ଏହି ଅଲମ୍ପିକ ମେଡାଲ ପାଇବାରେ ମାଲେଶ୍ୱରୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା।

ଆଥଲେଟରେ ଭଲ ପ୍ରଦର୍ଶନ ଯୋଗୁଁ ସେ ୧୯୯୫-୯୬ରେ ସମ୍ମାନସ୍ପଦ ରାଜୀବ ଗାନ୍ଧୀ ଖେଳରତ୍ନ ଆୱାର୍ଡ ପାଇଥିଲେ। ୧୯୯୪ରେ ଅର୍ଜୁନ ଆୱାର୍ଡ ପାଇବା ସହ ୧୯୯୯ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ ମାଲେଶ୍ୱରୀ।

୧୯୯୫ ମସିହାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ୧୧୩ କେଜିର ଭାରୋତ୍ତଳନ ଉଠାଇ ବିଶ୍ୱ ୱେଟଲିଫ୍ଟ ଟାଇଟେଲ୍‍ ଅର୍ଜନ କରିଥିଲେ। ଚୀନର ଲଙ୍ଗ ୱିଲିଙ୍ଗଙ୍କ ରେକର୍ଡ ଭାଙ୍ଗିଥିଲେ ମାଲେଶ୍ୱରୀ। ୱିଲିଙ୍ଗ ୧୧୨ କେଜି ଉଠାଇଥିବା ବେଳେ ମାଲେଶ୍ୱରୀ ୧୧୩ କେଜି ଉଠାଇ ରେକର୍ଡ କରିଥିଲେ।

ସେହିବର୍ଷ ଏସିଆନ୍‍ ଚାମ୍ପିଅନ୍ସିପରେ ମଧ୍ୟ ସେ ବିଜୟୀ ହୋଇଥିଲେ। ୧୯୯୭ରେ ସେ ବିବାହ କରିବା ପରେ ଭାରୋତ୍ତଳନ କ୍ରୀଡ଼ାଠାରୁ କିଛିଦିନ ବିରାମ ନେଇ ସେ ଯମୁନାନଗର ଚାଲି ଯାଇଥିଲେ। ବିବାହର କିଛିଦିନ ସେ ହସଖୁସିରେ କାଟିବା ପରେ ପୁଣି କ୍ରୀଡ଼ାଜଗତକୁ ଫେରିଥିଲେ।

ଲଙ୍ଗଜମ୍ପ ରାଣୀ ଅଞ୍ଜୁ

କର୍ଣ୍ଣମ ମାଲେଶ୍ୱରୀଙ୍କ ଭଳି ଅଞ୍ଜୁ ବବି ଜର୍ଜ ମଧ୍ୟ କ୍ରୀଡ଼ାଜଗତରେ ସଫଳତା ପାଇଛନ୍ତି। ଅଞ୍ଜୁ ଲଙ୍ଗଜମ୍ପରେ ବିଶ୍ୱବିଜୟୀ ହୋଇପାରିଛନ୍ତି। ଅଞ୍ଜୁ ଜଣେ ମହିଳା ହୋଇ ଦୀର୍ଘତମ ମିଟର ଜମ୍ପ କରିବାର ସାମର୍ଥ୍ୟ ରଖିଥିବାରୁ ଅନ୍ୟ କ୍ରୀଡା ପ୍ରେମୀଙ୍କ ପାଇଁ ସେ ଆଇକନ୍‍ ପାଲଟିଛନ୍ତି।

୧୯୭୭ ମସିହା ଏପ୍ରିଲ ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିବା ଅଞ୍ଜୁ ପ୍ୟାରିସରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନସିପ୍‌ କ୍ରୀଡ଼ାରେ ଲଙ୍ଗଜମ୍ପରେ ଇତିହାସ ସୃଷ୍ଟି କରି ବ୍ରୋଞ୍ଜ ପଦକ ପାଇଥିଲେ। ଏହି ଚାମ୍ପିଅନସିପରେ ୬.୭୦ ମିଟର ଜମ୍ପ କରିବାରେ ଅଞ୍ଜୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ୨୦୦୫ରେ ଅନୁଷ୍ଠିତ ଆଇଏଏଏଫ ବିଶ୍ୱ ଚାମ୍ପିଅନସିପ ଫାଇନାଲରେ ସେ ସ୍ୱର୍ଣ୍ଣପଦକ ପାଇଥିଲେ।

କେରଳର ଚଙ୍ଗେନସାରୀରେ ଜନ୍ମିତ ଅଞ୍ଜୁଙ୍କର ପିଲାଟିଦିନରୁ କ୍ରୀଡ଼ା ପ୍ରତି ଦୁର୍ବଳତା ରହିଥିଲା। ଝିଅକୁ ଜଣେ ସଫଳ କ୍ରୀଡ଼ାବିତ ଲକ୍ଷ୍ୟ ନେଇ ଅଞ୍ଜୁଙ୍କୁ ତାଙ୍କ ବାପା ପ୍ରଥମେ କ୍ରୀଡ଼ା ଶିକ୍ଷା ଦେଇଥିଲେ। ପରେ ସେ କୋରୁଥେଡେ ସ୍କୁଲରେ କ୍ରୀଡ଼ା ଶିକ୍ଷା ସହ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ସ୍କୁଲରେ ପାଠ ପଢ଼ିବା ସମୟରେ ଅଞ୍ଜୁ ଲଙ୍ଗଜମ୍ପ ଓ ହାଇଜମ୍ପରେ ଭାଗ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଫଳରେ ତାଙ୍କୁ ଜାତୀୟ ସ୍କୁଲ କ୍ରୀଡ଼ାରେ ଭାଗ ନେବା ପାଇଁ ସୁଯୋଗ ମିଳିଥିଲା। ଏଥିରେ ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଖେଳରେ ଏକାଗ୍ରତା ଓ ନିଷ୍ଠା ଯୋଗୁଁ ଅଞ୍ଜୁ ଧିରେଧିରେ ସଫଳତାର ପାହାଚ ଅତିକ୍ରମ କରି ଚାଲିଲେ।

୧୯୯୬ରେ ଦିଲ୍ଲୀରେ ଆୟୋଜିତ ଜୁନିୟର ଏସିଆନ ଚାମ୍ପିଅନସିପରେ ସାମିଲ ହୋଇ ପଦକ ପାଇଥିଲେ। ବାଙ୍ଗାଲୋର ଫେଡେରେସନ କପ୍‌ରେ ଟ୍ରିପଲ ଜମ୍ପ ମାରି ଅଞ୍ଜୁ ଜାତୀୟ ରେକର୍ଡ କରିବା ସହ ନେପାଳରେ ଆୟୋଜିତ ସାଉଥ ଏସିଆନ୍‍ ଫେଡେରେସନ ଗେମରେ ରୌପ୍ୟ ପଦକ ହାସଲ କରିଥିଲେ।

ଲୁଧିଆନା ନ୍ୟାସନାଲ ଗେମରେ ଟ୍ରିମପଲ ଜମ୍ପ ଓ ଲଙ୍ଗ ଜମ୍ପ କ୍ରୀଡ଼ାରେ ଅଞ୍ଜୁ ସ୍ୱର୍ଣ୍ଣ ପଦକ ପାଇଥିଲେ। ୨୦୦୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୬.୪୯ ମିଟର ଡେଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୨୦୦୫ ସେପ୍ଟେମ୍ବରରେ ଅନୁଷ୍ଠିତ ୧୬ ତମ ଏସିଆନ୍‍ ଆଥଲେଟ ଚାମ୍ପିଅନସିପର ମହିଳା ଲଙ୍ଗଜମ୍ପରେ ଅଞ୍ଜୁ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ।

୧୫ତମ ଏସିଆନ୍‍ ଗେମରେ ସେ ରୌପ୍ୟପଦକ ପାଇବା ସହ ୧୭ତମ ଏସିଆନ୍‍ ଆଥଲେଟ ଚାମ୍ପିୟନସିପରେ ଅଞ୍ଜୁ ପୁଣି ରୌପ୍ୟ ପଦକ ପାଇଥିଲେ। ଏହି ସଫଳତା ପାଇଁ ସେ ଓସାକା ବିଶ୍ୱ ଚାମ୍ପିୟନସିପ ଖେଳ ପାଇଁ କ୍ୱାଲିଫାଏ ହୋଇଥିଲେ।

କ୍ରୀଡ଼ାଜଗତରେ ଅଞ୍ଜୁ ଉତ୍ତମ ପ୍ରଦର୍ଶନ କରିଥିବାରୁ ୨୦୦୨-୦୩ରେ ସମ୍ମାନସ୍ପଦ ଅର୍ଜୁନ ପୁରସ୍କାର ପାଇବା ସହ ୨୦୦୩-୦୪ରେ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର, ୨୦୦୪ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ। ଇଣ୍ଟରନ୍ୟାସନାଲ ଆସୋସିଏସନ ଅଫ୍‍ ଆଥଲେଟିକରେ ଅଞ୍ଜୁ ୨୦୦୧ରେ ୬୧ତମ ରାଙ୍କରେ ଥିବା ବେଳେ ୨୦୦୩ରେ ସେ ୬ ନମ୍ବର ରାଙ୍କକୁ ଆସିଥିଲେ।

(ପ୍ରସ୍ତୁତି: ସରୋଜ)

Tags: Karnam Malleswari, Anju Bobby George, Gold Medalist, Women Players, Saroj, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here