ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସିଆର ଦୁଇ ମହାଶକ୍ତି ୭୨ ଦିନ ଧରି ମୁହାଁମୁହିଁ ହୋଇରହିଲେ, ସୀମାରେ ସେନା ଠୁଳ କଲେ, ଯୁଦ୍ଧ ପାଇଁ ରଣହୁଙ୍କାର ଦେଲା। ସାରା ବିଶ୍ୱ ଏନେଇ ଚିନ୍ତିତ ହୋଇପଡ଼ିଥିଲା। ନିଜ ନିଜ ଜିଦରେ ଅଟଳ ରହିଲେ ଭାରତ ଓ ଚୀନ୍‌। ଗୋଟିଏ ପଟେ ବେଜିଂର ତୁହାକୁ ତୁହା ଧମକ ଅନ୍ୟପଟେ ଭାରତର ଅସମ୍ଭବ ନୀରବତା ସ୍ଥିତିକୁ ଆହୁରି ଗମ୍ଭୀର କରି ଦେଉଥାଏ। ପାଖାପାଖି ୩୦୦ କୋଟି ଜନତାଙ୍କ ଭାଗ୍ୟ ଆକାଶରେ କଳା ମେଘ ଢାଙ୍କି ଦେଇଥାଏ।

ହେଲେ ହଠାତ୍ ଗତ ସୋମବାର ଦିନ ଭାରତର ବୈଦେଶିକ ମନ୍ତ୍ରାଳୟ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କଲା। ସେଥିରେ ଲେଖାଥିଲା, ବିବାଦୀୟ ଡୋକଲାମ ଅଞ୍ଚଳରୁ ଦୁଇ ଦେଶ ସେମାନଙ୍କ ସେନା ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାୟ ଅଢେଇ ମାସ ଧରି ଯେଉଁ ବିବାଦ ଚାଲିଥିଲା, ତାହା ସମାଧାନ ହୋଇଛି।

ଏଠି ସ୍ୱାଭାବିକ ଭାବେ ଏକ ପ୍ରଶ୍ନ ଉଠୁଛି ଏମିତି କ’ଣ ହେଲା ଯେ ଡୋକଲାମରେ ରାସ୍ତା ନିର୍ମାଣ ଯୋଜନାରୁ ଚୀନ୍‌ ହଟିଗଲା? ପ୍ରଥମେ ସେନା ପ୍ରତ୍ୟାହାର ନକଲେ ଆଲୋଚନା କରାଯିବନାହିଁ ବୋଲି ବାରମ୍ବାର କହୁଥିବା ଚୀନ୍‌ ଶେଷରେ ବିନା ସର୍ତ୍ତରେ ରାଜି ହେଲା କିପରି?

ମୋଦି ସରକାରଙ୍କ ସବୁଠୁ ବଡ଼ ଏହି କୁଟନୈତିକ ବିଜୟ ପଛରେ ରହିଛି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସଫଳ ରଣନୀତି। ମୋଦିଙ୍କ ଦୃଢ ଆଭିମୁଖ୍ୟ, ଅଜିତ ଡୋଭାଲଙ୍କ ପ୍ରତି ଅଗାଧ ବିଶ୍ୱାସ ଏବଂ ଡୋଭାଲଙ୍କ ସୁଚିନ୍ତିତ ଯୋଜନା ବଳରେ ଭାରତ ଆଗରେ ମୁଣ୍ଡ ନୁଆଁଇଛି ଚୀନ୍‌। ବିନା ସଂଘର୍ଷରେ ଚୀନ୍‌ ଭଳି ବିଶ୍ୱଶକ୍ତିକୁ ଯେଭଳି ଭାବେ ପଛକୁ ହଟାଇବାକୁ ଭାରତ ସମର୍ଥ ହୋଇଛି, ଏହା ଏବେ ଚୀନ୍‌ ସହ ସୀମାବିବାଦ ଥିବା ସବୁ ରାଷ୍ଟ୍ର  ପାଇଁ ପଥ ପ୍ରଦର୍ଶକ ହେବ।

ସଂକ୍ଷେପରେ ପୂରା ଘଟଣା ଉପରେ ନଜର ପକାଇବା।

ଭୁଟାନ ଭୂଖଣ୍ଡ ଡୋକଲାମରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କଲା ଚୀନ୍‌। ଏହି ଡୋକଲାମ ହେଉଛି ଭାରତ, ଚୀନ୍‌ ଏବଂ ଭୁଟାନର ତ୍ରିଛକି। ତିନି ରାଷ୍ଟ୍ରର ପ୍ରତିରକ୍ଷା ଦୃଷ୍ଟିକୋଣରୁ ଏହି ଅଞ୍ଚଳ ବିଶେଷ ଭାବେ ଗୁରୁତ୍ୱ ରଖିଥାଏ। ଚୀନ୍‌ ରାସ୍ତା ନିର୍ମାଣ ଆରମ୍ଭ କରିବା ମାତ୍ରେ ତାକୁ ବିରୋଧ କଲା ଭାରତ।

ସେନାର ଏକ ଛୋଟିଏ କମ୍ପାନୀକୁ ପଠାଇ ଜୁନ ୧୬ ତାରିଖରେ ରାସ୍ତା କାମ ବନ୍ଦ କରିଦେଲା ଭାରତ।  ଭାରତ ଯୁକ୍ତି ଦର୍ଶାଇଥିଲା, ଡୋକଲାମ ଭୁଟାନର। ଆଉ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଭୁଟାନର ସାର୍ବଭୌମ୍ୟ ଅଧିକାରକୁ ରକ୍ଷା କରିବା ଭାରତର ଦାୟିତ୍ଵ। ସେହିଦିନଠାରୁ ଦୁଇ ଦେଶର ସେନା ମୁହାଁମୁହିଁ ହୋଇରହିଥିଲେ।

ଚୀନ୍‌ର ପାଖାପାଖି ୩୦୦ ସୈନ୍ୟ ଓ ଭାରତର ୫୦ ପାଖାପାଖି ସୈନ୍ୟ ମୁହାଁମୁହିଁ ହୋଇରହିଥିବାବେଳେ ସେମାନଙ୍କୁ ସମର୍ଥନ ଦେବାକୁ ଦୁଇ ଦେଶର ସେନାର ଗତିବିଧି ବଢିଗଲା। ସିକ୍କିମ ସୀମାକୁ ଲାଗିଥିବା ଏହି ଡୋକଲାମ ଅଞ୍ଚଳକୁ ଆଖି ଆଗରେ ରଖି ଅସ୍ତ୍ରଶସ୍ତ୍ର ଠୁଳ କଲା ଭାରତ। ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଗଲା। ଯୁଦ୍ଧ ଭଳି ପରିସ୍ଥିତି ତିଆରି କରାଗଲା।

ସେପଟେ ଚୀନ୍‌ ସରକାରଙ୍କ କର୍ତ୍ତୃତ୍ୱରେ ଥିବା ଗଣମାଧ୍ୟମଗୁଡିକ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ପ୍ରଚାର ଚଳାଇଲେ। ଭାରତକୁ ନିଚ୍ଚା ଦେଖାଇ ତା’ର ନୈତିକ ମନୋବଳ ଭାଙ୍ଗିଦେବା ପାଇଁ କିଛି ବି ସୁଯୋଗ ହାତଛଡ଼ା କଲେନାହିଁ। ଚୀନ୍‌ର ବୈଦେଶିକ ବିଭାଗ ବି ଏଥିରେ ସାମିଲ ହେଲେ। ଚୀନ୍‌ର ପିପୁଲ୍ସ ଲିବେରେସନ୍ ଆର୍ମିର ଉତ୍ସବରେ ଚୀନ୍‌ ରାଷ୍ଟ୍ରପତି ମଧ୍ୟ ପରୋକ୍ଷ ଚେତାବନୀ ଦେଲେ।

୧୯୬୨ ଯୁଦ୍ଧରେ ହୋଇଥିବା ପରାଜୟକୁ ଭାରତ ମନେପକାଇବା ସହ ଡୋକଲାମ ଛାଡ଼ି ପଳାଉ ବୋଲି ଚୀନ୍‌ ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ୍ସ ଟାଇମ୍ସ’ ଧମକ ଦେବାରେ ଲାଗିଲା। ହେଲେ କାଁ ଭାଁ କେତୋଟି କଥାରେ ଜବାବ ରଖିଥିଲା ଭାରତ। ମାତ୍ର ଯୋଜନାବଦ୍ଧ ଭାବେ ନୀରବ ରହି ଚୀନ୍‌କୁ କୁଟନୈତିକ ସ୍ତରରେ ମୁକାବିଲା କରିଥିଲା।

ଏହି ମୁକାବିଲାର ନାୟକ ଥିଲେ ଅଜିତ ଡୋଭାଲ। ଉଭୟ ପ୍ରତିରକ୍ଷା ଓ ବୈଦେଶିକ ବିଭାଗ ସହ ସମନ୍ୱୟ ରଖି ଆଗକୁ ବଢିଥିଲେ ଡୋଭାଲ।

ଜୁଲାଇ ୧୧ ତାରିଖରେ ଜି-୨୦ ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ଗସ୍ତରେ ଗଲେ। ସେଠି ଚୀନ୍‌ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ସହ ସାକ୍ଷାତ ହେଲା ଏବଂ ଡୋକଲାମ ପ୍ରସଙ୍ଗରେ ଜାତୀୟ ସୁରକ୍ଷା ପରିଷଦ ସ୍ତରୀୟ ଆଲୋଚନା ପାଇଁ କ୍ଷେତ୍ର ପ୍ରସ୍ତୁତ ହେଲା।

ଜୁଲାଇ ୨୭ ତାରିଖରେ ଚୀନ୍‌ରେ ଦୁଇ ଦେଶର ଜାତୀୟ ସୁରକ୍ଷା ପରିଷଦ ପରାମର୍ଶଦାତା ଆଲୋଚନା ଟେବୁଲରେ ବସିଲେ। ଡୋକଲାମ ସମସ୍ୟାର ୪୧ ଦିନ ପରେ ସାମାଧାନର ରାସ୍ତା ବାହାର କରିବା ପାଇଁ ଆଲୋଚନା ଆରମ୍ଭ ହେଲା। ହେଲେ ସେତେବେଳକୁ ପୂରା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା ଚୀନ୍‌।

ଆଲୋଚନା ଆରମ୍ଭ ହେବା ମାତ୍ରେ ଅଜିତ ଡୋଭାଲଙ୍କୁ ଚୀନ୍‌ ପ୍ରତିପକ୍ଷ ୟାଙ୍ଗ୍ ଜିଚିଙ୍କୁ ତାତ୍ସଲ୍ୟ କରି ପଚାରିଲେ, ଡୋକଲାମ କ’ଣ ଭାରତର ଅଞ୍ଚଳ?

ହେଲେ ଯେଭଳି ଭାବେ ଡୋଭାଲ ଏହି ପ୍ରଶ୍ନ ଉତ୍ତର ରଖିଲେ, ତାହା ପୂରା ସ୍ଥିତିକୁ ପରିବର୍ତ୍ତନ କରିଦେଲା।

ଡୋଭାଲ କହିଲେ, “ତା’ମାନେ ଆପଣ କହୁଛନ୍ତି ସବୁ ବିବାଦୀୟ ଅଞ୍ଚଳ ଚୀନ୍‌ର!’’

ଏହି ଉତ୍ତର ପାଇବା ପରେ ୟାଙ୍ଗ ଜିଚିଙ୍କ କୁଟନୈତିକ ବୁଦ୍ଧି ହଜିଯାଇଥିଲା। ଭାରତ ତା’ର ଆଭିମୁଖ୍ୟରେ କେତେ ସ୍ଥିର ବୁଝା ପଡ଼ିଯାଇଥିଲା ଏହି ଗୋଟିଏ ଉତ୍ତରରୁ।

ଏହାପରେ ଦୁଇ ଦେଶ ସମସ୍ୟାର ସମାଧାନ ପାଇଁ ତୁହାକୁ ତୁହା ଆଲୋଚନା କରିଥିଲେ। ପୂର୍ବରୁ ଡୋକଲାମରେ ରାସ୍ତା କରିବା ପାଇଁ ଭୁଟାନକୁ ସେହି ଅଞ୍ଚଳ ଛାଡ଼ି ଦେବାକୁ ଅନୁରୋଧ କରିଥିଲା ଚୀନ୍‌। ଏହି ଜାଗା ବଦଳରେ ଉତ୍ତର ଚୀନ୍‌ ଅଞ୍ଚଳରେ ୫୦୦ବର୍ଗ କିଲୋମିଟରର ଛାଡ଼ି ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା ବେଜିଂ। ଏହାକୁ ଆୟୁଧ କରି ଚୀନ୍‌କୁ ଘେରିଥିଲେ ଡୋଭାଲ। ଏହା ହିଁ ପ୍ରମାଣ କରୁଥିଲା ଯେ ପୂର୍ବରୁ ଚୀନ୍‌ ସ୍ୱୀକାର କରିଛି ଯେ ଡୋକଲାମ ହେଉଛି ଭୁଟାନର ଅଞ୍ଚଳ।

ପ୍ରଧାନମନ୍ତ୍ରୀ ମୋଦି, ଡୋଭାଲଙ୍କ କାର୍ଯ୍ୟଶୈଳୀରେ ଅଧିକ ହସ୍ତକ୍ଷେପ କରିନଥିଲେ, କେବଳ କହିଥିଲେ, ଯୁଦ୍ଧ ଭୟରେ କିମ୍ବା ଅନ୍ୟ କୌଣସି ପରିସ୍ଥିତିରେ ସୀମାର ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିବାକୁ ଦେବନାହିଁ ଭାରତ। ଏହି ନୀତି ହିଁ ​‌ଶେଷରେ କାମ କଲା, ଚୀନ୍‌ ଯେତେବେଳେ ନିଶ୍ଚିତ ହେଲା ଯେ ଧମକ ଚମକ ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ ଏବଂ ଅନେକ ଶକ୍ତିଶାଳୀ ବନ୍ଧୁ ରାଷ୍ଟ୍ର ଭାରତର ସହାୟତା ଲାଗି ଆଗକୁ ଆସିବେ, ତା’ର ପଛକୁ ଫେରିବା ଛଡ଼ା ଅନ୍ୟ ଉପାୟ ନଥିଲା।

Tags: Ajit Doval, Narendra Modi, Doklam issue, India vs China, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here