ଓଡ଼ିଶାଲାଇଭ୍‍ ବ୍ୟୁରୋ

ଗୁରମିତ୍ ରାମ ରହିମ ସିଂହ। ଧିରେ ଧିରେ ଖୋଲୁଛି, ଧର୍ମଗୁରୁ ବୋଲାଉଥିବା ଏହି ବ୍ୟଭିଚାରୀର କୁକର୍ମର ଫର୍ଦ୍ଦ। ୨୦ ବର୍ଷ ପାଇଁ ଜେଲର କାଳକୋଠରୀକୁ ପଠାଯାଇଥିବା ଏହି ବଳାତ୍କାରୀ ବାବାଙ୍କ ଗୋଟିଏ ପରେ ଗୋଟିଏ ସତ ସାମନାକୁ ଆସୁଛି।
ଏଭଳି କିଛି ତଥ୍ୟ ପଦାକୁ ଆସୁଛି, ତାହା ଜାଣିଲେ ଆପଣ କେବଳ ଆଶ୍ଚର୍ଯ୍ୟ ହୋଇଯିବେନି, ଆପଣ ମନରେ ଏହି ବ୍ୟଭିଚାରୀ ପ୍ରତି ଘୃଣା ଭାବ ସୃଷ୍ଟି ହେବ। ମିଠା କଥା, ତଥାକଥିତ ସତସଂଘରେ ପ୍ରବଚନ ଶୁଣି ଲକ୍ଷ ଲକ୍ଷ ଲୋକ ତାଙ୍କର ଅନୁଗାମୀ ପାଲଟିଥିଲେ, ହେଲେ ପ୍ରକୃତ କଥା ହେଉଛି, ଏହାର ଆଢୁଆଳରେ ସେ ଚଳାଇଥିଲେ ଅପରାଧର ସାମ୍ରାଜ୍ୟ। ଆଶ୍ରମର ସାଧ୍ୱୀଙ୍କ ଅସହାୟତାର ସୁଯୋଗ ନେଇ ସେ ଜଙ୍ଗଲୀ ପଶୁ ଭଳି ମଣ୍ଟାଉଥିଲେ ନିଜ ଯୌନପିପାସା। ମଣିଷ ରୂପରେ ସେ ଥିଲେ ଜଣେ ସଇତାନ।
ଏବେ ରାମରହିମଙ୍କ ତଥାକଥିତ ପାଳିତ ଝିଅ ହନିପ୍ରୀତ ଇନସାନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ପ୍ରବଳ ସନ୍ଦେହ ସୃଷ୍ଟି ହୋଇଛି। ନିଜର ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅ ଥାଇ ମଧ୍ୟ ହନିପ୍ରୀତ ହିଁ ରାମରହିମଙ୍କ ସବୁଠୁ ପ୍ରିୟ। ହନିପ୍ରୀତ, ରାମରହିମଙ୍କ ସବୁ ଫିଲ୍ମର ହିରୋଇନ୍। ପରଦା ଉପରେ ତଥାକଥିତ ବାପ-ଝିଅଙ୍କ ଡାନ୍ସ ଦେଖିଲେ ବି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଦୁହିଁଙ୍କ ମଧ୍ୟରେ ବୟସର ତାରତମ୍ୟ ମଧ୍ୟ ଅଧିକ ନୁହେଁ।
ହନିପ୍ରୀତ ଓରଫ ପ୍ରିୟଙ୍କା ତନେଜା ୧୯୯୯ରେ ପଞ୍ଚକୁଳା ନିବାସୀ ବ୍ୟବସାୟୀ ବିଶ୍ୱାସ ଗୁପ୍ତାଙ୍କୁ ବିବାହ କରିଥିଲେ। ହେଲେ ସ୍ୱାମୀଙ୍କ ସହ ନରହି ଅଧିକ ସମୟ ଡେରା ଆଶ୍ରମରେ କାଟୁଥିଲେ ହନିପ୍ରୀତ। ତାଙ୍କର କୌଣସି ପିଲାପିଲି ହୋଇନଥିଲା।
ବିଶ୍ୱାସ ଗୁପ୍ତା ଅଭିଯୋଗ ଆଣିଥିଲେ ଯେ ତାଙ୍କ ପତ୍ନୀ ଓ ରାମରହିମଙ୍କ ମଧ୍ୟରେ ଅନୈତିକ ସଂପର୍କ ରହିଛି। ସେ ନିଜ ଆଖିରେ ଦୁଇ ଜଣଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିଛନ୍ତି। ଏଭଳି ସାଂଘାତିକ ଅଭିଯୋଗ ପରେ ବିଶ୍ୱାସ ଗୁପ୍ତାଙ୍କ ବିରୋଧରେ ହନିପ୍ରୀତ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ ।
ଏହାଛଡା ଚେକ୍ ବାଉନ୍ସ ଓ ଅନ୍ୟାନ୍ୟ ମାମଲାରେ ଛନ୍ଦି ଦିଆଯାଇଥିଲା ବିଶ୍ୱାସଙ୍କୁ। ୨୦୧୨ରେ ଦୁଇଜଣଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। କୋର୍ଟରେ ବିଶ୍ୱାସ ଗୁପ୍ତା କରିଥିବା ମାମଲାକୁ ସେ ପ୍ରତ୍ୟାହାର କରିନେଇଥିଲେ। ଏହାପରେ ଆଶ୍ରମର ସ୍ଥାୟୀ ଭାବେ ରହିବା ଆରମ୍ଭ କରିଥିଲେ ହନିପ୍ରୀତ।
ଏହି ବିବାଦ ଚାଲିଥିବାବେଳେ ରାମରହିମ ହନିପ୍ରୀତଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କରିଥିଲେ। ରାମରହିମଙ୍କ ବୟସ ସେତେବେଳେ ମାତ୍ର ୪୨ ବର୍ଷ ଏବଂ ୨୭-୨୮ ବର୍ଷ ବୟସରେ ପହଞ୍ଚି ସାରିଥିଲେ ହନିପ୍ରୀତ। ରାମରହିମଙ୍କର ନିଜର ତିନିଟି ସନ୍ତାନ ଥିଲେ, ହନିପ୍ରୀତଙ୍କର ମଧ୍ୟ ନିଜ ବାପାମାଆ ଥିଲେ। ଏହା ପରେ ବି କାହିଁକି ହନିପ୍ରୀତିକୁ ପାଳିତ ଝିଅ କଲେ, ଏହା ସେ ସମୟରେ ବି ଅନେକ ସନ୍ଦେହ ସୃଷ୍ଟି କରିଥିଲା।
ଜାତୀୟ ଗଣମାଧ୍ୟମକୁ ଡେରା ଆଶ୍ରମରେ ରାମରହିମଙ୍କ ଜଣେ ପୂର୍ବତନ ସେବାଦାର ଏବଂ ରାମରହିମଙ୍କ ପୂର୍ବତନ ଡ୍ରାଇଭର ଖଟ୍ଟା ସିଂହ, ବାପା-ଝିଅର ଅଭିନୟ କରୁଥିବା ଏହି ଦୁଇ ଜଣଙ୍କ ସଂପର୍କରେ ଅନେକ ତଥ୍ୟ ପ୍ରକାଶ କରିଛନ୍ତି।
କେବଳ ଲୋକଙ୍କ ଆଗରେ ସେମାନଙ୍କ ଅନୈତିକ ସମ୍ପର୍କକୁ ଲୁଚାଇବାକୁ ବାପା-ଝିଅର ଅଭିନୟ କରୁଥିବା କହିଛନ୍ତି ଖଟ୍ଟା ସିଂହ। ସେ କହିଛନ୍ତି, ମୁଁ ରାମରହିମଙ୍କୁ ଗାଡିରେ ବସାଇ ନେଲାବେଳେ ଦେଖିଛି, ଗାଡିରେ ସବୁବେଳେ ତାଙ୍କ ପାଖରେ ବସିଥା’ନ୍ତି ହନିପ୍ରୀତ। ଲୋକଙ୍କ ଦୃଷ୍ଟିରୁ ତାଙ୍କୁ ଲୁଚାଇ ରଖିବାକୁ ଚେଷ୍ଟା କରାଯାଇଥାଏ। ଏକାନ୍ତରେ ଅଧିକାଂଶ ସମୟ କାଟନ୍ତି ଦୁଇ ଜଣ। ତାଙ୍କ ଭାବଭଙ୍ଗୀକୁ ଦେଖିଲେ ଜଣାପଡ଼ିଯାଏ ସେମାନଙ୍କ ପାପ ସଂପର୍କ।
କେବଳ ଖଟ୍ଟା ସିଂହ ନୁହଁନ୍ତି, ଅନେକ ଏହି ସଂପର୍କକୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତି। ରାମରହିମ ଯେଉଁଭଳି ଭାବେ ଜେଲରେ ହନିପ୍ରୀତଙ୍କୁ ତାଙ୍କ ସହ ରହିବା ପାଇଁ ଅନୁମତି ଦେବାକୁ ଜେଲ କର୍ତ୍ତୃପକ୍ଷଙ୍କ ଆଗରେ ଅନୁମୟ ବିନୟ କଲେ, ଯେଭଳି ଭାବେ ଜେଲରେ ରାମରହିମଙ୍କ ସହ ରହିବାକୁ ହନିପ୍ରୀତ ନିଜ ଆଡୁ କୋର୍ଟରେ ପିଟିସନ ଦାୟର କଲେ, ତାହା ଏହି ସନ୍ଦେହକୁ ଆହୁରି ମଜବୁତ କରିଛି।
ଅବଶ୍ୟ କୋର୍ଟ, ଏହି ପ୍ରସଙ୍ଗକୁ ଜେଲ କର୍ତ୍ତୃପକ୍ଷଙ୍କ ଉପରେ ଛାଡ଼ି ଦେଇଥିଲେ। ଆଉ ଜେଲ କର୍ତ୍ତୃପକ୍ଷ ଏଭଳି ଅନୁମତି ଦେବାକୁ ସିଧା ମନା କରିଦେଇଥିଲେ।
ଦୋଷୀ ସାବ୍ୟସ୍ତ ହେବା ଦିନ ବାବାଙ୍କ ସହ ଅଦାଲତକୁ ଯାଇଥିଲେ ହନିପ୍ରୀତ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ଅପରାଧୀଙ୍କୁ ହେଲକଫ୍ଟରରେ ଜେଲ ନିଆଯାଉଥିବାବେଳେ ତାଙ୍କ ନିକଟରେ ବସିଥିଲେ ହନିପ୍ରୀତ। ଯାହାକୁ ନେଇ ଅଡୁଆରେ ପଡ଼ିଛନ୍ତି ହରିଆଣା ସରକାର। କୁହାଯାଉଛି, ରାମରହିମଙ୍କ ଭଳି ପୋଲିସ ଓ ପ୍ରଶାସନରେ ରାମ ରହିମଙ୍କ ଏହି ତଥାକଥିତ ଝିଅ ହନିପ୍ରୀତଙ୍କର ମଧ୍ୟ ବିଶେଷ ପ୍ରଭାବ ରହିଛି।
ହନିପ୍ରୀତଙ୍କ ସହ ରାମରହିମଙ୍କ ସଂପର୍କ ଏତେ ଗଭୀର ଯେ ସବୁ କାର୍ଯ୍ୟକ୍ରମରେ ଛାଇ ଭଳି ଲଗାଲଗି ହୋଇ ରହିଥା’ନ୍ତି ଏହି ଦୁଇଜଣ। ଫିଲ୍ମ ପ୍ରମୋସନ ହେଉ ବା କୌଣସି ସାର୍ବଜନୀନ କାର୍ଯ୍ୟ ହେଉ, ଦୁଇଜଣଙ୍କୁ ଏକାଠି ଦେଖିବାକୁ ମିଳେ। ହନିପ୍ରୀତ, ରାମରହିମଙ୍କୁ ଗୁରୁ ପାପାଜୀ ଡାକନ୍ତି। ଦୁଇଜଣ ପରସ୍ପର ମଧ୍ୟରେ ଥଟ୍ଟା ପରିହାସ କରୁଥିବା ନେଇ ଅନେକ ଭିଡିଓ ନିଜ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ହନିପ୍ରୀତ।
ରାମ ରହିମଙ୍କ ସବୁ ଚଳଚ୍ଚିତ୍ରରେ ସେ ମୁଖ୍ୟ ଚରିତ୍ର ତୁଲାଇଥିବା ବେଳେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି ହନିପ୍ରୀତ। ବାବା ରାମରହିମଙ୍କ ଟ୍ୱିଟର ପେଜ୍ ପରିଚାଳନା କରିଥା’ନ୍ତି ସେ।
ତାଙ୍କ ମୁହଁରୁ ବାହାରୁଥିବା ପ୍ରତ୍ୟେକ କଥା ରାମ ରହିମଙ୍କ ଆଦେଶ ବୋଲି ଭାବନ୍ତି ଡେରା ଅନୁଗାମୀ। ନିଜକୁ ସେ ଡେରା ସାମ୍ରାଜ୍ୟର ଉତ୍ତରାଧିକାରୀ ଭାବେ ସବୁବେଳେ ଚିତ୍ରିତ କରିଥା’ନ୍ତି।
ହନିପ୍ରୀତଙ୍କ ସହ ରାମରହିମଙ୍କୁ ଯେଉଁ ଅନୈତିକ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି, ତାହା ଯଦି ସତ ହୋଇଥାଏ, ତା’ହେଲେ ରାମରହିମଙ୍କ ପାପର ଗଭୀରତା ଅନୁମାନ କରିହେବ। ଏହା ପ୍ରମାଣ କରିବ, ଧର୍ମଗୁରୁର ଛଦ୍ମବେଶରେ ବାବା ରାମରହିମ ଜଣେ ଯୌନ ବିକାରଗ୍ରସ୍ତ ରୋଗୀ।
Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Hanipreet, Hanipreet Isnan, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories

LEAVE A REPLY

Please enter your comment!
Please enter your name here