ନିକଟରେ ବାଲାଜି  ଫିଲ୍ମସ ପାଇଁ ଏକ ବିଜ୍ଞାପନର ସୁଟିଂ କରୁଥିବା ସମୟରେ ତାଙ୍କ ଅଭିନୟକୁ ପରଖିଲା ପରେ ନିର୍ଦ୍ଦେଶକ ପ୍ରିୟଦର୍ଶନ ତାଙ୍କର ପରବର୍ତ୍ତୀ ସିନେମାରେ ଅଭିନୟ କରିବା ପାଇଁ ପପୁଙ୍କୁ ଅଫର୍ ଦେଇଛନ୍ତି। ରୋହିତ୍ ସେଟ୍ଟିଙ୍କ ପ୍ରଯୋଜନାରେ ଏହି ସିନେମାରେ ଅଭିଷେକ ବଚନ, ପରେଶ ରାୱଲ ଓ ରାଜପାଲ ଯାଦବଙ୍କ ସହ ପପୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ।

ଓଲିଉଡ୍‌ କମେଡି କିଙ୍ଗ୍ ପପୁ ପମ୍‌ପମ୍‌ ବନାମ ତତ୍ତ୍ୱ ପ୍ରକାଶ ଶତପଥୀ କାଷ୍ଟିଂ କାଉଚ୍ ବିବାଦରେ ଅନେକ ଦିନ ଧରି ଛନ୍ଦି ହୋଇ ରହିଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା କୌଣସି ମାତ୍ରାରେ କମି ନାହିଁ। ନିକଟରେ ଏକ ଖୁଲାସା ଅନୁଯାୟୀ ପପୁ ଓଲିଉଡ୍ ଛାଡ଼ି ବଲିଉଡ୍‌ରେଦର୍ଶକମାନଙ୍କୁ ନିଜ ପ୍ରତିଭା ବଳରେ ହସାଇବାର ସୁଯୋଗ ହାତେଇଛନ୍ତି।
ନିକଟରେ ବାଲାଜି  ଫିଲ୍ମସ ପାଇଁ ଏକ ବିଜ୍ଞାପନର ସୁଟିଂ କରୁଥିବା ସମୟରେ ତାଙ୍କ ଅଭିନୟକୁ ପରଖିଲା ପରେ ନିର୍ଦ୍ଦେଶକ ପ୍ରିୟଦର୍ଶନ ତାଙ୍କର ପରବର୍ତ୍ତୀ ସିନେମାରେ ଅଭିନୟ କରିବା ପାଇଁ ପପୁଙ୍କୁ ଅଫର୍ ଦେଇଛନ୍ତି। ରୋହିତ୍ ସେଟ୍ଟିଙ୍କ ପ୍ରଯୋଜନାରେ ଏହି ସିନେମାରେ ଅଭିଷେକ ବଚନ, ପରେଶ ରାୱଲ ଓ ରାଜପାଲ ଯାଦବଙ୍କ ସହ ପପୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏହି ପରିପ୍ରେକ୍ଷୀରେ ପ୍ରାଚୀତାରାଙ୍କ ସହ ପପୁଙ୍କ ବାର୍ତ୍ତାଳାପର କିଛି ଅଂଶ:
ଆପଣ ଓଲିଉଡ୍ରୁ ଯାଇ ବଲିଉଡ୍‌ରେ ପ୍ରବେଶ କଲେଣି, ଏହା ଏକ ବଡ଼ ଗୌରବର କଥା ବିଷୟରେ ଆପଣଙ୍କ ମତ ?
ନିଶ୍ଚିତ ଭାବେ ଏହା ଏକ ଗୌରବର କଥା। ପ୍ରିୟଦର୍ଶନଙ୍କ ପରି ସଫଳ ନିର୍ଦ୍ଦେଶକଙ୍କ ସିନେମାରେ ମୋତେ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ଏହା ମୋର କ୍ୟାରିଅର ପାଇଁ ଏକ ବଡ଼ ସଫଳତା। ଯଦିଓ ଏଥିନେଇ କଣ୍ଟ୍ରାକ୍ଟ ସ୍ୱାକ୍ଷର ହୋଇନାହିଁ, ଏତେ ବଡ଼ ଲୋକଙ୍କ କଥା ଉପରେ ମୋର ଦୃଢ଼ ବିଶ୍ୱାସ ଅଛି। ସବୁଠାରୁ ବଡ଼ କଥା ହେଉଛି ଏହି ସିନେମାରେ ମଧ୍ୟ ମୋର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ରହିବ। ପୂର୍ବରୁ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ବର୍ଷିଆନ କଳାକାର ପ୍ରଶାନ୍ତ ନନ୍ଦ, ମନୋଜ ମିଶ୍ରଙ୍କ ପରି ବହୁ ପ୍ରତିଭାବାନ କଳାକାର କାମ କରିଛନ୍ତି। ମୁଁ ମଧ୍ୟ ଏକ ସୁଯୋଗ ପାଇଥିବାରୁ ଏଥିରେ ବହୁତ ଖୁସି।
ଏହି ସୁଯୋଗ ଆପଣ କିପରି ପାଇଲେ?
ବଲିଉଡ୍‌ରେ ଅନେକ ଓଡ଼ିଆ ପିଲା ଭଲ କାମ କରୁଛନ୍ତି। ଯେପରିକି ପ୍ରିୟଦର୍ଶନକଙ୍କ ପାଖରେ ଦ୍ୱିତୀୟ କୃପା ବୋଲି ଓଡ଼ିଆ ପିଲା ବହୁତ ବର୍ଷ ହେଲାଣି କାମ କରୁଛନ୍ତି। ପରେଶ ରାୱଲଙ୍କ ମେକ୍-ଅପ୍ ଆର୍ଟିଷ୍ଟ୍ ମଧ୍ୟ ଜଣେ ଓଡ଼ିଆ। ତେଣୁ ବାଲାଜି ଫିଲ୍ମସ ପାଇଁ ବିଜ୍ଞାପନ ସୁଟିଂ କରିଲା ବେଳେ ମୋତେ ପୂରା ଓଡ଼ିଆ ମାହୋଲ ମିଳିଗଲା। ଏହି ସୁଟିଂ ସମୟରେ ମୋ ଅଭିନୟ ପ୍ରିୟଦର୍ଶନଙ୍କୁ ଭଲ ଲାଗିଥିଲା। ଆଉ ମୁଁ ମଧ୍ୟ ତାଙ୍କୁ ସିନେମାରେ ରୋଲ୍ ଦେବା ପାଇଁ କହିଥିଲି। ସାଧାରଣତଃ ପ୍ରିୟଦର୍ଶନଙ୍କ ସିନେମା ମଲ୍ଟି-ଷ୍ଟାରର୍ ହୋଇଥାଏ। ବୋଧହୁଏ, ତାଙ୍କ ପରବର୍ତ୍ତୀ ସିନେମା ପାଇଁ ସେ ଯାହା ଖୋଜୁଥିଲେ ସେ ମୋ’ଠାରେ ପାଇଲେ। ସେହି ବିଜ୍ଞାପନ ପାଇଁ ସୁଟିଂ ହିଁ ମୋର ଅଡିସନ୍‌ରେ ପରିଣତ ହେଲା।
ବଲିଉଡ୍ରେ କାମ କରିବା ପରେ ଆପଣ ଆଉ ଓଡ଼ିଶାରେ କାମ କରିବାକୁ ଚାହିଁବେ ନା ନାହିଁ?
ଓଡ଼ିଶା ମୋର କର୍ମକ୍ଷେତ୍ର। ଏଠାରେ ଲୋକଙ୍କ ଭଲ ପାଇବା ଓ ଶ୍ରଦ୍ଧା ହିଁ ମୋତେ ସଫଳତା ଆଣିଦେଇଛି।୨୦୧୦ ମସିହାରେ ପ୍ରଥମେ ଏଫଏମ୍, ତା’ପରେ ଟେଲିଭିଜନ୍ ଓ ପରେ ପରେ ମୁଁ ସିନେମାରେ ପ୍ରବେଶ କରିଥିଲି। ବାହାର ଜାଗାରେ ବାଘ ଲାଞ୍ଜ ହୋଇ ରହିବା ଅପେକ୍ଷା ନିଜ ଜାଗାରେ ବିଲେଇର ମୁଣ୍ଡ ହୋଇ ରହିବା ଶ୍ରେୟସ୍କର ବୋଲି ମୁଁ ମନେ କରେ। ସିନେମାରେ ଯେତେ ଅଭିନୟ କଲେ ବି ଟେଲିଭିଜନରେ କାମ କରିବା ମୁଁ କେବେବି ଛାଡ଼ି ନାହିଁ। ଟେଲିଭିଜନ ମାଧ୍ୟମରେ ମୁଁ ଲୋକଙ୍କ ହୃଦୟରେ ସ୍ଥାନ ପାଇଲି। ତରଙ୍ଗ  ଚ୍ୟାନେଲ୍‌ରେ ପ୍ରସାରିତ ‘ଯାହା କହିବି ସତ କହିବି’ କାର୍ଯ୍ୟକ୍ରମ ମୋ ଲୋକପ୍ରିୟତାର ସବୁଠାରୁ ବଡ଼ ସୋପାନ।
କାଷ୍ଟିଂ କାଉଚ୍ ମାମଲାରେ ଆପଣଙ୍କୁ ଅନେକ ନିନ୍ଦା ସହିବାକୁ ପଡ଼ିଛି ତାପରେ ବି ଆପଣଙ୍କ କାମ କରିବାର ଆଗ୍ରହ ନିଷ୍ଠାରେ କିଛି ଫରକ୍ କିପରି ପଡ଼ିନାହିଁ?
ସଫଳତା ସହ ନିନ୍ଦା, ଅପବାଦ ମଧ୍ୟ ଆପେ ଆପେ ଯୋଡ଼ି ହୋଇଯାଏ। ଯଦି ମୁଁ ଦୋଷ କରିଥିବି ତେବେ ମୋତେ ଦଣ୍ଡ ମିଳିବ। ସେଥିପାଇଁ ମୋର ଅନୁଶୋଚନା ନାହିଁ ମୋ କାମ ହିଁ ମୋତେ ଲୋକଙ୍କ ପାଖରେ ପହଞ୍ଚାଇଛି। କାମରେ କେବେହେଲେ ମୁଁ ଅବହେଳା କରିବି ନାହିଁ। ଏସବୁ ବାଦବିବାଦ ମତେ ଆହୁରି ଦୃଢ଼ ଓ ଏକନିଷ୍ଠ କରିଛି।
ପୂର୍ବରୁ ବର୍ଷକୁ /୩ଟି ସିନେମା କରୁଥିବା ବେଳେ ୨୦୧୭ରେ ଆପଣ ଅନେକଗୁଡ଼ିଏ ସିନେମା କରିଛନ୍ତି ବିଷୟରେ କ’ଣ କହିବେ?
ଏ ବର୍ଷ ମୋର ୧୦ଟା ସିନେମା ରିଲିଜ୍ ହୋଇଛି। ମୋ ପାଇଁ ଚରିତ୍ରଟିଏ ଥିଲେ ନିର୍ଦ୍ଦେଶକ ମୋତେ ଡାକନ୍ତି। ଏଥରର ମୋର ସବୁଠାରୁ ବଡ଼ ସିନେମା ହେଉି ‘ଭୈରବ’। ଏଥିରେ ମୁଁ ହିରୋ ଭୂମିକାରେ ଅଭିନୟ କରିଛି। ଅନୁଭବଙ୍କ ସହ ଦଶହରା ପାଇଁ ନିର୍ମିତ ସିନେମା ‘କାବୁଲା-ବାରବୁଲା’ରେ ମଧ୍ୟ ମୁଁ କାମ କରୁଛି। ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ଜଷ୍ଟ ମୋହବତ୍’, ‘ସୁନା ପିଲା ଟିକେ ସ୍କୃ ଢ଼ିଲା’… ଆଦିରେ ମଧ୍ୟ ମୁଁ ଅଭିନୟ କରିଛି। ଦେବେ ମୋର ମ୍ୟୁଜିକାଲ୍ ସିନେମା ‘ସୁରଦାସ’ ପାଇଁ ସମୟ ଦେଇ ପାରିନଥିବାରୁ ତାହା ବିଳମ୍ବ ହେଉଛି।
ପ୍ରଡ୍ୟୁସରମାନେ ସଠିକ୍ ସମୟରେ ପଇସା ଦିଅନ୍ତି ନାହିଁ ବୋଲି ଅନେକ ଅଭିଯୋଗ କରନ୍ତି, ବିଷୟରେ ଆପଣଙ୍କ ମତ ?
ମୁଁ ଏହାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରେ। ମୋ ସହ ଏପରି କେବେ ଘଟିନାହିଁ। ଯେତେବେଳେ ୧୦,୦୦୦ ଟଙ୍କା ପାଇଥିଲି ସେବେ ମଧ୍ୟ କାମ ସରିଲା ପରେ ପଇସା ମିଳିଯାଉଥିଲା। ଠିକ୍ ସେହିପରି ଏବେ ପାଞ୍ଚ ଲକ୍ଷ ଟଙ୍କାର କାମ କଲେ ମଧ୍ୟ ଡବିଙ୍ଗ ସରିବା ପରେ ପଇସା ମିଳିଯାଉଛି।
ଆପଣଙ୍କର ଭବିଷ୍ୟତର ଯୋଜନା କ’ଣ?
ମୁଁ ‘ପପୁ ପମ୍‌ପମ୍‌ କ୍ରିଏସନ୍’ ନାଁରେ ଗୋଟେ ୱେବ୍ ଚ୍ୟାନେଲ କରିଛି। ପ୍ରାୟ ୮୦,୦୦୦ ଲୋକ ଏହାକୁ ସବସ୍କ୍ରାଇବ୍‌ କରିସାରିଲେଣି। ଏଥିରେ ମୁଁ ମୋ ମନ ମୁତାବକ ଭିଡିଓ କରି ଅପ୍‌ଲୋଡ୍‌ କରୁଛି। ଭିଡିଓଗୁଡ଼ିକ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଭବିଷ୍ୟତରେ କିଛି ମୌଳିକ କଥାବସ୍ତୁକୁ ନେଇ ନିଜେ ଭଲ ସିନେମା କରିବାର ମଧ୍ୟ ମୁଁ ଯୋଜନା କରୁଛି।
Tags: Papu Pompom, Papu, Papu Comedian, Papu Pompom Creation, Bollywood, Ollywood, Ollywood Star, Odia Cinema, Hindi Cinema, Priyadarshan, Rohit Shetty, Paresh Rawal, Abhishek Bachan, Rajpal Yadav, Odia Cine News, Odia Cine Industry, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment