ଓଡ଼ିଶାଲାଇଭ୍‍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ପରିଷଦରେ ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚିତ ମନ୍ତ୍ରୀ ହେଉଛନ୍ତି ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଛାତ୍ର ନେତାରୁ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ହେବାର ରାସ୍ତା ସେ ନିଜ ହାତରେ ତିଆରି କରିଛନ୍ତି।
‘ଉଜ୍ୱଳା’ ଯୋଜନା ଜରିଆରେ ଗରିବ ଲୋକଙ୍କୁ ରନ୍ଧନ ଗ୍ୟାସ ଯୋଗାଇବା ଭଳି ମୋଦି ସରକାରଙ୍କ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆଗେଇ ନେବା ପରେ ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କ ବିଶ୍ୱାସଭାଜନ ହୋଇପାରିଥିଲେ। ତାହାରି ଫଳସ୍ୱରୂପ ସେ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଓ ଅତିରିକ୍ତ ଦାୟିତ୍ୱ ଭାବରେ ଦକ୍ଷତା ବିକାଶ ବିଭାଗ ମିଳିବା ମଧ୍ୟ ସେହି ଭରସାର ପ୍ରତିଫଳନ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଧର୍ମେନ୍ଦ୍ର ବିଧାୟକ, ସଂସଦ, ରାଷ୍ଟ୍ର ମନ୍ତ୍ରୀ ରହି ଆସିଛନ୍ତି ଓ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ ହେବା ଏକ ସ୍ଵାଭାବିକ ଘଟଣା।
ତେବେ ପ୍ରଧାନଙ୍କ ଅଧିକାଂଶ ସମୟ କଟିଛି ଛାତ୍ର ରାଜନୀତିରେ। ଅଶୀ ଦଶକରେ ଏବିଭିପି ରେ ଯୋଗ ଦେଇଥିଲେ ପ୍ରଧାନ ଓ ଅନୁଗୁଳ କଲେଜ ଛାତ୍ର ସଂସଦର ସଭାପତି ଥିଲେ। ଏବିଭିପିର ରାଷ୍ଟ୍ରୀୟ ସଚିବଠାରୁ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ ସଭାପତି ପର୍ଯ୍ୟନ୍ତ ବହୁ ସାଙ୍ଗଠନିକ ଦାୟିତ୍ୱରେ ମଧ୍ୟ ସେ ରହି ସାରିଛନ୍ତି।
କ୍ୟାବିନେଟ ମନ୍ତ୍ରୀ ହେବା ପରେ ଶ୍ରୀଯୁକ୍ତ ପ୍ରଧାନଙ୍କୁ ନେଇ ବିଗତ କିଛି ଦିନ ଧରି ଓଡ଼ିଶା ରାଜନୀତିରେ ଚାଲିଥିବା ଚର୍ଚ୍ଚା ଏବେ ଆହୁରି ଜୋର ଧରିବା ଆଶା କରାଯାଉଛି। ଓଡିଶାର ଦଳର ପ୍ରମୁଖ ଚେହେରା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚନା କରୁଛନ୍ତି ତାଙ୍କ ଦଳର ନେତା ଓ ଓଡ଼ିଶାର ଲୋକେ।
ଧର୍ମେନ୍ଦ୍ରଙ୍କ ପିତା ଦେବେନ୍ଦ୍ର ପ୍ରଧାନ ଅଟଳ ବିହାରୀ ବାଜପେୟୀ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ।
ଧର୍ମେନ୍ଦ୍ର ପ୍ରଧାନ ୨୦୦୪ରେ ଦେବଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୯ରେ ହାରି ଯାଇଥିଲେ। ସେ ୨୦୦୨ରେ ବିଧାନସଭାର ସଦସ୍ୟ ଥିଲେ।

Tags: Politics, Odisha Politics, Skill Development, Cabinet Ministers, Cabinet Reshuffle, Modi Ministers, Bhubaneswar News, BJP, BJP Ministers, Breaking News, Dharmendra Pradhan, Indian Politics, Latest News, Modi, Narendra Modi, Odisha Breaking News, Odisha News, Odisha Stories, Odisha Top Stories, Politics, Top Stories

Comment