ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୋଲିସ ପ୍ରଶାସନରେ ବୁଧବାର ରାଜ୍ୟ ସରକାର ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ୧୯୮୬ ବ୍ୟାଚର ଆଇପିଏସ୍ ଅଫିସର ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଭାବେ ନିଯୁକ୍ତି ଦିଆଯାଇଛି। ସେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ (ଭିଜିଲାନ୍ସ)ର ନିର୍ଦ୍ଦେଶକ ଥିଲେ। ଡିଜିପି ଥିବା କେ.ବି ସିଂହଙ୍କୁ ବର୍ତ୍ତମାନ ଓଏସ୍ଆରଟିସି ଅଧ୍ୟକ୍ଷ ଭାବେ ନିୟୋଜିତ କରାଯାଇଛି। 
ଶର୍ମା ପୂର୍ବରୁ କଟକ-ଭୁବନେଶ୍ୱର ଦ୍ୱୈତ ନଗରୀରର ପୋଲିସ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ଗୁରୁବାର ଶର୍ମା ଦାୟିତ୍ୱ ଗ୍ରହଣ କରିବେ।
ନୂଆ ଡିଜିପି ଶର୍ମା କହିଛନ୍ତି ଯେ ଓଡ଼ିଶାରେ ବର୍ତ୍ତମାନ ଅପରାଧିକ ମାମଲା ବଢ଼ି ଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ମୋ’ ପାଇଁ ବଡ ଚ୍ୟାଲେଞ୍ଜ। ଏଥିପାଇଁ ଦକ୍ଷତାର ସହ ଦାୟିତ୍ୱ ପ୍ରତିପାଦନ କରିବେ ବୋଲି ସେ କହିଛନ୍ତି।
ସେହିପରି ଅନ୍ୟତମ ବରିଷ୍ଠ ଆଇପିଏସ୍ ଅଫିସର ତଥା କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ଡିଜି ବି.କେ. ଶର୍ମାଙ୍କୁ ଜେଲ୍ ବିଭାଗ ଡିଜି ଭାବେ ନିଯୁକ୍ତି କରାଯାଇଛି। ଅଫିସର ଅରୁଣ ରାୟଙ୍କୁ ପୋଲିସ ମୁଖ୍ୟାଳୟର ଏଡିଜି ଭାବେ ଅବସ୍ଥାପିତ କରାଯାଇଛି।
ସଞ୍ଜୀବ ମାରିକ ଡିଜିପି ପଦରୁ ହଟିବା ପରେ ଶର୍ମାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ କେ.ବି ସିଂହ ବାଜି ମାରି ନେଇଥିଲେ। ତେବେ ଶର୍ମା କମିଶନର ଥିବା ବେଳେ ଭୁବନେଶ୍ୱର ଉପକଣ୍ଠ ଝିଣ୍ଟସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ସୁର ବାବାଙ୍କ କେଳେଙ୍କାରୀ ଘଟଣା ଲୋକଲୋଚନକୁ ଆସିଥିଲା। ଏହି ଘଟଣାକୁ ଶ୍ରୀଯୁକ୍ତ ଶର୍ମା ସଫଳତାର ସହ ମୁକାବିଲା କରିଥିଲେ।
ତେବେ ହଠାତ୍ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅଦଳବଦଳକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର୍ ଧରିଛି। ସମ୍ବଲପୁରରେ ମାଓବାଦୀ ଦମନ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ କେ.ବି. ସିଂହ ଯୋଗ ଦେଇଥିବା ବେଳେ ଗୃହ ବିଭାଗ ତରଫରୁ ଏହି ଘୋଷଣା କରାଯାଇଥିଲା।
Tags: Dr. RP Sharma, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here