ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁଆଡ଼େ ଗଲେ ବଳାତ୍କାରୀ ବାବା ରାମରହିମଙ୍କ ତଥାକଥିତ ଝିଅ ହନିପ୍ରୀତ? ବାବା ଜେଲ ଯିବା ପରେ ହନିପ୍ରୀତଙ୍କ ପତ୍ତା ମିଳୁନାହିଁ। ଶେଷ ଥର ପାଇଁ ରାମରହିମଙ୍କ ସହ ହେଲିକପ୍ଟରରେ ତାଙ୍କୁ ଦେଖିବାକୁ ମିଳିଥିଲା। ରାମରହିମଙ୍କ ସହ ଜେଲରେ ରହିବା ପାଇଁ ହନିପ୍ରୀତ ଦାବି କରିଥିଲେ, ହେଲେ ଏଥିପାଇଁ ଅନୁମତି ମିଳିନଥିଲା।
ଏପରିକି ରାମ ରହିମ କହିଥିଲେ, ତାଙ୍କର ଅଣ୍ଟାରେ ଯନ୍ତ୍ରଣା ହେଉଥିବାରୁ ହନିପ୍ରୀତଙ୍କୁ ଜେଲରେ ତାଙ୍କ ସହ ରଖାଯାଉ। ଜେଲ କର୍ତ୍ତୃପକ୍ଷ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଏହାପରେ ରାମରହିମଙ୍କ ଏହି ବିବାଦୀୟ ପୋଷ୍ୟକନ୍ୟା ହନିପ୍ରୀତ କୁଆଡେ ଗଲେ ତାଙ୍କର ପତ୍ତା ମିଳୁନି।
ବ୍ୟାପକ ହିଂସା ପାଇଁ ଷଡ଼ଯନ୍ତ୍ର ଏବଂ ଅଦାଲତି ରାୟ ପରେ ରାମରହିମଙ୍କୁ ଫେରାର କରିବା ପାଇଁ ହନିପ୍ରୀତ ଯୋଜନା କରିଥିବା ନେଇ ମାମଲା ରୁଜୁ କରିଛି ହରିଆଣା ପୋଲିସ।
ଏହା ସହ ଡେରା ସଚ୍ଚା ସୌଦ୍ଦାର ମୁଖପାତ୍ର ଆଦିତ୍ୟ ଇନସାନଙ୍କ ନାଁରେ ହିଂସା ଷଡଯନ୍ତ୍ର ଅଭିଯୋଗରେ ମାମଲା ଦାୟର କରୁଛି ପୋଲିସ। ପୂର୍ବରୁ ପୁଲିସ କାର୍ଯ୍ୟରେ ବାଧା ଦେବା ଏବଂ ଅଭିଯୁକ୍ତ ଅପରାଧୀଙ୍କ ଫେରାର କରାଇବା ପାଇଁ ଉଦ୍ୟମ କରିବା ଅଭିଯୋଗରେ ତାଙ୍କ ନାଁରେ ଦେଶଦ୍ରୋହ ମାମଲା ଦାୟର କରାଯାଇଥିଲା।
ଅଗଷ୍ଟ ୨୫ ତାରିଖ ଦିନ ଅଦାଲତ ରାମରହିମଙ୍କୁ ଦୋଷୀସାବ୍ୟସ୍ତ କରିବା ପରେ ହନିପ୍ରୀତ ତାଙ୍କର ଷଡଯନ୍ତ୍ର ମୁତାବକ ଯୋଜନା ଆରମ୍ଭ କରିଦେଇଥିଲେ। ଏକ ଲାଲ ବ୍ୟାଗ ଥିଲା ତାଙ୍କର କୋର୍ଡ। ଗାଡ଼ିରେ ଲୁଚାଇ ରଖାଯାଇଥିବା ଲାଲ ବ୍ୟାଗ ବାହାରକୁ ବାହାରିବା ମାତ୍ରେ ବାହାରେ ଥିବା ଶହ ଶହ ଡେରା ଅନୁଗାମୀ ହଙ୍ଗାମା ଆରମ୍ଭ କରିଦେଇଥିଲେ। କିଏ, କେଉଁଠି ଗଣ୍ଡଗୋଳ କରିବ, କେତେ ଲୋକ କେଉଁଠି ରହିବେ ତା’ର ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଏହି ଗଣ୍ଡଗୋଳ ଭିତରେ ଫେରାର କରାଇନେବା ଲାଗି ସୁଚିନ୍ତିତ ଯୋଜନା ହୋଇଥିଲା।
ଏପରିକି ରାମ ରହିମଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଉଥିବା ହରିଆଣା ପୁଲିସ କର୍ମଚାରୀ ମଧ୍ୟ ଏହି ସାଂଘାତିକ ଯୋଜନାରେ ସାମିଲ ଥିଲେ। ହେଲେ ଶେଷ ମୁହୂର୍ତ୍ତରେ ପୋଲିସକୁ ଏହାର ସୁରାକ ମିଳିଥିଲା, ଆଉ ଏହି ଯୋଜନାକୁ ପଣ୍ଡ କରାଯାଇଥିଲା। ପ୍ଲାନ ନମ୍ବର-୨ କାର୍ଯ୍ୟକାରୀ ହେବା ରାମରହିମଙ୍କୁ ସଡ଼କ ପଥରେ ନିଆନଯାଇ ହେଲିକଫ୍ଟରରେ ନିଆଯାଇଥିଲା।
ପୋଲିସ ଅନୁମାନ କରୁଛି, ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ହେଉଛନ୍ତି ହନିପ୍ରୀତ ଇନସାନ୍। ହନିପ୍ରୀତଙ୍କୁ ପତ୍ତା ମିଳୁନଥିବାରୁ ତାଙ୍କ ନାଁରେ ଲୁକଆଉଟ୍ ନୋଟିସ ଜାରି କରାଯାଇଛି। ଜେଲକୁ ରାମରହିମ ଯିବା ପରେ ସେ ରୋହତକରେ ଜଣେ ଡେରା ଅନୁଗାମୀଙ୍କ ଘରେ ରହିଥିବା ଚର୍ଚ୍ଚା ହେଉଥିଲା। ତେବେ ସେଠାରେ ସେ ନଥିବା କହିଛି ପୋଲିସ।
ଏପଟେ ରାମରହିମଙ୍କ ତଥାକଥିତ ପାଳିତ ଝିଅ ହନିପ୍ରୀତ ଇନସାନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ପ୍ରବଳ ସନ୍ଦେହ ସୃଷ୍ଟି ହୋଇଛି। ନିଜର ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅ ଥିବାବେଳେ ହନିପ୍ରୀତ ହିଁ ରାମରହିମଙ୍କ ସବୁଠୁ ପ୍ରିୟ। ହନିପ୍ରୀତ, ରାମରହିମଙ୍କ ସବୁ ଫିଲ୍ମର ହିରୋଇନ୍। ପରଦା ଉପରେ ତଥାକଥିତ ବାପ-ଝିଅଙ୍କ ଡାନ୍ସ ଦେଖିଲେ ବି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଦୁହିଁଙ୍କ ମଧ୍ୟରେ ବୟସର ତାରତମ୍ୟ ମଧ୍ୟ ଅଧିକ ନୁହେଁ।
ହନିପ୍ରୀତ ଓରଫ ପ୍ରିୟଙ୍କା ତନେଜା ୧୯୯୯ରେ ପଞ୍ଚକୁଳା ନିବାସୀ ବ୍ୟବସାୟୀ ବିଶ୍ୱାସ ଗୁପ୍ତାଙ୍କୁ ବିବାହ କରିଥିଲେ। ହେଲେ ସ୍ୱାମୀଙ୍କ ସହ ନରହି ଅଧିକ ସମୟ ଡେରା ଆଶ୍ରମରେ କାଟୁଥିଲେ ହନିପ୍ରୀତ। ତାଙ୍କର କୌଣସି ପିଲାପିଲି ହୋଇନଥିଲା। ବିଶ୍ୱାସ ଗୁପ୍ତା ଅଭିଯୋଗ ଆଣିଥିଲେ ଯେ ତାଙ୍କ ପତ୍ନୀ ଓ ରାମରହିମଙ୍କ ମଧ୍ୟରେ ଅନୈତିକ ସଂପର୍କ ରହିଛି। ସେ ନିଜ ଆଖିରେ ଦୁଇ ଜଣଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିଛନ୍ତି।
ଏଭଳି ସାଂଘାତିକ ଅଭିଯୋଗ ପରେ ବିଶ୍ୱାସ ଗୁପ୍ତାଙ୍କ ବିରୋଧରେ ହନିପ୍ରୀତ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହାଛଡ଼ା ଚେକ୍ ବାଉନ୍ସ ଓ ଅନ୍ୟାନ୍ୟ ମାମଲାରେ ଛନ୍ଦି ଦିଆଯାଇଥିଲା ବିଶ୍ୱାସଙ୍କୁ। ୨୦୧୨ରେ ଦୁଇଜଣଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। କୋର୍ଟରେ ବିଶ୍ୱାସ ଗୁପ୍ତା କରିଥିବା ମାମଲାକୁ ସେ ପ୍ରତ୍ୟାହାର କରିନେଇଥିଲେ। ଏହାପରେ ଆଶ୍ରମର ସ୍ଥାୟୀ ଭାବେ ରହିବା ଆରମ୍ଭ କରିଥିଲେ ହନିପ୍ରୀତ।
ଏହି ବିବାଦ ଚାଲିଥିବାବେଳେ ରାମରହିମ ହନିପ୍ରୀତଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କରିଥିଲେ। ରାମରହିମଙ୍କ ବୟସ ସେତେବେଳେ ମାତ୍ର ୪୨ ବର୍ଷ ଏବଂ ୨୭-୨୮ ବର୍ଷ ବୟସରେ ପହଞ୍ଚି ସାରିଥିଲେ ହନିପ୍ରୀତ। ରାମରହିମଙ୍କର ନିଜର ତିନିଟି ସନ୍ତାନ ଥିଲେ, ହନିପ୍ରୀତଙ୍କର ମଧ୍ୟ ନିଜ ବାପାମାଆ ଥିଲେ। ଏହାପରେ ବି କାହିଁକି ହନିପ୍ରୀତିକୁ ପାଳିତ ଝିଅ କଲେ, ଏହା ସେ ସମୟରେ ବି ଅନେକ ସନ୍ଦେହ ସୃଷ୍ଟି କରିଥିଲା।
ଦୋଷୀ ସାବ୍ୟସ୍ତ ହେବା ଦିନ ବାବାଙ୍କ ସହ ଅଦାଳତକୁ ଯାଇଥିଲେ ହନିପ୍ରୀତ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ଅପରାଧୀଙ୍କୁ ହେଲକଫ୍ଟରରେ ଜେଲ ନିଆଯାଉଥିବାବେଳେ ତାଙ୍କ ନିକଟରେ ବସିଥିଲେ ହନିପ୍ରୀତ। ଯାହାକୁ ନେଇ ଅଡୁଆରେ ପଡ଼ିଛନ୍ତି ହରିଆଣା ସରକାର।
କୁହାଯାଉଛି, ରାମରହିମଙ୍କ ଭଳି ପୋଲିସ ଓ ପ୍ରଶାସନରେ ରାମ ରହିମଙ୍କ ଏହି ତଥାକଥିତ ଝିଅ ହନିପ୍ରୀତଙ୍କର ମଧ୍ୟ ବିଶେଷ ପ୍ରଭାବ ରହିଛି।
ହନିପ୍ରୀତଙ୍କ ସହ ରାମରହିମଙ୍କ ସଂପର୍କ ଏତେ ଗଭୀର ଯେ ସବୁ କାର୍ଯ୍ୟକ୍ରମରେ ଛାଇ ଭଳି ଲଗାଲଗି ହୋଇରହିଥା’ନ୍ତି ଏହି ଦୁଇଜଣ। ଫିଲ୍ମ ପ୍ରମୋସନ ହେଉ ବା କୌଣସି ସାର୍ବଜନୀନ କାର୍ଯ୍ୟ ହେଉ, ଦୁଇଜଣଙ୍କୁ ଏକାଠି ଦେଖିବାକୁ ମିଳେ।
ହନିପ୍ରୀତ, ରାମରହିମଙ୍କୁ ଗୁରୁ ପାପାଜୀ ଡାକନ୍ତି। ଦୁଇଜଣ ପରସ୍ପର ମଧ୍ୟରେ ଥଟ୍ଟା ପରିହାସ କରୁଥିବା ନେଇ ଅନେକ ଭିଡିଓ ନିଜ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ହନିପ୍ରୀତ। ରାମ ରହିମଙ୍କ ସବୁ ଚଳଚ୍ଚିତ୍ରରେ ସେ ମୁଖ୍ୟ ଚରିତ୍ର ତୁଲାଇଥିବା ବେଳେ ନାୟିକା ଭାବେ ଅଭିନୟ କରିଛନ୍ତି ହନିପ୍ରୀତ।

Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Hanipreet, Hanipreet Isnan, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories

LEAVE A REPLY

Please enter your comment!
Please enter your name here