ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲିଜ ହେବାକୁ ଯାଉଛି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ନୂଆ ଫିଲ୍ମ ‘ସିମରନ୍’। ହେଲେ ଏହା ପୂର୍ବରୁ ଅତୀତର ବହୁ ବିବାଦ ଉପରୁ ପରଦା ଉଠାଇଛନ୍ତି କଙ୍ଗନା।
ହ୍ରିତିକ ରୋଶନ କିପରି ତାଙ୍କର ସମ୍ମାନହାନୀ କରିଥିଲେ କହିବା ପରେ ଏବେ ଆଦିତ୍ୟ ପାଞ୍ଚୋଲୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଙ୍ଗନା। ସେ କହିଛନ୍ତି, ମୁଁ ୧୭ ବର୍ଷର ନାବାଳିକା ଥିବାବେଳେ ମୋ ବାପାଙ୍କ ବୟସର ଆଦିତ୍ୟ ପାଞ୍ଚୋଲୀ ମୋତେ ଶାରୀରିକ ନିର୍ଯାତନା ଦେଇଥିଲେ।
କିଛି ସିନେ ସମୀକ୍ଷକଙ୍କ ମତରେ ପବ୍ଲିସିଟି ପାଇଁ କଙ୍ଗନା ପୁରୁଣା କଥା ଉଠାଉଛନ୍ତି। ତେବେ ଗୋଟିଏ କଥା ସତ ଯେ କଙ୍ଗନା ଯେଉଁ ଅଭିଯୋଗ ଉଠାଉଛନ୍ତି, ତାହା ବଲିଉଡର କିଛି ଅଦେଖା ପୃଷ୍ଠାକୁ ସାମନାକୁ ଆଣୁଛି।
ଏବେ ଜାଣିବା ବିଗତ ଦିନର ଲୋକପ୍ରିୟ ଅଭିନେତା ଆଦିତ୍ୟ ପାଞ୍ଚୋଲୀଙ୍କ ବିରୋଧରେ କି ଅଭିଯୋଗ କରିଛନ୍ତି କଙ୍ଗନା।
୧୪ ବର୍ଷ ତଳେ ତାଙ୍କ ଜୀବନରେ କ’ଣ ଘଟିଥିଲା, ବର୍ଣ୍ଣନା କରିଛନ୍ତି କଙ୍ଗନା। ସେତେବେଳେ ବଲିଉଡରେ ନିଜ ଭାଗ୍ୟ ପରୀକ୍ଷା ପାଇଁ ହିମାଚଳପ୍ରଦେଶର ଏକ ଛୋଟ ସହରରୁ ମୁମ୍ବାଇ ଆସିଥିଲେ କଙ୍ଗନା। ସଂଘର୍ଷର ସମୟ ଥିଲା। କଙ୍ଗନାଙ୍କ କହିବା ଅନୁସାରେ ଆଦିତ୍ୟ ପାଞ୍ଚୋଲୀ ତାଙ୍କୁ ସହଯୋଗ କରିବାକୁ ସେହି ସମୟରେ ଆଗେଇ ଆସିଥିଲେ।
କିଛି ଦିନ ମିଳିମିଶା ପରେ ଦୁହିଁଙ୍କ ମଧ୍ୟରେ ସଂପର୍କ ଆଗକୁ ବଢିଲା। ପ୍ରଥମେ ପ୍ରଥମେ ଡେଟିଂରେ ସୀମାବଦ୍ଧ ଥିଲା ସଂପର୍କ। ତା’ପରେ ଲିଭ-ଇନ୍ ରିଲେସନ୍। ମୁମ୍ବାଇରେ ଗୋଟିଏ ଫ୍ଲାଟ ଭଡ଼ା ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ପାଖାପାଖି ଦୁଇ ବର୍ଷ ବିତାଇଥିବା ସ୍ୱୀକାର କରିଛନ୍ତି କଙ୍ଗନା।
ସେତେବେଳେ କଙ୍ଗନା ଥିଲେ ନାବାଳିକା ଏବଂ ତାଙ୍କୁ ହୋଇଥିଲା ମାତ୍ର ୧୭ ବର୍ଷ। ଆଦିତ୍ୟ ପାଞ୍ଚୋଲୀ ତାଙ୍କଠାରୁ ୨୧ ବର୍ଷ ବଡ଼। କଙ୍ଗନା ଅଭିଯୋଗ କରିଛନ୍ତି ଯେ କିଛି ଦିନ ହସଖୁସିରେ ବିତିବା ପରେ ଆରମ୍ଭ ହୋଇଥିଲା ପାଞ୍ଚୋଲୀଙ୍କ ନିର୍ଯାତନା। ଦିନେ ସ୍ଥିତି ଏପରି ହୋଇଥିଲା ଯେ ପାଞ୍ଚୋଲୀଙ୍କ ମାଡ଼ରେ କଙ୍ଗନାଙ୍କ ମୁଣ୍ଡ ଫାଟି ରକ୍ତ ବୋହିଥିଲା। ଅତି ଅଶାଳୀନ ଭାଷାରେ ଆଦିତ୍ୟ ତାଙ୍କୁ ଗାଳି ଦେଇଥିବା ମଧ୍ୟ କହନ୍ତି କଙ୍ଗନା।
ମାଡ଼ ଖାଇବା ପରେ କଙ୍ଗନା ତାଙ୍କ ସାଣ୍ଡେଲ୍ ଖୋଲି ଆଦିତ୍ୟ ପାଞ୍ଚୋଲୀଙ୍କ ମୁଣ୍ଡକୁ ଖୁବ ଜୋରରେ ପିଟି ଦେଇଥିଲେ। ଏହାପରେ ତାଙ୍କ ଉପରେ ଆହୁରି ବଢ଼ିଯାଇଥିଲା ନିର୍ଯାତନା। କଙ୍ଗନା ଅଲଗା ରହିବା ପରେ ବି ତାଙ୍କ ଘରକୁ ଯାଇ ହଙ୍ଗାମା କରୁଥିଲେ ପାଞ୍ଚୋଲୀ।
ଆଦିତ୍ୟ ପାଞ୍ଚୋଲୀଙ୍କ ପତ୍ନୀ ଜରିନା ୱାହିବଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ କଙ୍ଗନା।
କଙ୍ଗନା କହିଛନ୍ତି, “ଜରିନାଙ୍କୁ କହିଥିଲି, ମୁଁ ଆପଣଙ୍କ ଝିଅଠାରୁ ବର୍ଷେ ସାନ ହେବି। ମୋତେ ଆପଣ ରକ୍ଷା କରନ୍ତୁ।… ହେଲେ ଜରିନା ମୋତେ କିଛି ବି ସାହାଯ୍ୟ କରିନଥିଲେ”।
ଜରିନାଙ୍କଠାରୁ ନିରାଶ ହେବା ପରେ ତାଙ୍କୁ ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା। ଘରେ କହିଲେ ସେମାନେ ଆଉ ମୁମ୍ବାଇରେ ରହିବାକୁ ଦେବେ ନାହିଁ। ପୁଲିସକୁ କହିଲେ ପରିବାର ଲୋକ ଜାଣିଯିବେ, ଏହି ଭୟରେ ସେ କାହାରିକୁ କିଛି କହିଲେନାହିଁ।
ହେଲେ ଦିନକୁ ଦିନ ଅତ୍ୟାଚାର ବଢିବାରୁ ସେ ବାଧ୍ୟ ହୋଇ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ କଙ୍ଗନା। ପୋଲିସ, ପାଞ୍ଚୋଲୀଙ୍କୁ ​‌ଚେତାବନୀ ଦେଇ ଛାଡ଼ିଦେଇଥିଲେ। କଙ୍ଗନାଙ୍କ ପାଖକୁ ନଯିବା ପାଇଁ ପୁଲିସ ତାଗିଦ କରିବା ପରେ ଆଦିତ୍ୟ ପାଞ୍ଚୋଲୀଙ୍କ କବଜାରୁ ସେ ମୁକୁଳିଥିଲେ ବୋଲି କହିଛନ୍ତି କଙ୍ଗନା।
ବଲିଉଡରେ କଙ୍ଗନାଙ୍କ ଏହି ମନ୍ତବ୍ୟକୁ ନେଇ ଝଡ଼ ଉଠିଛି। କିଛି ଅଭିଯୋଗ କରିଛନ୍ତି, କଙ୍ଗନା ନିଜ କ୍ୟାରିୟରକୁ ବଞ୍ଚାଇବା ପାଇଁ ଏବେ ଏହି ସବୁ ବିବାଦୀୟ ଘଟଣାକୁ ପୁଣିଥରେ ଉଠାଉଛନ୍ତି। ତାଙ୍କର ନୂଆ ଫିଲ୍ମ ‘ସିମରନ’ ଏକ ମହିଳାକୈନ୍ଦ୍ରିକ ଫିଲ୍ମ ହୋଇଥିବାରୁ ନିଜକୁ ଜଣେ ସଂଘର୍ଷ କରିଥିବା ମହିଳା ଭାବେ ଉପସ୍ଥାପନ କରିବାକୁ କଙ୍ଗନା ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।
ସେ ଯାହା ହେଉ, ଦୀର୍ଘଦିନ ପରେ ନିଜ ଅତୀତ ସଂପର୍କରେ ବହୁ କଥା ଖୋଲିକି କହି ନିଜ ସାହାସ ଓ ଆତ୍ମବିଶ୍ୱାସର ପରିଚୟ ଦେଇଛନ୍ତି କଙ୍ଗନା।
୨୦୧୪​‌ରେ ‘କୁଇନ’ ଚଳଚ୍ଚିତ୍ର ପାଇଁ  ଉଭୟ ଫିଲ୍ମଫେୟାର ଏବଂ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ କଙ୍ଗନା।
Tags: Queen, Kangana Ranawat, Aditya Pancholi, Simran, Bollywood, Bollwood Actors, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment